ଭବାନୀପାଟଣା: ଛାତ୍ର ସଂସଦ ନିର୍ବାଚନ ଘୋଷଣା ଦାବି ନେଇ ଶନିବାର ଏବିଭିପିର କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗତ କିଛି ଦିନ ତଳେ ରାଜ୍ୟ ସରକାର ଉଚ୍ଚଶିକ୍ଷାର ବାର୍ଷିକ କ୍ୟାଲେଣ୍ଡର ଘୋଷଣା କରିଥିଲେ। ମାତ୍ର ସେଥିରେ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ବି ଉଲ୍ଲେଖ ନଥିଲା। ଗତ ୬ ବର୍ଷ ହେଲା ନିର୍ବାଚନ ହୋଇନାହିଁ। ଏହା ଦ୍ବାରା ଛାତ୍ର ନେତୃତ୍ୱର ଭ୍ରୁଣ ହତ୍ୟା ହେବା ସହ ଛାତ୍ରମାନଙ୍କ ଭିତରେ ମାନବୀୟ ଓ ସାମାଜିକ ନେତୃତ୍ବ ଉଦ୍ରେକ ହୋଇପାରି ନାହିଁ। ରାଜ୍ୟ ସରକାର ଯଥା ଶୀଘ୍ର ଛାତ୍ର ସଂସଦ ନିର୍ବାଚନ ଘୋଷଣା କରନ୍ତୁ ବୋଲି ଏବିଭିପି ପକ୍ଷରୁ ଦାବି କରାଯାଇଛି। ଯଦି ଆଗାମୀ ଦିନରେ ତାରିଖ ଘୋଷଣା ନ ହୁଏ ତେବେ ଏବିଭିପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଆଜିର ବିକ୍ଷୋଭରେ ବିଭାଗ ସଂଯୋଜକ କେଶବ ସାହୁ, ଜିଲ୍ଲା ସଂଯୋଜକ ତନ୍ମୟ ବିଶି, ନଗର ସମ୍ପାଦକ ପଞ୍ଚାନନ ଦୁର୍ଗା, ଛାତ୍ର ନେତା ଭାରତ ମହାନ୍ତି, ରଶ୍ମିରଞ୍ଜନ ଭାଟି, ସୂରଜ ସାହୁ, ବ୍ଲକ ସଂଯୋଜକ ଅଭିଷେକ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ କ୍ୟାମ୍ପସରେ ଏ ବିଷୟ ଓ ଅନ୍ୟାନ୍ୟ ଶିକ୍ଷା ବିଷୟକୁ ନେଇ ଏବିଭିପି ଆନ୍ଦୋଳନ କରିବ ବୋଲି ଜିଲ୍ଲା ସଂଯୋଜକ ସୂଚନା ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp