ଛାତ୍ରୀ ଅସଦାଚରଣ: ଆଇଟିଆଇ ଅଧ୍ୟାପକ ବହିଷ୍କୃତ

 ଉତ୍ତେଜନା, ଟାୟାର୍ ଜାଳି ମୁଖ୍ୟ ଫାଟକରେ ତାଲା

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟ ପୋଚିଲିମା ଆଇଟିଆଇ ଅନୁଷ୍ଠାନର ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିଛି। ଏ ଘଟଣା ପଦାକୁ ଆସିବା ପରେ ଆଜି ଆଇଟିଆଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଛାତ୍ରଙ୍କ ମନରେ ବହୁ ଦିନ ଧରି କୁହୁଳୁଥିବା ଅସନ୍ତୋଷ ଆଜି ଉଗ୍ର ରୂପ ନେଇଥିଲା। ସଂପୃକ୍ତ ଅଧ୍ୟାପକଙ୍କ ବିରୋଧ‌ରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀ ବିକ୍ଷୋଭ କରିବା ସହ ଟାୟାର୍ ଜାଳି ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ପରିସ୍ଥିତି ଅଶାନ୍ତ ହୋଇ ଉଠିଥିଲା। ଶେଷରେ କଲେଜ ଅଧ୍ୟକ୍ଷ ଅମୂଲ୍ୟ ପଣ୍ଡା ଓ ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ପରେ ସବୁ ଦିଗକୁ ଅନୁଧ୍ୟାନ କରି ସଂପୃକ୍ତ ଅଧ୍ୟାପକ ଚନ୍ଦ୍ରକାନ୍ତ ଚାନ୍ଦୁଆଙ୍କୁ ଚାକିରିରୁ ବହିଷ୍କାର କରା ଯାଇଥିବା ଅଧ୍ୟକ୍ଷ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।
ଇଲେକ୍ଟ୍ରିସିଆନ୍ ଟ୍ରେଡ୍ ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଉଛି, ଅଧ୍ୟାପକ ଚନ୍ଦ୍ରକାନ୍ତ କୋଭିଡ୍ ସମୟରେ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ସତ୍ତ୍ବେ ପ୍ରତି ଛାତ୍ରଛାତ୍ରୀଙ୍କଠୁ କଳେଜ ଫି’ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚ ନେଉଥିଲେ। ଏପରିକି ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅସଦାଚରଣ କରିଆସୁଥିଲେ। ବାରମ୍ବାର ଏନେଇ ଅଧ୍ୟକ୍ଷଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳୁ ନଥିଲା।
ଫଳରେ ଏହାର ପ୍ରତିବାଦରେ ଆଜି ଶତାଧିକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଫାଟକରେ ଟାୟାର୍ ଜାଳିଥିଲେ। ପରିସ୍ଥିତି ଅଶାନ୍ତ ହେବାରୁ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଓ ହିଞ୍ଜିଳି ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ତଥାପି ଛାତ୍ରଛାତ୍ରୀ ନିଜ ଜିଦ୍‌ରେ ଅଟଳ ରହିଲେ। ଅଧ୍ୟାପକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ, ଛାତ୍ରୀ ହଷ୍ଟେଲ୍ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏଭଳି ସମ୍ବେଦନଶୀଳ ଅଭିଯୋଗକୁ ଗୁରୁତ୍ବର ସହ ବିଚାରରେ ନିଆ ଯାଇଥିଲା। ସଂଗେ ସଂଗେ ଚନ୍ଦ୍ରକାନ୍ତଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ଅଧ୍ୟକ୍ଷ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହି ଟିମରେ ସିଡିପିଓ ଓ ତହସିଲଦାର ଥିବା ଜଣାପଡ଼ିଛି। ତେବେ ଅଧ୍ୟାପକ ଚନ୍ଦ୍ରକାନ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ସମ୍ବନ୍ଧିତ ଖବର