ଛାତ୍ରଙ୍କୁ ଅପହରଣ, ୪୦ ଲକ୍ଷ ମୁଣ୍ଡ ଜାମିନ୍
ନିମାପଡ଼ା : ନିମାପଡ଼ା ଦେବୀ ମଣ୍ଡପ ସାହିରୁ ଗତକାଲି ରାତିରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ଅପହରଣ କରାଯାଇଛି। ଛାତ୍ରଙ୍କୁ ଛାଡ଼ିବା ପାଇଁ ଅପହରଣକାରୀ ପରିବାର ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ଦାବି କରିଛି। ଏ ନେଇ ଛାତ୍ରଙ୍କ ପରିବାର ନିମାପଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଦେବୀମଣ୍ଡପ ସାହିରେ ରହୁଥିବା ଜଣେ ଶିକ୍ଷକଙ୍କ ପୁଅ ଶ୍ରେୟାନ୍ ରଥ ଗତକାଲି ରାତିରେ ଘର ନିକଟକୁ ଟିଉସନ୍ ହେବା ପାଇଁ ସାଇକେଲ୍ରେ ଯାଇଥିଲେ। ମାତ୍ର ରାତି ୧୦ଟା ସୁଦ୍ଧା ସେ ଘରକୁ ନଫେରିବାରୁ ପରିବାର ଲୋକେ ଟିଉସନ୍ ସାରଙ୍କୁ ଫୋନ୍ କରିଥିଲେ। ତେବେ ଶ୍ରେୟାନ୍ ଆଜି ଟିଉସନ୍ ଆସି ନଥିବା ସାର୍ କହିଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ସାହି ଭିତରକୁ ପଶିବା ବାଟରେ ଏକ ପାଚେରି କଡ଼ରେ ଶ୍ରେୟାନ୍ଙ୍କ ସାଇକେଲ୍ ପଡ଼ିଥିବା ଦେଖିବାକୁ ପାଇଥିଲେ। ବିଳମ୍ବିତ ରାତିରେ ଏକ ଅଜଣା ନମ୍ବରରୁ ଜଣେ ବ୍ୟକ୍ତି ପରିବାର ଲୋକଙ୍କୁ ଫୋନ୍ କରି ୪୦ ଲକ୍ଷ ଦେବାକୁ ଦାବି କରିବା ସହ ଟଙ୍କା ଦେଲେ ପୁଅକୁ ଫେରାଇବୁ ବୋଲି କହିଥିଲା। ଅପହୃତ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ତନାଘନା ଚଳାଇଛି।