ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ଣରେ ଘଟିଛି ଏକ ଅଘଟଣ । ପାଣି ସୁଅରେ ଭାସିଯାଇ ଟ୍ୟୁସନ ପଢ଼ିବାକୁ ଯାଉଥିବା ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି । ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀର । ପ୍ରବଳ ବର୍ଷା ପରେ ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡିଯିବାରୁ ଭାସି ଯାଇଛନ୍ତି ଛାତ୍ର ଜଣକ। ଖୋଜାଖୋଜି ଚାଲିଥିଲେ ବି ଏଯାଏଁ ଛାତ୍ରଙ୍କୁ ଠାବ କରାଯାଇପାରିନି । ଛାତ୍ରଙ୍କୁ ଠାବ କରିବାକୁ ପୋଲିସ ଓ ଅଗ୍ନିଶମବାହିନୀ ପ୍ରୟାସ ଜାରି ରଖିଛନ୍ତି ।
ଡ୍ରେନରେ ଭାସିଯାଇଥିବା ଛାତ୍ରଙ୍କ ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ । ଛାତ୍ର ଜଣକ ସାଇକେଲରେ ଫେରୁଥିବା ବେଳେ ଡ୍ରେନ ସୁଅରେ ପଡି ନାଳରେ ଭାସିଯାଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବାମୁତାବକ ଛାତ୍ର ଜଣକ ଡ୍ରେନ ପାଖ ଦେଇ ଆସୁଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା । ଫଳରେ ସେ ଡ୍ରେନରେ ପଡି ଭାସିଯାଇଥିଲେ ।
ଜଣେ ଯୁବକଙ୍କ କହିବାନୁସାରେ ଛାତ୍ର ଜଣକ ଡ୍ରେନରେ ପଡି ସାହାଯ୍ୟ ପାଇଁ ହାତ ଦେଖାଉଥିଲେ । ସେହି ସମୟରେ ଯୁବକ ଜଣକ ଡ୍ରେନକୁ ଡିଆଁ ମାରିଥିଲେ । ହେଲେ ସୁଅ ଅଧିକ ଥିବାରୁ ଛାତ୍ର ଜଣକ ଡ୍ରେନରେ ଭାସି ଯାଇଥିଲେ । ତେଣୁ ସେମାନେ ଛାତ୍ରକୁ ବହୁ ଖୋଜାଖୋଜି କରିଥିଲେ ହେଲେ ତାର କୌଣସି ପତ୍ତା ପାଇ ନଥିଲେ ।
ଘଟଣା ସଂପର୍କରେ ଅବଗତ ହେବାପରେ ମନ୍ତ୍ରୀ ତଥା ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ପଣ୍ଡା ଏବଂ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ଅଘଟଣ ପରେ ଭୁବନେଶ୍ୱର ମହାନଗର ନିଗମର କମିସନରଙ୍କ ବିରୁଦ୍ଧରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବାବୁସିଂ ଙ୍କ ନେତୃତ୍ୱରେ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/2e.jpg)