ଏଥର ବି ସ୍ବାଧୀନତା ଦିବସକୁ ଛାତ୍ରଛାତ୍ରୀ ଓ ଜନତାଙ୍କୁ ମନା

ସମ୍ବଲପୁର: ଦୁଇ ଦିନ ପୂର୍ବରୁ ସମ୍ବଲପୁରୀ ଦିନ୍ ପାଇଁ ଯେଉଁ ସ୍ଥାନରେ ଛୁଆଠାରୁ ବୁଢ଼ା ପର୍ଯ୍ୟନ୍ତ ହଜାରହଜାର ଲୋକଙ୍କ ସମାଗମ ହୋଇଥିଲା ତଥା ଖୋଦ୍ ଜିଲ୍ଲାପାଳ ଓ ଏସ୍‌ପି ଅତିଥି ଭାବେ ଉପସ୍ଥିତ ଥିଲେ, ଦିନ କେଇଟା ପରେ ସେହି ସ୍ଥାନରେ ହେବାକୁ ଥିବା ୭୬ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବରେ ସାମିଲ ହେବାକୁ ସାଧାରଣ ଲୋକଙ୍କୁ ଅନୁମତି ମିଳିବ ନାହିଁ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି କାରଣରୁ ସ୍ବତନ୍ତ୍ର ଭାବେ ପାଳନ କରା ଯାଉଥିବା ଏହି ଉତ୍ସବରେ ପ୍ୟାରେଡ୍‌ କିମ୍ବା ମାର୍ଚ୍ଚପାଷ୍ଟ ବି ହେବ ନାହିଁ।

ସ୍ବଳ୍ପ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିବେ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ବୁଧବାର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସ୍ବରାଷ୍ଟ୍ର ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ କୋଭିଡ୍ କଟକଣା ମଧ୍ୟରେ ସ୍ବାଧୀନତା ଦିବସ ପାଳନ କରାଯିବ ବୋଲି ସ୍ଥିର ହୋଇଥିଲା। ସକାଳୁ ରାମଧୁନ, ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ,  ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ ପରେ ସକାଳ ୯ଟା ୧୫ରେ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିବେ। ପୁଲିସ ବାହିନୀ ଜାତୀୟ ପତାକାକୁ ସମ୍ମାନ ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ। କିନ୍ତୁ ସ୍କୁଲ କିମ୍ବା କଲେଜ ଛାତ୍ରଛାତ୍ରୀ ବା ସାଧାରଣ ଜନତା ଏଥର ସାମିଲ ହେବେ ନାହିଁ। ପୂର୍ବରୁ ହାଇସ୍କୁଲ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରାଯିବ କରୋନା ଯୋଦ୍ଧାଙ୍କୁ ଉତ୍ସବକୁ ନିମନ୍ତ୍ରଣ କରାଯିବ। କାର୍ଯ୍ୟକ୍ରମ ପରେ ଓଡିଶା ସାଂସ୍କୃତିକ ସମାଜ ଠାରେ ରକ୍ତଦାନ ଶିବିର ହେବ ବୋଲି ସ୍ଥିର ହୋଇଥିଲା।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପିଡି ଡିଆରଡିଏ ଦିଲୀପ କୁମାର ବଳ, ଡିଏସ୍‌ପି ଡିଆଇବି ଜେମସ୍ ସାମଦ, ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ, ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ଏଡିଇଓ ଜୟଶ୍ରୀ ଦୋରା, ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠ, ଜନସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଗୁଲସନ ସାହୁ,  ଜିଲ୍ଲା ସଂସ୍କୃତି ଅଧିକାରୀ ଦୀପକ କୁମାର କୁଲୁ, ଏସ୍‌ଏମ୍‌ସି ଡେପୁଟି କମିସନର ବିନୋଦ ଚନ୍ଦ୍ର ପଣ୍ଡା, ଡିଏସ୍‌ପି ଟ୍ରାଫିକ ନରେନ୍ଦ୍ର ଷଡ଼ଙ୍ଗୀ, ଅଗ୍ନିଶମ ବିଭାଗର ରଘୁମଣି କାଲୋ, ରେଡକ୍ରସ ସମ୍ପାଦକ  ଜୟ ଜର୍ଜ, ନିଜାରତ ଅଫିସର ତ୍ରିଦେବ ପ୍ରଧାନ,  ଡିଏସ୍‌ଡବ୍ଲୁଓ ଗୀତାଞ୍ଜଳି ମହାପାତ୍ର, ଓଡ଼ିଶା ସାଂସ୍କୃତିକ ସମାଜ ସଭାପତି ଅଶୋକ ମିଶ୍ର, ଉତ୍ସଗର ପ୍ରଶାନ୍ତ ପାଟ୍ଟଯୋଶୀଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ପୂର୍ବ ବର୍ଷର ବିବରଣୀ ଉପସ୍ଥାପନ କରିବା ସହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର