ଗୁଣପୁର : ପୁଣି ଆଶ୍ରମ ବିଦ୍ୟାଳୟରେ ଅମାନୁଷିକ ନିର୍ଯାତନା। କୋରାପୁଟ ପରେ ରାୟଗଡ଼ା ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଚୋରି ସନ୍ଦେହରେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ସହପାଠୀ। ଆକ୍ରମଣର ଶିକାର ଛାତ୍ରଙ୍କ ଅଣ୍ଟା ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଚିକିତ୍ସା ପାଇଁ ଘରକୁ ନେଇ ଯାଇଛନ୍ତି ପରିବାର ଲୋକ। ଏଭଳି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଆଶ୍ରମ ବିଦ୍ୟାଳୟରେ ଘଟିଛି।
ସୂଚନା ଅନୁଯାୟୀ, ଗତକାଲି ଭୀମପୁର ଆଶ୍ରମ ବିଦ୍ୟାଳୟ ନିକଟରେ ଥିବା ଗୋଟିଏ ଦୋକାନରୁ ଚକଲେଟ ଓ ବିସ୍କୁଟ ଚୋରି ହୋଇଥିଲା। ସ୍କୁଲର ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଚକଲେଟ ଓ ବିସ୍କୁଟ ଚୋରି କରିଥିବା କିଛି ଅନ୍ତେବାସୀ ସହେହ କରିଥିଲେ। ପରେ କିଛି ଅନ୍ତେବାସୀ ସଂଘବଦ୍ଧ ଭାବେ ଏହି ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣା ଘଟିବା ପରେ ନିଜକୁ ଅସୁରକ୍ଷିତ ମଣି ଛାତ୍ର ଜଣକ ଦୀର୍ଘ ୭କିଲୋମିଟର ଦୂର ଚାଲିଚାଲି ଗତକାଲି ରାତିରେ ନିଜ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ନିର୍ଯାତନାର ପୂରା କାହାଣୀ ଶୁଣାଇଥିଲେ। ଏହାପରେ ପରିବାର ଲୋକ ଗୁରୁତର ପୁଅକୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ପ୍ରାଥମିକ ଚକିତ୍ସା କରିବା ପରେ ଅଣ୍ଟାର ହାଡ ଭାଙ୍ଗି ଯାଇଥିବା ଡାକ୍ତର କହିଥିଲେ। ତେବେ ପାଖରେ ଟଙ୍କା ନଥିବାରୁ ପୁଣି ଘରକୁ ନେଇ ଚାଲି ଯାଇଥିଲେ। ଚେରମୂଳି ଔଷଧ ଦେଇ ଚିକିତ୍ସା କରାଯିବ ବୋଲି ପରିବାର ଲୋକ କହିଛନ୍ତି।
ଅନ୍ୟପଟେ ସେବାଶ୍ରମର ଜଣେ ଛାତ୍ରକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ବେଳେ ଏହି ସଂପର୍କରେ କିଭଳି ହଷ୍ଟେଲ କର୍ତୃପକ୍ଷ ଜାଣିପାରିଲେନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସଂପର୍କରେ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/cc.jpg)