ଚିତ୍ରକଳା ଶିକ୍ଷା ନାଁରେ ଛାତ୍ରୀଙ୍କୁ ଅସଦାଚରଣ: ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ

ମାର୍କ ବିଷୟରେ ଖୁସି ମିଜାଜରେ କହିଥିବା କଥାକୁ କଦର୍ଥ କରାଯାଇଛି; କପି କଥା ସମ୍ପୂର୍ଣ୍ଣ ମିଛ: ଅଧ୍ୟକ୍ଷ

ବାଲେଶ୍ବର : ‘ଯିଏ ଆଜି ନାଚିବନି…ତାକୁ ଆସନ୍ତାକାଲି ପରୀକ୍ଷାରେ ୨୦ ମାର୍କ କୁହାହେବନି। ଯିଏ ଯେଉଁ ଅନୁସାରେ ନାଚିବ ତାକୁ ସେହି ଅନୁଯାୟୀ ମାର୍କ ମିଳିବ। ଆଉ ଯିଏ ଅଣ୍ଡରଟେକିଂ ଲେଖିକି ନଦେବ, ପରୀକ୍ଷାରେ ତାକୁ କପି ଦିଆଯିବନାହିଁ। ମୋ କଲେଜ ମୁଁ ଯାହା କରିପାରିବି। ଯୁଆଡ଼େ ଯାଉଛ ଯାଅ, ମୋର କିଏ କ’ଣ କରିବ ମୁଁ ଦେଖିବି।’ ଏ ମନ୍ତବ୍ୟ ଓଡ଼ିଶାର ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ତଥା ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସଙ୍କର ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ ମଧ୍ୟ ଅନେକ ସ୍ପର୍ଶକାତର ଅଭିଯୋଗ ଆଣିଛନ୍ତି ଅଧ୍ୟକ୍ଷଙ୍କ ବିରୋଧରେ। ଚିତ୍ରକଳା ଶିକ୍ଷା ନାଁରେ ଶାରୀରିକ, ମାନସିକ, ଆର୍ଥିକ ନିର୍ଯାତନା ସାଙ୍ଗକୁ କଥା ଅନୁସାରେ ସାଲିସ କଲେ ପରୀକ୍ଷାରେ ପାସ୍‌ କରାଇ ଦେବାଭଳି ମିଛ ପ୍ରତିଶ୍ରୁତି ଦିଆଯାଉଥିବା ସଙ୍ଗିନ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ।

କଲେଜର କିଛି ଛାତ୍ରଛାତ୍ରୀଙ୍କ ଅଭିଯୋଗ ଯେ, ସେମାନଙ୍କୁ କଲେଜ ପରିସରରେ ଶାରୀରିକ, ମାନସିକ ନିର୍ଯାତନା ଦିଆଯାଉଛି। ଏକ୍ସଟ୍ରା କ୍ଲାସ୍‌ ନାଁରେ ଘରକୁ ଡାକି ଯୌନ ଶୋଷଣ, ଅସଦାଚରଣ କରିବାକୁ ମଧ୍ୟ ଉଦ୍ୟମ ହୋଇଛି। କଲେଜରେ ହୋଲି ପର୍ବ ମନାଇବା ବେଳେ ଏକ ଭିଡିଓ ଫୁଟେଜ୍‌କୁ ପ୍ରମାଣ ଭାବେ ଦର୍ଶାଇଛନ୍ତି ଛାତ୍ରଛାତ୍ରୀ। ହୋଲି ପରଦିନ ପିଲାଙ୍କର ପରୀକ୍ଷା ଥିବାବେଳେ ସେମାନେ ଅଳ୍ପ ସମୟ ରଙ୍ଗ ଖେଳି ନିଜ ନିଜ ‌ହଷ୍ଟେଲକୁ ଫେରିଯିବାକୁ ଚାହିଁଥିଲେ। ହେଲେ ଅଧ୍ୟକ୍ଷ ଜିଦ୍‌ ଧରି ଛାତ୍ରୀମାନଙ୍କୁ କହିଥିଲେ, ଯିଏ ଏବେ ହୋଲି ନ ଖେଳିବ ବା ନାଚିବନି ତାକୁ ଆସନ୍ତାକାଲି ପରୀକ୍ଷାରେ କୌଣସି ପ୍ରକାର ସହଯୋଗ କରାଯିବନାହିଁ। ସେହିପରି କିଛି ଛାତ୍ରଛାତ୍ରୀ କଲେଜର ଅବ୍ୟବସ୍ଥାକୁ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣି ନିରାଶ ହେବାପରେ ସେମାନେ ଅନ୍ୟ କଲେଜରେ ପଢ଼ିବା ପାଇଁ ଚାହିଁଥିଲେ। କିନ୍ତୁ ସେଥିରେ ବି ବାଧକ ସାଜିଥିଲେ ଅଧ୍ୟକ୍ଷ। କଲେଜରେ ପଢ଼ିବାକୁ ବାଧ୍ୟ କରି ଅଣ୍ଡରଟେକିଂ ଲେଖିବାକୁ କହିଥିଲେ। ଏମିତିକି ଯେଉଁମାନେ ଅଣ୍ଡର‌ଟେକିଂ ଲେଖିକି ନଦେବେ ସେମାନଙ୍କୁ ପରୀକ୍ଷାବେଳେ ଆଦୌ କପି ଦିଆଯିବ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ କଲେଜ ଅଧ୍ୟକ୍ଷ ନିକୁଞ୍ଜବିହାରୀ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି, ନିର୍ଦ୍ଦିଷ୍ଟ କେତେଜଣ ପିଲା ସେମାନଙ୍କର ସାର୍ଟିଫିକେଟକୁ ନେଇ ଯାହା ଅଭିଯୋଗ ଆଣିଛନ୍ତି, ସେଗୁଡ଼ିକ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାବାଦ୍‌ ପିଲାମାନଙ୍କୁ ନ ନାଚିଲେ ମାର୍କ ମିଳିବନି କିମ୍ବା ଯିଏ ନାଚିବ ତାକୁ ଭଲ ମାର୍କ ଦିଆଯିବ ବୋଲି ଯାହା କୁହାଯାଉଛି ତାହା ହୋଲି ସମୟରେ ଗୋଟିଏ ଖୁସିମିଜାଜ୍ ସମୟରେ କୁହାଯାଇଥିଲା। କିନ୍ତୁ ଅଣ୍ଡରଟେକିଂ ଲେଖିକି ନଦେଲେ ପରୀକ୍ଷା ବେଳେ କପି ଯୋଗାଇ ଦିଆଯିବନି, ଏମିତି ମନ୍ତବ୍ୟ ମୁଁ କେବେ କାହାରିକୁ ଦେଇନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର