ପର୍ଜଙ୍ଗ/କାମାକ୍ଷାନଗର : ଟଙ୍କା ପାଇଁ ରକ୍ତ ସମ୍ପର୍କକୁ ଭୁଲିଗଲା ଭାଇ। ମୁଣ୍ଡ ଜାମିନ୍ ୫ ଲକ୍ଷ ଟଙ୍କା ନ ମିଳିବାରୁ ବଡ଼ ବାପା ପୁଅ ଭାଇ ସାଜିଲା ସୈତାନ। ତଣ୍ଟି ଚିପି ୮ ବର୍ଷର ଦାଦା ପୁଅ ଭାଇକୁ ହତ୍ୟା କଲା, ଧାନଭାଡ଼ି ତଳେ ଶବକୁ ଲୁଚାଇ ଗାଁ ଦାଣ୍ଡରେ କଲା କିଛି ନ ଜାଣିବାର ନାଟକବାଜି। ତେବେ ପୁଲିସ ତଦନ୍ତରୁ ଏହି ଘଟଣା ଉପରୁ ପରଦା ଉଠିଛି। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ମୁକ୍ତାପଶି ଗାଁରେ ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରବୀଣ କୁମାର ସାହୁକୁ ଅପହରଣ ଓ ହତ୍ୟା ଘଟଣାରେ ପୁଲିସ ପ୍ରବୀଣର ବଡ଼ ବାପା ରୁଦ୍ରନାରାୟଣ ସାହୁଙ୍କ ପୁଅ ସତ୍ୟସ୍ୱପ୍ନା ସାହୁ (୨୫) ଓରଫ୍ ବାପୁନ୍କୁ ଗିରଫ କରିଛି। ପ୍ରବୀଣର ମୃତ ଦେହକୁ ଏକ ଧାନଭାଡ଼ି ତଳୁ ଜବତ କରିଛି।
ପୁଲିସର କହିବା ଅନୁସାରେ, ମୁକ୍ତାପଶି ଗାଁର ପ୍ରଦୀପ କୁମାର ସାହୁଙ୍କ ପୁଅ ପ୍ରବୀଣ (୮) ଗୁରୁବାର ଦିନ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରକୁ ପରୀକ୍ଷା ଦେବାକୁ ଯାଇଥିଲା। ସ୍କୁଲ୍ରୁୁ ଫେରିବା ପରେ ମଧ୍ୟାହ୍ନରେ ଗାଁ ଦାଣ୍ଡରେ ଏକୁଟିଆ ଖେଳୁଥିବା ଦେଖି ଅଭିଯୁକ୍ତ ବାପୁନ୍ ତାକୁ ଡାକି ନେଇ ଏକ ଘରେ ଲୁଚାଇ ରଖିଥିଲା। ଏହାପରେ ତାଳଚେରରେ କୋଇଲା ବ୍ୟବସାୟ କରୁଥିବା ପ୍ରବୀଣଙ୍କ ବାପା ପ୍ରଦୀପଙ୍କୁ ମୋବାଇଲରେ ମେସେଜ୍ ପଠାଇ ତମ ପୁଅକୁ ଅପହରଣ କରାଯାଇଛି, ନଗଦ ୫ ଲକ୍ଷ ଟଙ୍କା ଏବଂ ସୁନାଗହଣା ନ ଦେଲେ ଜୀବନରେ ମାରି ଦେବି ବୋଲି ଧମକ ଦେଇଥିଲା। ଚାବି ଲାଗିଥିବା ଏକ ବାଇକ୍ ଡିକିରେ ସୁନା ଓ ଟଙ୍କା ଭର୍ତ୍ତି କରି ପ୍ରବୀଣର ଘର ସାମ୍ନାରେ ଗାଡ଼ି ରଖିବାକୁ ନିର୍ଦେଶ ଦେଇଥିଲା। ପୁଲିସକୁ କହିଲେ ପୁଅକୁ ତୁରନ୍ତ ଜୀବନରେ ମାରି ଦେବାକୁ ଧମକ ବି ଦେଇଥିଲା। ଘର ସାମ୍ନାରେ ଏସବୁ କାଣ୍ଡ ଘଟିଯାଉଥିଲେ ବି ପ୍ରଦୀପଙ୍କ ପରିବାର ଲୋକେ ଘଟଣା ସଂପର୍କରେ ସାମାନ୍ୟତମ ସୁରାକ୍ ପାଇନଥିଲେ।
ଏପଟେ ପୁଅକୁ ବଞ୍ଚାଇବା ପାଇଁ ଟଙ୍କା ଯୋଗାଡ଼ରେ ଲାଗି ପଡ଼ିଥିଲେ ପ୍ରବୀଣଙ୍କ ବାପା ପ୍ରଦୀପ। ହେଲେ ଅଭିଯୁକ୍ତ ବାପୁନ୍ ଟଙ୍କା ଯୋଗାଡ଼ ପର୍ଯ୍ୟନ୍ତ ବି ଅପେକ୍ଷା କଲାନି। ଅପହରଣର କିଛି ସମୟ ପରେ ପ୍ରବୀଣ ବିକଳ ହୋଇ କାନ୍ଦିବାରୁ ଧରାପଡ଼ିଯିବା ଭୟରେ ଏକ କେବୁଲ୍ ତାରରେ ତା’ ତଣ୍ଟି ଚିପି ବାପୁନ ହତ୍ୟା କରିଥିଲା ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ପରେ ବସ୍ତାରେ ମୃତ ଦେହକୁ ଭର୍ତ୍ତି କରି ଧାନଭାଡ଼ି ତଳେ ଲୁଚାଇ ଦେଇଥିଲା। ଏହାପରେ ପ୍ରବୀଣର ପରିବାର ଲୋକଙ୍କ ସହିତ ମିଶି ଖୋଜାଖୋଜିର ଏମିତି ନାଟକବାଜି କରିଥିଲା ଯେ କେହି ତାକୁ ସନ୍ଦେହ ବି କରିନଥିଲେ।
ତେବେ ଘଟଣା ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମେସେଜ୍ ଆସିଥିବା ମୋବାଇଲ ଫୋନ୍ ଟ୍ରାକିଂ କରି ଅଭିଯୁକ୍ତ ପାଖରେ ପହଞ୍ଚି ଯାଇଥିଲା। ପଚରାଉଚରା ବେଳେ ପ୍ରଥମେ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ ବି ପରେ ସବୁ ସତ ମାନି ଯାଇଥିଲା ବାପୁନ୍।