ଛାତ୍ର ଆନ୍ଦୋଳନରୁ ଟଙ୍କିକିଆ କ୍ଲିନିକ୍‌ ଯାଏ, ଉଦାହରଣ ପାଲଟିଛନ୍ତି ରାମଚନ୍ଦାନୀ

ପ୍ରଶଂସାରେ ପୋତିଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : ବୁର୍ଲାର ଚର୍ଚ୍ଚିତ ଯୁବ ଡାକ୍ତର ଶଂକର ରାମଚନ୍ଦାନୀଙ୍କୁ ପ୍ରଶଂସାରେ ପୋତିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମାନବତା ପାଇଁ ସେ କରୁଥିବା ମହାନ କାର୍ଯ୍ୟ ସବୁ ପ୍ରଶଂସାର ହକ୍‌ଦାର। ବ୍ୟକ୍ତିଗତ ପ୍ରୟାସରେ କିଭଳି ଭିନ୍ନ କିଛି କରି ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣି ହୁଏ, ଡା. ରାମଚନ୍ଦାନୀଙ୍କ ୧ ଟଙ୍କିଆ କ୍ଲିନିକ୍ ତାର ଶ୍ରେଷ୍ଠ ଉଦାହରଣ ବୋଲି ଧର୍ମେନ୍ଦ୍ର ଟ୍ବିଟ୍‌ କରିଛନ୍ତି। ଜାତୀୟ ଇଂରାଜୀ ଦୈନିକ ‘ଟାଇମ୍‌ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟରେ ଦେଶର ସେଭଳି ୫ ଜଣ ଡାକ୍ତରଙ୍କ ବିଷୟରେ ପ୍ରକାଶ ପାଇଛି ଯେଉଁ ମାନେ ଏକ କପ୍ ଚାର ମୂଲ୍ୟଠୁ କମ୍‌ ଦାମ୍‌ରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଏଥିରେ ବିଭିନ୍ନ ପ୍ରଦେଶର ଅନ୍ୟ ୪ ଜଣ ଡାକ୍ତରଙ୍କ ସହ ସ୍ଥାନ ପାଇଛନ୍ତି ଭିମସାର୍‌, ବୁର୍ଲାର ଆସିଷ୍ଟାଣ୍ଟ ପ୍ରଫେସର୍ ଡା. ରାମଚନ୍ଦାନୀ। ମେଡିକାଲ୍ କଲେଜ୍‌ରେ ନିଜ ପୂର୍ଣ୍ଣ ସମୟ ଚାକିରି ପରେ ସମୟ ବାହାର କରି ସେ ସକାଳେ ଓ ସଂଧ୍ୟାରେ ୧ ଟଙ୍କା ଫି ନେଇ ରୋଗୀ ସେବା କରୁଥିବା କଥା ଏଥିରେ ଉଲ୍ଲେଖ କରାଯାଇଛି।

ଦେଶବିଦେଶର ବହୁ ଗଣମାଧ୍ୟମ ଓ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଶଂସା ଭାଜନ ହୋଇ ଆସିଛନ୍ତି ରାମଚନ୍ଦାନୀ। କିଛି ଦିନ ହେଲା ସେ ଖୋଲିଥିବା ଟଙ୍କିକିଆ କ୍ଲିନିକ୍ ବିଭିନ୍ନ ଖବର କାଗଜର ଶିରୋନାମା ମଣ୍ଡନ କରୁଥିବା ବେଳେ ତାଙ୍କ କାର୍ଯ୍ୟର ତାଲିକା କିନ୍ତୁ ଏତିକିରେ ସୀମିତ ନୁହେଁ। ୨୦୧୬ ମସିହାର କଥା। ତାଙ୍କ ନେତୃତ୍ବରେ ଭିମ୍‌ସାର୍‌ରେ ଆରମ୍ଭ ହୋଇଥିଲା ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ। ଏହି ଆନ୍ଦୋଳନ ଏମିତି ଥିଲା ଯେ ରୋଗୀ, ଡାକ୍ତର, ଅନୁଷ୍ଠାନ କର୍ତ୍ତୃପକ୍ଷ, ସହର ଓ ରାଜ୍ୟବାସୀଙ୍କ ସମେତ ଖୋଦ୍ ରାଜ୍ୟ ସରକାର ବି ଏହାର ପ୍ରଶଂସା କରିଥିଲେ। ଗୋଟିଗୋଟି କରି ଡାକ୍ତରୀ ଛାତ୍ରଙ୍କ ପ୍ରାୟ ସବୁ ଦାବି ପୂରଣ ହୋଇଥିଲା। କାରଣ ସେମାନେ ନିଜ ପାଇଁ କିଛି ଦାବି କରି ନଥିଲେ। ତାଙ୍କ ଦାବି ଥିଲା ଗରିବ ରୋଗୀଙ୍କ ହିତ ପାଇଁ। ବୁର୍ଲାରେ ଏମ୍‌ଆର୍‌ଆଇ ମେସିନ୍ ସ୍ଥାପନ ତାଙ୍କର ପ୍ରଥମ ଦାବି ଥିଲା ଯାହା ୩ ମାସ ମଧ୍ୟରେ ପୂରଣ ହୋଇଥିଲା। କନିଷ୍ଠ ଡାକ୍ତର ସଂଘ (ଜେଡିଏ)ର ସଭାପତି ଭାବେ ଏହି ଆନ୍ଦୋଳନର ନେତୃତ୍ବ ନେଇଥିବା ଡା. ରାମଚନ୍ଦାନୀ ସେହି ଦିନଠୁ କେବଳ ବୁର୍ଲା କି ସମ୍ବଲପୁର ନୁହେଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଏକ ଚିହ୍ନା ମୁହଁ ପାଲଟି ଯାଇଥିଲେ।

ବୁର୍ଲାରେ ଏମ୍‌ବିବିଏସ୍‌ ଓ ପିଜି ପାଠ ପଢ଼ିବା, ଏସ୍‌ଆର୍‌ ଭାବେ କାର୍ଯ୍ୟ କରିବା ପରେ ଏବେ ଆସିଷ୍ଟାଣ୍ଟ ପ୍ରଫେସର୍ ଭାବେ ଯୋଗ ଦେଇଛନ୍ତି ରାମଚନ୍ଦାନୀ। କେବେ ରାସ୍ତାରେ ପଡ଼ିଥିବା ଅସହାୟ ରୋଗୀଙ୍କୁ ଉଠାଇ ଆଣି ଚିକିତ୍ସା କରିବା ତ କେବେ ଡାକ୍ତରଖାନାରୁ ଯିବାକୁ ଟଙ୍କା ନଥିବା ରୋଗୀଙ୍କୁ ନେଇ ଘରେ ଛାଡ଼ିବା। କେତେବେଳେ ରାସ୍ତା ପାରି ହୋଇ ପାରୁ ନଥିବା ବୃଦ୍ଧ କୁଷ୍ଠରୋଗୀଙ୍କୁ ବୋହି ନେଇ ଆର କଡ଼େ ପହଞ୍ଚାଇବା ତ କେବେ କରୋନା ରୋଗୀଙ୍କୁ ନିଜ ଗାଡ଼ିରେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିବା। ଡା. ରାମଚନ୍ଦାନୀଙ୍କ ସେବା କାର୍ଯ୍ୟର ତାଲିକା ବହୁତ ଲମ୍ବା। ରୁପାଲି ହେଉ କି ରୋହନ୍ ଅନେକ ଗରିବ ଅସହାୟ ପିଲାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ରାମଚନ୍ଦାନୀ।

ସମ୍ବନ୍ଧିତ ଖବର