ପୂର୍ବ ଶତ୍ରୁତାରୁ ଛାତ୍ରଙ୍କୁ ହତ୍ୟା

ରାୟଗଡା : ରାୟଗଡା ସହରରେ ଗତକାଲି ବିଳମ୍ବିତ ରାତିରେ ଜଣେ କଲେଜ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଛାତ୍ରଙ୍କ ନାମ ଏମ୍. ସୁରେଶ କୁମାର (୧୮)। ସୁରେଶ ରାୟଗଡା ସ୍ବଂୟ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ‌ଦୁଇ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ସିସିଟିଭି ଫୁଟେଜ୍ ସମେତ, ମୋବାଇଲ୍ କଲ୍ ରେକର୍ଡକୁ ଆଧାର କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ଏସପି ଶର୍ବଣା ବିବେକ ଏମଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇଛି।

ରାୟଗଡା କସ୍ତୁରୀ ନଗର ଷଷ୍ଠ ଲାଇନରେ ରୁହନ୍ତି ଏମ୍. ସୁରେଶ କୁମାର। ଗତକାଲି ରାତ୍ରି ଭୋଜନ ସାରିବା ପରେ ସାହି ନିକଟକୁ ମା’ ମଝିଘରିଆଣୀଙ୍କ ଘଣ୍ଟଯାତ୍ରା ଦେଖିବାକୁ ଯିବା କହି ସୁରେଶ ଘରୁ ବାହାରି ଆସିଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେ। ସକାଳୁ ସୁରେଶଙ୍କ ମୃତଦେହ କସ୍ତୁରୀ ନଗର ପ୍ରଥମ ଲାଇନରେ ଥିବା ଏକ ମାକ‌େର୍ଟ୍ କଂପ୍ଲେକ୍ସ ସମ୍ମୁଖରେ ପଡିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଟାଉନ୍ ଥାନା ପୁଲିସକୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ। ଏସପି ଡା. ଶର୍ବଣା ବିବେକ ଏମ୍, ଏସଡିପିଓ ତପନ ନାରାୟଣ ରଥ, ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ସୁରେଶଙ୍କ ମୁଣ୍ଡ, କାନ ଓ ଗୋଡରେ ଗଭୀର ଆଘାତ ଲାଗିଛି। ଦୁର୍ବୃତ୍ତମାନେ ଲୁହାରଡରେ ସୁରେଶଙ୍କୁ ଆକ୍ରମଣ କରି ହତ୍ୟା କରିବା ପରେ ମୃତଦେହକୁ ଫୋପାଡି ଚାଲି ଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ୍ ଅନୁମାନ କରିଛି। ଘଟଣା ପଛରେ ପୂର୍ବ ଶତ୍ରୁତା ହିଁ ମୁଖ୍ୟ କାରଣ ବୋଲି ପୁଲିସ୍ ଜାଣିବାକୁ ପାଇଛି। ହତ୍ୟାକାଣ୍ଡକୁ ନେଇ ସକାଳେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ଉତ୍ତେଜନା ଥମିଥିଲା।

ସମ୍ବନ୍ଧିତ ଖବର