ଭଣ୍ଡାରିପୋଖରୀ-୧: ଭଣ୍ଡାରିପୋଖରୀ ବ୍ଲକ୍ ପାଟୁଳି ପଞ୍ଚାୟତର ଏକ ସ୍କୁଲ୍ରେ ଅଭାବନୀୟ ଘଟଣା ଘଟିଛି। ଶିକ୍ଷୟିତ୍ରୀଙ୍କ ମାଡ଼ରେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ଛାତ୍ରୀ ଜଣକ ବିଦ୍ୟାଳୟକୁ ଆସିଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଅଫିସ୍ ଗୃହରେ ଥିବା ଠାକୁରଙ୍କ ପୂଜା ପାଇଁ କହିଥିଲେ। ଛାତ୍ରୀ ଜଣକ ଠାକୁର ପୂଜା କରୁଥିବା ବେଳେ ଅନ୍ୟମନସ୍କ ଯୋଗୁ ସେଠାରେ ରଖାଯାଇଥିବା ପାଣି ଗୋଡ଼ ବାଜି ଢାଳି ହୋଇଯାଇଥିଲା।
ଏଥିରେ ଶିକ୍ଷୟିତ୍ରୀ ଜଣକ ରାଗିଯାଇ ଛାତ୍ରୀଙ୍କୁ ବେତବାଡ଼ିରେ ପିଟିଥିଲେ। ଛାତ୍ରୀ ଘରକୁ ଯାଇ ତାଙ୍କ ମାଆଙ୍କୁ ସବୁକଥା କହିଥିଲେ। ଦୁଇଦିନ ପରେ ଛାତ୍ରୀ ଜଣକ ଝାଡ଼ା ଓ ପରିସ୍ରା କରିବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ ଛାତ୍ରୀଙ୍କ ବାପା ବିଦ୍ୟାଳୟକୁ ଯାଇ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ଘଟଣା ବାବଦରେ ପଚାରି ଥିଲେ। ଫଳରେ ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଧମକଚମକ ଦେଇଥିଲେ। ଛାତ୍ରୀଙ୍କ ଅବସ୍ଥାର ଖରାପ ହେବାରୁ ପରିବାର ଲୋକ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଉଛନ୍ତି। ଏନେଇ ଥାନାରେ ଲିଖିତ ଭାବେ ଜଣାଯାଇଛି। ଘଟଣା ବାବଦରେ ବ୍ଲକ୍ ଶିକ୍ଷାଧିକାରୀଙ୍କ ମତାମତ ନେବାରୁ ସେ ଘଟଣା ନେଇ ବିଶେଷ କିଛି ଜାଣିନାହାନ୍ତି। ଅଭିଯୋଗ ମିଳିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/18-16.jpg)