ବୈପାରିଗୁଡା: ପିଲାଙ୍କୁ ଘଉଡ଼ାଇବାକୁ ଯାଇ ଶିକ୍ଷକ ଫିଙ୍ଗି ଥିବା ଢେଲା ବାଜି ଜଣେ ଛାତ୍ର ଆହତ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ତେନ୍ତୁଳିଗୁମ୍ମା ଠାରେ। ତେବେ ଛାତ୍ରର ବାପା ଶିକ୍ଷକଙ୍କ ବିରୁଦ୍ଧରେ ରବିବାର ବୈପାରିଗୁଡା ଥାନାରେ ଏତଲା ଦାଏର କରିଛନ୍ତି। ଏତଲା ଅନୁଯାୟୀ, ବୈପାରିଗୁଡା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମର ସନ୍ୟାସୀ ଭୁମିଆଙ୍କ ପୁଅ ରାଜକିଶୋର ଭୁମିଆ (୧୨) ସ୍ଥାନୀୟ ବିଦ୍ୟାଳୟରେ ପଢ଼େ। ଗତ ଏକ ତାରିଖ ସ୍କୁଲ ଛୁଟି ପରେ ପୁଅ ରାଜକିଶୋର ନିଜ ସାଙ୍ଗ ସହ ବିଦ୍ୟାଳୟର ହଷ୍ଟେଲ ଆଡ଼କୁ ବୁଲିବା ପାଇଁ ଯାଇଥିଲେ।
ସେହି ସମୟରେ କିଛି ପିଲା ହଷ୍ଟେଲ ପରିସରରେ ରହିଥିବା ନଡ଼ିଆ ଗଛକୁ ଲକ୍ଷ୍ୟ କରି ଟେକା ମାରୁଥିଲେ। ଶିକ୍ଷକ ନରସିଂହ ଗୈାଡ ଜାଣିପାରି ବାହାରକୁ ଆସିବା ସହ ପିଲାଙ୍କୁ ଘଉଡାଇବା ପାଇଁ ଢେଲା ଫୋପାଡି ଥିଲେ। ପିଲାମାନେ ଦୈାଡି ଚାଲିଯାଇଥିଲେ ମଧ୍ୟ ଢେଲାଟି ରାଜକିଶୋରର ବାମ ଆଖିରେ ବାଜିଥିଲା। ରାଜକିଶୋର ଢେଲା ମାଡ଼ରେ ଆହତ ହେବା ଜାଣି ଶିକ୍ଷକ ନରସିଂହ ଗୈାଡ ସ୍ଥାନୀୟ କ୍ଲିନିକରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ତେବେ ସନ୍ୟାସୀ ନିଜ ପୁଅର ଅବସ୍ଥା ଦେଖି ଶିକ୍ଷକଙ୍କ ନିକଟକୁ ଯାଇ ପଚାରିବାରୁ ଶିକ୍ଷକ ଜଣକ ରାଜକିଶୋରର ଚିକିତ୍ସା ପାଇଁ ଜୟପୁର ଆଣିଥିଲେ।
ତେବେ ଜୟପୁରର ଘରୋଇ ଚିକିତ୍ସାଳୟ ଆଖି ପରୀକ୍ଷା କରିବା ପରେ ଜିଲ୍ଲା ବାହାରର କୈାଣସି ବଡ଼ ଡ଼ାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷକ ନରସିଂହ ଗୈାଡ ପ୍ରଥମେ ଏଥିପାଇଁ ରାଜି ହୋଇଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ମନା କରିଦେବା ସହ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିଲେ ଏବଂ ତମେ ଯାହା ପାରୁଛ କର, ମୁଁ ବାହାର ଡାକ୍ତରଖାନାକୁ ନେବି ନାହିଁ ବୋଲି ରୋକ ଠୋକ ମନା କରିଦେଇଥିବା ବେଳେ ପୁଅର ଆଖିର ଅବସ୍ଥା ଗୁରୁତର ହୋଇଥିବାରୁ ଏହାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି।