ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଅଭାବ: ପାଠ ପାଇଁ ମୂଲ ଲାଗୁଛନ୍ତି ଛାତ୍ରୀ

କାଳିଆପାଣି : ପାଦେପାଦେ ସବୁ‌ କ୍ଷେତ୍ରରେ ଅଭାବଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅଷ୍ଟମ ଶ୍ରେଣୀର ଆଦିବାସୀ ଛାତ୍ରୀ ପାଲ ବଣ୍ଡରା। ସୁକିନ୍ଦା ବ୍ଲକ କଂସ ପଞ୍ଚାୟତ କୋଇପଶି ପାଖ ଗୁରୁଜଙ୍ଗପାଳ ବସ୍ତିରେ ତାଙ୍କର ଜନ୍ମ। ଛୋଟବେଳୁ ବାପା ନାରଣ ବଣ୍ଡରାଙ୍କୁ ହରାଇଥିଲେ। ଏବେ ସେ ଟିକରପଡ଼ାର ମାମୁଘରେ ମାଆ ସହ ମୁଣ୍ଡ ଗୁଞ୍ଜିଛନ୍ତି। ରୋଗଗ୍ରସ୍ତ ମାଆଙ୍କୁ ଅକାଳ ବାର୍ଦ୍ଧକ୍ୟ ଗ୍ରାସିଲାଣି। ଏହି ଦାରୁଣ ପରିସ୍ଥିତିରେ ବି ହାର୍‌ ମାନି ନାହାନ୍ତି ପାଲ। ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲାର ନାଗପୁରା ସେବାଶ୍ରମରେ ସେ ନାମ ଲେଖାଇଥିଲେ। ହେତୁ ପାଇବ‌ା ଦିନରୁ ନିଜ ଖର୍ଚ୍ଚ, ପାଠ୍ୟୋପକରଣ ଓ ପୋଷା‌‌କପତ୍ର ଆବଶ୍ୟକତା ପାଇଁ ତାଙ୍କୁ ପରଘରେ ମୂଲ ଲାଗିବାକୁ ପଡ଼ୁଛି। ଦୈନିକ ୮ ଘଣ୍ଟା ଖଟଣିରେ ମାତ୍ର ଶହେ ଟଙ୍କା ମିଳୁଥିଲେ ମଧ୍ୟ କାମ ସୁଯୋଗକୁ ସେ ହାତଛଡ଼ା କରୁ ନଥିବା ସେ କହନ୍ତି। ଶୈଶବରୁ କୃଷି ଶ୍ରମିକ ଭାବେ ଧାନକ୍ଷେତରେ ତଳିମରା, ରୁଆପୋତା, ବଛାବଛି ଓ ଧାନକଟା ସାଙ୍ଗକୁ ଖଳାରୁ ଅମଳ ପର୍ଯ୍ୟନ୍ତ ସେ ସବୁ କାମ କରୁଛନ୍ତି। ମାସକୁ ହାରାହାରି ୭ ରୁ ୮ ଦିନ କାମ ମିଳୁଥିବାରୁ ଅଭାବରୁ ସେ ମୁକୁଳି ପାରୁ ନାହାନ୍ତି।

୧୫ ବର୍ଷ ତଳୁ ସ୍ବାମୀଙ୍କୁ ହରାଇଥିଲେ ମଧ୍ୟ ତାଙ୍କ ମାଆ ଦଶମା ବିଧବା ଭତ୍ତା ଓ ଜବ୍‌ କାର୍ଡରୁ ବଞ୍ଚିତ ରହିଛନ୍ତି। ମନରେଗା ଯୋଜନାରେ ସେ ଦିନଟିଏ ବି ଉପକୃତ ହୋଇ ନଥିବା ଜଣାପଡ଼ିଛି। ମାଆଙ୍କ ଔଷଧ ଓ ଚିକିତ୍ସା ପାଇଁ କୋମଳ ବୟସରେ ପାଲଙ୍କୁ ଅତିରିକ୍ତ ବୋଝ ଉଠାଇବାକୁ ପଡ଼ୁଛି। ଭୂମିହୀନ ଥିଲେ ମଧ୍ୟ ମାଆଝିଅଙ୍କ ନାଁରେ ଏଯାବତ୍ ଜମିପଟ୍ଟା ନ‌ାହିଁ। ଅତି ଗରିବ ଆଦିବାସୀ ହୋଇ ଜଙ୍ଗଲ ଜମି ଅଧିକାର ଆଇନ(୨୦୦୬) ଓ ବସୁନ୍ଧରା ଯୋଜନାରୁ ବାଦ୍‌ ପଡ଼ିଛନ୍ତି। କରୋନା ପାଇଁ ଦେଢ଼ବର୍ଷ ଧରି ପାଲ ଦୂରରେ ଥିବା ସ୍କୁଲକୁ ଯାଇପାରୁ ନଥିବାରୁ ଆନୁଷଙ୍ଗିକ ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି। ପାଲଙ୍କ ପାଖରେ ଶିଶୁ ସୁରକ୍ଷା ଓ ଅଧିକାର ହାର୍‌ ମାନିଛି। ଆଦିବାସୀ ଅସହାୟ ଦଶମାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାସିକ ୧୦ କିଲୋ ଚାଉଳ ମିଳୁଛି। ଏହା ଅତିବେଶିରେ ୧୦ ଦିନ ଯାଇଥାଏ। ଅବଶିଷ୍ଟ ଦିନର ଖାଦ୍ୟ ସମସ୍ୟା ପାଇଁ ପାଲଙ୍କୁ ବୋଝ ଉଠାଇବାକୁ ପଡ଼ୁଥିଲେ ମଧ୍ୟ ତାଙ୍କ ପ୍ରତି ସ୍ଥାନୀୟ ଜନ ପ୍ରତିନିଧି କିମ୍ବା ପ୍ରଶାସନର ଶୁଭ ଦୃଷ୍ଟି ପଡ଼ି ନାହିଁ। ଏ ସଂପର୍କରେ ସରପଞ୍ଚ ରବୀନ୍ଦ୍ର କୁମାର ସାହୁ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଏହା ତାଙ୍କ ଜ୍ଞ‌ାତସାରରେ ନଥିବା କହିଥିଲେ। ସ୍ଥିତି ଅନୁଧ୍ୟାନ କରାଯାଇ ଯଥାଶୀଘ୍ର ସଂପୃକ୍ତ ପରିବାରକୁ ସହାୟତା କରାଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର