କେନ୍ଦୁଝର: ସ୍ବପ୍ନ ଥିଲା ପାଠପଢ଼ି ବଡ଼ଲୋକ ହେବ। ହେଲେ ସ୍ବପ୍ନ ସାକାର ହେବା ପୂର୍ବରୁ ହତ୍ୟାର ଶିକାର ହୋଇଛନ୍ତି ଦଶମ ଶ୍ରେଣୀ ଛାତ୍ର ଜଳଧର ମହାନ୍ତ (୧୫)। ଛାତ୍ରାବାସରେ ରହି ସମର କୋର୍ସ କରୁଥିବା ଜଳଧରଙ୍କୁ ତାଙ୍କର ତିନିଜଣ ସହପାଠୀ କମ୍ବଳ ପକାଇ ମାଡ଼ିବସିବା ସହ ଗାମୁଛାରେ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ଛାତ୍ରମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। କଲେଜରେ ପତିଆରା ବୃଦ୍ଧିକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଜାଲି ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରପଡ଼ା ଗ୍ରାମର ଜଗବନ୍ଧୁ ମହାନ୍ତଙ୍କ ପୁଅ ଜଳଧର ଚଳିତବର୍ଷ ଷଡ଼ଙ୍ଗୀ ପଞ୍ଚାୟତର ନିଉଣ୍ଡି ଗ୍ରାମରେ ଥିବା ରାଧାମାଧବ ଉଚ୍ଚବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଇଥିଲେ। ସମର କୋର୍ସ କରିବାପାଇଁ କେନ୍ଦୁଝର ଗାୟତ୍ରୀ ରେସିଡେନ୍ସିଆଲ କଲେଜର ଢାଙ୍ଗରପଡ଼ାସ୍ଥିତ ଛାତ୍ରାବାସରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା। ଆଜି ସକାଳେ ତାଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହୋଇଥିଲା। ହୃଦ୍ଘାତରେ ଜଳଧରଙ୍କ ମୃତ୍ୟୁ ହୋଇଛି ବୋଲି କିଏ କହୁଥିଲା, ତ ଆଉ କିଏ ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି କହୁଥିଲେ।
କମ୍ବଳ ପକାଇ ମାଡ଼ିବସିଲେ, ତଣ୍ଟିଚିପି ମାରିଦେଲେ
ପତିଆରା ପାଇଁ ହତ୍ୟାକାଣ୍ଡ, ତିନି ନାବାଳକ ଛାତ୍ର ଅଟକ
ପ୍ରଥମିକ ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ସୂଚନା ଅନୁସାରେ, ଜଳଧର ୧୫ଦିନ ତଳେ ଛାତ୍ରାବାସକୁ ଆସିଥିଲେ। କିଛି ସହପାଠୀଙ୍କ ସହିତ ସାମାନ୍ୟ କଥାକୁ ନେଇ ତାଙ୍କର ମତଭେଦ ଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନରଣପୁର ଅଞ୍ଚଳର ଜଣେ ଛାତ୍ର ଶ୍ରେଣୀର ମନିଟର ଥିଲା। ତା’ର କୌଣସି କଥାକୁ ଜଳଧର ମାନୁ ନଥିଲେ। ସେହିପରି କଲେଜ ବସ୍ରୁ ଓହ୍ଲାଇବା ବେଳେ କମେଣ୍ଟମରାକୁ କେନ୍ଦ୍ରକରି ସମ୍ପୃକ୍ତ ଛାତ୍ରଜଣକ ଉତ୍ତ୍ୟକ୍ତ ଥିଲା। ଯାହା ପରବର୍ତ୍ତୀ ସମୟରେ ହତ୍ୟାକାଣ୍ଡର ରୂପ ନେଇଛି ବୋଲି ପୁଲିସ କହିଛି। ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲରେ ରହୁଥିବା ନରଣପୁରର ସମ୍ପୃକ୍ତ ଛାତ୍ରଙ୍କ ସମେତ ପଣ୍ଡାପଡ଼ା ଓ ଯଶୀପୁର ଅଞ୍ଚଳର ଦୁଇଜଣ ଛାତ୍ର ମିଳିତ ଭାବେ ଜଳଧରଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କେନ୍ଦୁଝର ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ଘଟଣାର ତଦନ୍ତ କରି କେସ୍ ନମ୍ବର ୨୨୭/୨୦୨୫ରେ ଏକ ମାମଲା ରୁଜୁ କରିଛନ୍ତି। ତିନି ଛାତ୍ରଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ସମସ୍ତଙ୍କୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କରାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପୁଲିସ କହିଛି।