ସମ୍ବଲପୁର: ସମ୍ବଲପୁର ସହରରେ ଆଜି ସଂଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ରଜଣକ ସ୍କୁଟିରେ ଯାଉଥିଲା ବେଳେ ଟାଉନ୍ ଥାନା ଅଧୀନ ମୁଦିପଡ଼ା ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ବସ୍ଟି ତାଙ୍କୁ ଧକ୍କା ଦେଇ କିଛି ଦୂର ଘୋଷଡ଼ି ନେଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ଛାତ୍ରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଜନତା ବସ୍କୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ପୁଲିସ ଠିକଣା ସମୟରେ ପହଂଚିଯିବାରୁ ଏହା ବିଫଳ ହୋଇଥିଲା। ପ୍ରବଳ ପଥରମାଡ଼, ପାଟିତୁଣ୍ଡ ମଧ୍ୟରେ ପୁଲିସ କୌଣସିମତେ ଉତ୍ତ୍ୟକ୍ତ ଜନତାଙ୍କ ଘେରରୁ ଦୁର୍ଘଟଣା ଘଟାଇଥିବା ବସ୍କୁ ଉଦ୍ଧାର କରି ସହର ବାହାରକୁ ନେଇଯାଇଥିଲା। କ୍ରମଶଃ ଭିନ୍ନମୋଡ଼ ନେଉଥିବା ଉତ୍ତେଜନା ନିୟନ୍ତ୍ରଣକୁ ଆଣିବା ଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଗଣ୍ଡଗୋଳ ସହ ସଂପୃକ୍ତ କିଛି ଯୁବକଙ୍କୁ ପୁଲିସ ଥାନାକୁ ନେଇ ଅଟକ ରଖିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସମ୍ବଲପୁର ଗୁରୁଦ୍ବାର ଛକର ଅରୁଣ ନାୟକଙ୍କ ପୁଅ ଦିଶାନ୍ତ ନାୟକ ଓରଫ ରୋନକ (୧୩) କେନ୍ଦ୍ରୀୟ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ଆଜି ସଂଧ୍ୟା ପ୍ରାୟ ସାଢେ ୭ଟା ସମୟରେ ସ୍କୁଟିରେ ମୁଦିପଡ଼ାରୁ କୁଂଜେଲପଡ଼ା ଆଡ଼କୁ ଯାଉଥିଲା ବେଳେ ମୁଦିପଡ଼ା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ବସ୍ଟି ତାଙ୍କୁ ପଛରୁ ଧକ୍କା ଦେଇ ଘେଶଷାଡ଼ି ନେଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ରୋନକଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଖବର ଶୁଣି ସ୍ଥାନୀୟ ଅଞ୍ଚଳବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରୁ ବସ୍(ଓଡି ୧୧ ବି ୬୬୬୧)ଟି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ କଚେରି ଛକ ନିକଟରେ ଏହାକୁ ଘେରି ଯାଇଥିଲେ। ବସ୍କୁ ଭଙ୍ଗାରୁଜା କରିବା ସମୟରେ ପୁଲିସ ପହଞ୍ଚି ଅଟକାଇଥିଲା। ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲୋକଙ୍କ ଉପରେ ଲାଠିଚାର୍ଜ କରିବା କରିବା ସହ ବସ୍କୁ ଜବତ କରିଥିଲା। ଏକାଧିକ ଲୋକ ଏଥିରେ ଆହତ ହୋଇଥିଲେ। ଇତିମଧ୍ୟରେ ବସ୍କୁ ପୁଲିସ ଚାଉଁରପୁର ବ୍ରିଜ୍ ଦେଇ ବୁର୍ଲା ଥାନାକୁ ନେଇଯାଇଥିଲା। ପରେ ଡାକ୍ତରଖାନା ପରିସରରେ ମୃତଦେହ ପାଖରେ ଉତ୍ତେଜନା ଦେଖାଦେଇଥିଲା। କିଛି ସମୟ ପରେ ଉତ୍ତ୍ୟକ୍ତ ଲୋକେ ଟାଉନ୍ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପୁଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ। ଅତିରିକ୍ତ ଏସ୍ପି ହରେଶ ପାଣ୍ଡେଙ୍କ ସମେତ ସଦର ଏସ୍ଡିପିଓ ବୁଝାସୁଝା କରି ନିରାଶ ହୋଇଥିଲେ।
ଉତ୍ତ୍ୟକ୍ତ ଲୋକେ ପ୍ରଥମେ ଟାଉନ୍ ଥାନା ସମ୍ମୁଖରେ ରାସ୍ତାରୋକ କରିଥିଲେ। କିଛି ସମୟ ପରେ ଲକ୍ଷ୍ମୀଟକିଜ୍ ଛକକୁ ଘେରି ନେଇଥିଲେ। ଗାଡ଼ିମଟର ଚଳାଚଳ ବନ୍ଦ ହୋଇଯାଇଥିଲା। ବସ୍ଟି ସନ୍ଧ୍ୟା ସମୟରେ ସହର ଭିତରକୁ ପ୍ରବେଶ କରିବା ଘଟଣା ପ୍ରତିବାଦରେ ଉତ୍ତେଜନା ବଢ଼ିଥିଲା। ଫଳରେ ପୁଲିସ ପୁଣି ମୃଦୁ ଲାଠିଚାଳନା କରିଥିଲା। ମୁଦିପଡ଼ା ଛକରେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ଘଟାଇଥିବା ବସ୍କୁ ଜବତ କରାଯାଇଥିବା ବେଳେ ଗାଡ଼ି ଚାଳକଙ୍କୁ ଅଟକ ରଖାଯାଇଥିବା ଅତିରିକ୍ତ ଏସ୍ପି ଶ୍ରୀ ପାଣ୍ଡେ କହିଛନ୍ତି। ଅନ୍ୟପଟେ ନ୍ୟାୟ ନ ମିଳିଲେ ଆସନ୍ତାକାଲି ସମ୍ବଲପୁର ବନ୍ଦ କରିବୁ ବୋଲି ଉତ୍ତ୍ୟକ୍ତ ଲୋକେ ଚେତାବନୀ ଦେଇଛନ୍ତି। ଉତ୍ତେଜନା ସ୍ଥଳରୁ ପୁଲିସ କିଛି ଲୋକଙ୍କୁ ଉଠାଇ ନେଇ ଅଟକ ରଖିଥିବା ଜଣାପଡ଼ିଛି।