କିଶୋରନଗର : ବିଦ୍ୟାଳୟ ପଡ଼ିଆରେ କ୍ରିକେଟ୍ ଖେଳୁଥିବାବେଳେ ବଜ୍ରପାତ ହେବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଘୋଷର ଗାଁର ହେମନ୍ତ ସାହୁଙ୍କ ପୁଅ ଚନ୍ଦନ କୁମାର ସାହୁ(୧୨)। ସେ ଘୋଷର ସରକାରୀ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିଲା।
ସୂଚନା ଅନୁସାରେ, ଗୁରୁବାର ଅପରାହ୍ଣ ପ୍ରାୟ ୩ଟା ୪୫ ମିନିଟ୍ ବେଳକୁ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନେ ବିଦ୍ୟାଳୟ ପଡ଼ିଆରେ କ୍ରିକେଟ୍ ଖେଳୁଥିଲେ। ପାଖରେ ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ହଠାତ ବଜ୍ରପାତ ହୋଇଥିଲା। ଏଥିରେ ଚନ୍ଦନ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲା। ଶିକ୍ଷକମାନେ ତାକୁ ଉଦ୍ଧାର କରି କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଲିସ ଏଥିନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରିଥିଲା।
ତେବେ ମୃତଦେହ ବ୍ୟବଛେଦକୁ ନେଇ କିଶୋରନଗରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୁରୁବାର ଦିନ ମୃତଦେହ ବ୍ୟବଛେଦ ହୋଇପାରିବନି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିବା ପରେ ସ୍ଥାନୀୟ ଲୋକେ ରାଗି ଯାଇଥିଲେ। ତୁରନ୍ତ ମୃତଦେହ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଓ କିଶୋରନଗରରେ ବ୍ୟବଛେଦ କେନ୍ଦ୍ର ଖୋଲିବା ଦାବିରେ ଲୋକମାନେ ରାସ୍ତାରୋକ କରିଥିଲେ। ପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/light.jpg)