ସମ୍ବଲପୁର: ଶିକ୍ଷୟିତ୍ରୀ ମା’ ଜ୍ୟୋତ୍ସ୍ନାରାଣୀ ଦାଶ (୫୫) ଓ ତାଙ୍କ ବିବାହିତ ପୁଅ ସୁଧୀର ପଣ୍ଡା (୩୦) ଏକ ସଂଗରେ ଆତ୍ମହତ୍ୟା କରିଛନ୍ତି। ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନ ଟାଙ୍ଗରପାଲିରେ ଏହି ଅଭା‌ବନୀୟ ଘଟଣା ଘଟିଛି। ଘଟଣା ଉପରୁ ପରଦା ଉଠିନଥିଲେ ମଧ୍ୟ ପାରିବାରିକ କଳହ ବୋଲି ସନ୍ଦେହ କରାଯାଉଛି। ବୋହୂ ଓ ୭ ମାସର ନାତୁଣି ଘରେଅନୁପସ୍ଥିତ ଥିବା ସମୟରେ ଜ୍ୟୋତ୍ସ୍ନାରାଣୀ ଓ ବଡ଼ପୁଅ ସୁଧୀର ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବହୁ ବର୍ଷ ତଳେ ଜ୍ୟୋତ୍ସ୍ନାରାଣୀଙ୍କ ସ୍ବାମୀ ଭବାନୀଶଙ୍କର ପଣ୍ଡା ଏବଂ ଦେଢ଼ବର୍ଷ ତଳେ ସାନପୁଅ ସମୀର ମଧ୍ୟ ଆତ୍ମହତ୍ୟା କରିଥିଲେ।

Advertisment

ଝାରସୁଗୁଡ଼ା ଜିଲ୍ଲାର ମୂଳନିବାସୀ ଜ୍ୟୋତ୍ସ୍ନାରାଣୀ ଦାଶ ଗମ୍ଭାରକଣ୍ଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଥିଲେ। ପୁଅ ସୁଧୀର କିଛି କାମଧନ୍ଦା କରୁ ନଥିଲେ। ଉଭୟଙ୍କୁ ୨ ଦିନ ହେଲା କେହି ଦେଖି ନ ଥିଲେ। ଘରେ କାମ କରୁଥିବା ଜଣେ ଯୁବତୀ ବର୍ଷା ମୁଣ୍ଡା ଆଜି ସକାଳେ ଆସିବା ପରେ ଘଟଣାପଦାକୁ ଆସିଥିଲା। ବର୍ଷା ରବିବାର ଦିନ କାମକୁ ଆସିନଥିଲେ। ସୋମବାର ଦିନ କାମକୁ ଆସି ପ୍ରତିଦିନ ଭଳି ଭିତରପଟରୁ ଦିଆଯାଇଥିବା ଲକ୍‌କୁ ନିଜେ ଫିଟାଇବା ପରେ ଘରକୁ ପଶିଥିଲେ। ଏହାପରେ ଘର ଭିତର ଦୃଶ୍ୟ ଦେଖି ସେ ହତବାକ ହୋଇଯାଇଥିଲେ।

ଜ୍ୟୋତ୍ସ୍ନାରାଣୀଙ୍କ ଶବ ଗୋଟିଏ କୋଠାରୀରେ ଓ ସୁଧୀରଙ୍କ ଶବ ଡାଇନିଂ ରୁମ୍‌ରେ ଲାଗିଥିବା ପଙ୍ଖାରେ ଝୁଲୁଥିଲ‌ା। ମା’ ଓ ପୁଅଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ନିଜ ଘରକୁ ଫେରି ବର୍ଷା ପରିବାର ଲୋକଙ୍କୁ କହିବା ପରେ ସେମାନେ ଆସି ଜ୍ୟୋତ୍ସ୍ନାରାଣୀଙ୍କ ପଡ଼ୋଶୀମାନଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଂଚି ଥିଲା। ବାପଘର ରାଉରକେଲାରେ ଥିବା ସୁଧୀରଙ୍କ ସ୍ତ୍ରୀଙ୍କୁ ପୁଲିସ ସୂଚନା ଦେଇଥିଲ। ସୁଧୀରଙ୍କ ସ୍ତ୍ରୀ ଓ ତାଙ୍କ ବାପଘର ଲୋକେ ଆଜି ୧୧ଟା ୫୦ରେ ପହଂଚିବା ପରେ ଘରର କବାଟ ଖୋଲାଯାଇଥିଲା। ସାଇଣ୍ଟିଫିକ୍‌ ଟିମ୍‌ ପହଂଚି ଅନୁସନ୍ଧାନ କରିବା ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମା’ ଓ ପୁଅଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଥିଲା। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ବି ପାରିବାରିକ କଳହ ଯୋଗୁଁ ଏଭଳି ଘଟିଥିବା କହାଯାଉଛି। ମା ଓ ପୁଅଙ୍କ ମଧ୍ୟରେ କୌଣସି ବିବାଦ ହେବାରୁ ଜଣକ ପରେ ଜଣେ ବେକାର ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କିମ୍ବା ସୁଧୀର ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ କାରଣରୁ ମା ଓ ପୁଅ ମିଶି ଏକା ସଙ୍ଗରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି। ତେବେ, ସୁଧୀରଙ୍କ ଶ୍ବଶୁର ହରିହର ପଣ୍ଡା କୌଣସି ବିବାଦ ନଥିବା କହିଛନ୍ତି।