ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ୬ ବର୍ଷ ପରେ ପୁଣି କ୍ରାଇମ୍‌ବ୍ରାଞ୍ଚର ମନେପଡ଼ିଲା

ଗଞ୍ଜାମ : ଗଞ୍ଜାମ ବ୍ଲକ୍ ଅଧୀନ ଉମୁରିଧର୍ମଶରଣପୁରର କଲେଜ ଛାତ୍ରୀ କିରଣୀ ପ୍ରଧାନଙ୍କୁ ୨୦୧୪ ମସିହାରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ରାଜ୍ୟ ସରକାର ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ୍‌କୁ ଦେଇଥିଲେ। ହେଲେ ଏ ଯାଏ ଜଣେ ବି ଅଭିଯୁକ୍ତ ଧରାପଡ଼ି ନାହାନ୍ତି। ୬ ବର୍ଷ ତଳୁ ଏହାର ତଦନ୍ତ ଶିଥିଳ ପଡ଼ି ଯାଇଥିଲା ଓ ଫାଇଲ୍‌ରେ ଧୂଳି ଜମି ରହିଥିଲା। ଏବେ ପୁଣି କ୍ରାଇମବ୍ରାଞ୍ଚ୍‌କୁ କିରଣୀ ମାମଲା କଥା ମନେପଡ଼ିଛି। ଶନିବାର ଦିନ ହଠାତ୍ କ୍ରାଇମବ୍ରାଞ୍ଚ୍‌ର ୩ ଜଣିଆ ଟିମ୍ ପହଞ୍ଚି ଦେଢ଼ଘଣ୍ଟା କାଳ ଛାନଭିନ୍ କରି ଫେରିଛନ୍ତି।

କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳ ତଥା ଉମୁରିଧର୍ମଶରଣପୁରରେ ଥିବା ପଥରକ୍ବାରିକୁ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ। ଏଥିସହିତ ଘଟଣା ପରେ ଯେଉଁମାନଙ୍କୁ ପଚରାଉଚରା କରାଯାଇଥିଲା ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୁଣି ଜେରା କରିଥିବା ଜଣାପଡ଼ିଛି।

ତେବେ, ଏହି ଟିମ୍ କେଉଁ ସବୁ ତଥ୍ୟ ସଂଗ୍ରହ କରିଛି ତାହା ଏଯାବତ୍ ସ୍ପଷ୍ଟ ହୋଇପାରିନି। କିରଣୀଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଭଉଣୀ ସଂଘର୍ଷ କରିବା ସହ ପୁଲିସ ପ୍ରଶାସନ, କ୍ରାଇମବ୍ରାଞ୍ଚ୍‌ ମୁଖ୍ୟାଳୟ ଓ ମାନବାଧିକାର କମିସନଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଥକିଯାଇଥିଲେ। ଶେଷରେ ସେ ବି ୪ ବର୍ଷ ତଳେ ଆଖି ବୁଜିଥିଲେ।

ବର୍ତ୍ତମାନ ପୁଣିଥରେ କିରଣୀ ହତ୍ୟା ତଦନ୍ତ ଫାଇଲ୍ ଖୋଲିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ଏହି ଲୋମହର୍ଷଣକାରୀ ଘଟଣା ଆଜି ପର୍ଯ୍ୟନ୍ତ ଜିଲ୍ଲାବାସୀଙ୍କ ସ୍ମୃତିରେ ତାଜା ହୋଇ ରହିଛି।

ଉଲ୍ଲେଖଯୋଗ୍ୟ, ଉମୁରିଧର୍ମଶରଣପୁର ଗ୍ରାମ ମୂଳବାସିନ୍ଦା ତଥା ସହିଦ୍‌ ଭଗତ ସିଂ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢ଼ୁଥିବା ଛାତ୍ରୀ କିରଣୀ ଅନାଥ ଥିଲେ।

ସମ୍ବନ୍ଧିତ ଖବର