ତରକେରା ଘାଟରେ ଆଉ ଏକ ଦୁର୍ଘଟଣା, ଛାତ୍ରନେତାଙ୍କ ସଲିଳ ସମାଧି

ସାରନଗରୀ : ଦକ୍ଷିଣ ରାଉରକେଲା ଦେଓଗାଁ ଗାନ୍ଧୀ କଲେଜ ଛାତ୍ରସଂସଦ ସଭାପତି ଚନ୍ଦନ ଦାଶ (୨୨) ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ତରକେରା ଘାଟରେ ନିଜ ବାପାଙ୍କ ସହ ସେ ଗାଧୋଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ଚକ୍ଷୁ ଦାନ କରିଥିବା ଜଣାପଡ଼ିଛି। ଦେଓଗାଁରେ ରହୁଥିବା ଚନ୍ଦନ ଆଜି ତାଙ୍କ ବାପା ସାରଦା ଦାଶଙ୍କ ସହ ତରକେରା ସ୍ଥିତ ବ୍ରାହ୍ମଣୀ ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ବାପା ଲୁଗା ସଫା କରିବା ସମୟରେ ଚନ୍ଦନ ପାଣିରେ ଗାଧୋଉଥିଲେ। ପଥରରେ ଗୋଡ଼ ଖସି ଯିବାରୁ ଚନ୍ଦନଙ୍କ ମୁଣ୍ତରେ ମାଡ଼ ହୋଇଥିଲା। ଆହତ ଅବସ୍ଥାରେ ସେ ପାଣିରେ ବୁଡ଼ିଯାଇଥିଲେ। ତାଙ୍କ ବାପା ପଛକୁ ଚାହିଁବା ବେଳକୁ ଚନ୍ଦନଙ୍କୁ ପାଇ ନ ଥିଲେ। କିଛି ସମୟ ପରେ ଚନ୍ଦନଙ୍କ ଶରୀର ପାଣିରେ ଭାସି ପୁଣି ବୁଡ଼ି ଯାଇଥିଲା। ବହୁ ଚେଷ୍ଟାକରି ସେ ପୁଅର ଜୀବନ ବଞ୍ଚାଇବାରେ ବିଫଳ ହୋଇଥିଲେ। ଚନ୍ଦନଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଲୋକ, କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଭାପତି ଭାବେ ଚନ୍ଦନଙ୍କର କଲେଜରେ ସୁନାମ ଥିଲା। ସେ ପାଠପଢା ସହ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ । ତରକେରା ଘାଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଏହାର ନିରାକରଣ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହେଉ ନ ଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର