ଭୁବନେଶ୍ବର: ଏଥର ଛାତ୍ର ସଂସଦ ନିର୍ବାଚନ ହେବ ନା ନାହିଁ? ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ନିଜ ପ୍ରତିଶ୍ରୁତି ପାଳନ କରିବେ ତ? ନା ଗତବର୍ଷ ଭଳି ଏଥର ମଧ୍ୟ ରାଜ୍ୟ ସରକାର ନିର୍ବାଚନକୁ ଟାଳିଦେବେ। ସାଧାରଣତଃ ଦଶହରା ଛୁଟି ପୂର୍ବରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ। ଦଶହରା ଛୁଟିର ତିନି ସପ୍ତାହ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ପ୍ରକ୍ରିୟା ଆରମ୍ଭ କରାଯାଏ। ମାତ୍ର ଏଥର ସେମିତି କିଛି ସଙ୍କେତ ମିଳୁନାହିଁ। ସମସ୍ତେ ଗୁମ୍ସୁମ୍। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଦ୍ବନ୍ଦ୍ବରେ। ଛାତ୍ର ସଙ୍ଗଠନଗୁଡ଼ିକ ଏକପ୍ରକାର ସୁପ୍ତ। ଛାତ୍ର ବିଜେଡି ନୂଆ ନେତୃତ୍ବ ପାଇଥିଲେ ମଧ୍ୟ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ି ପାରୁନାହିଁ। କଂଗ୍ରେସର ଛାତ୍ର ଶାଖା ନେତୃତ୍ବବିହୀନ ହୋଇପଡ଼ିଛି। ରାଜ୍ୟ ଶାସନ ବିଜେପି ହାତରେ ଥିବାରୁ ସ୍ବାଭାବିକ ଭାବେ ଏବିଭିପିର ପ୍ରଦର୍ଶନ ଉପରେ ରାଜନୈତିକ ମହଲର ନଜର ରହିଛି। ଏଥିସହିତ ଚଳିତ ବର୍ଷ ନିର୍ବାଚନ ହେଲେ ରାଜ୍ୟରେ ଛାତ୍ର ରାଜନୀତିର ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।
ଗତ ୭ ବର୍ଷ ହେଲାଣି ନିର୍ବାଚନ ଦେଖିନି କ୍ୟାମ୍ପସ୍। ରାଜ୍ୟ ସରକାର ଅନେକ ଦିନ ଆଗରୁ ଘୋଷଣା କରିଛନ୍ତି ଯେ ଏବର୍ଷ ନିର୍ବାଚନ ହେବ। ଯଦି ସେମିତି ହୁଏ, ତେବେ କ୍ଷମତାରୁ ଗଲା ପରେ ବିଜୁ ଛାତ୍ର ଜନତା ଦଳ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛି। ତା’ପୁଣି ଜଣେ ଛାତ୍ରନେତ୍ରୀଙ୍କ ନେତୃତ୍ବରେ। ପ୍ରାୟ ବର୍ଷେ ହେଲା ବିଜୁ ଛାତ୍ର ଜନତା ଦଳର କେହି ସଭାପତି ନ ଥିଲେ। ଫଳରେ ସଂଗଠନ ଯେତିକି ସକ୍ରିୟ ହେବା କଥା, ତାହା ସମ୍ଭବ ହୋଇପାରି ନ ଥିଲା। ଏବେ ପ୍ରଥମ ଥର ପାଇଁ ଛାତ୍ରୀନେତ୍ରୀ ଇପ୍ସିତା ସାହୁ ସଙ୍ଗଠନର ମଙ୍ଗ ଧରିଥିବାରୁ ତାଙ୍କ ପାଇଁ ବଡ଼ ଆହ୍ବାନ ସୃଷ୍ଟି ହୋଇଛି। କାରଣ ସଙ୍ଗଠନରେ ଏବେ ଯେଉଁଭଳି ବିରୋଧାଭାଷ ସୃଷ୍ଟି ହୋଇଛି ତାହାର ମୁକାବିଲା କରି ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ଯାଉଛନ୍ତି।
କଂଗ୍ରେସର ଛାତ୍ର ଶାଖା ମୁରବିହୀନ
ଏବିଭିପିର ପ୍ରଦର୍ଶନ ଉପରେ ନଜର
ସୃଷ୍ଟି ହୋଇପାରେ ନୂଆ ସମୀକରଣ
ବିଜୁ ଛାତ୍ର ଜନତା ଦଳ ପାଇଁ କିଛି ଜାଗାରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ଯୁବ ଛାତ୍ର କ୍ରାନ୍ତି ସେନା। ଛାତ୍ର ନେତା ପାର୍ଥସାରଥୀ ମୁଦୁଲି ବିଜେଡିରୁ ନିଲମ୍ବିତ ହେଲା ପରେ ସେ ‘ଯୁବ ଛାତ୍ର କ୍ରାନ୍ତି ସେନା’ ନାମରେ ଏକ ସଂଗଠନ ଗଢ଼ିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଭୁବନେଶ୍ବରରେ ବିକ୍ଷୋଭ, ଆନ୍ଦୋଳନ କରି ସଂଗଠନର ଆଧିପତ୍ୟ ଜାହିର କରୁଛନ୍ତି। ସବୁ ପ୍ରମୁଖ କଲେଜରେ ଯୁବ ଛାତ୍ର କ୍ରାନ୍ତି ସେନା ପ୍ରାର୍ଥୀ ଦେବ ବୋଲି ସେ ଘୋଷଣା କରିଛନ୍ତି। ବିଜେଡିର ବହୁ ଅସନ୍ତୁଷ୍ଟ ନେତା ଓ ଜଣାଶୁଣା ଛାତ୍ର-ଯୁବ ନେତା ତାଙ୍କୁ ଭିତିରିଆ ସମର୍ଥନ ଦେଉଥିବା ଜଣାପଡ଼ିଛି।
ସେପଟେ ଛାତ୍ର କଂଗ୍ରେସ ବି ଏବେ ନେତୃତ୍ବବିହୀନ ହୋଇ ରହିଛି। ଗତ ବର୍ଷ ଉଦିତ ପ୍ରଧାନ ଛାତ୍ର କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପାଇଥିଲେ। ଏକ ମାମଲାରେ ଉଦିତ ଜେଲ୍ ଯିବା ପରେ ଦଳରୁ ନିଲମ୍ବିତ ହୋଇଛନ୍ତି। ଏହା ପରେ ଆଉ କାହାରିକୁ ସଭାପତି ଦାୟିତ୍ବ ମିଳିନାହିଁ। ମୁଣ୍ଡ ଉପରେ କ୍ୟାମ୍ପସ୍ ନିର୍ବାଚନ ଥିଲେ ବି ଛାତ୍ର ନେତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସଂଗଠନକୁ ଦୃଢ଼ କରିବାକୁ କାହାରିକୁ ଦାୟିତ୍ବ ଦିଆଯାଇ ନାହିଁ। ବିଭିନ୍ନ କ୍ୟାମ୍ପସ୍ରେ ଥିବା ଛାତ୍ରନେତା ନିଜ ନିଜ ବାଟରେ ବରିଷ୍ଠ ନେତା, ପୂର୍ବତନ ଛାତ୍ର ନେତା ଓ ବିଧାୟକଙ୍କ ପାଖକୁ ଯାଇ ସହଯୋଗ ଲୋଡ଼ୁଥିବା ଦେଖିବାକୁ ମିଳିଛି। ନିକଟରେ ଛାତ୍ର କଂଗ୍ରେସର ରାଜ୍ୟ ପ୍ରଭାରୀ କରଣ ତାମସେତ୍ ଓଡ଼ିଶା ଆସି ସଂଗଠନକୁ ଗତିଶୀଳ କରାଇବାକୁ ବୈଠକ କରିଥିଲେ। ‘କ୍ୟାମ୍ପସ୍ ଚଲୋ ଅଭିଯାନ’ ମାଧ୍ୟମରେ ଛାତ୍ର କଂଗ୍ରେସ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ୍କୁ ଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ସଂଗଠନରେ ସମନ୍ବୟର ଅଭାବ ଜଳଜଳ ହୋଇ ଦେଖାଯାଉଛି।
ଏଥର କ୍ୟାମ୍ପସ୍ ନିର୍ବାଚନରେ କିନ୍ତୁ ଏବିଭିପି ଜୋର୍ଦାର ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛି। ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣାରେ ସଂଗଠନ ଅଡ଼ୁଆରେ ପଡ଼ିଥିଲା। ପୁଣି ଉତ୍କଳ ବିଶ୍ବବିଦ୍ୟାଳୟରେ ବିଜେପି ସମର୍ଥିତ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ସଂଗଠନ ପାଇଁ ଅସ୍ବସ୍ତିକର ପରିବେଶ ସୃଷ୍ଟି କରିଥିଲେ। ତେବେ ଏସବୁକୁ ସଜାଡ଼ି କ୍ୟାମ୍ପସ୍ରେ ନିଜର ସ୍ଥିତି ଦୃଢ଼ କରିବାକୁ ଏବିଭିପିର ରାଜ୍ୟ କର୍ମକର୍ତ୍ତାମାନେ ଉଦ୍ୟମ ଚଳାଇଛନ୍ତି। କଲେଜ ନିର୍ବାଚନରେ ସ୍ଥାନୀୟ ବିଧାୟକ ଓ ନେତାମାନଙ୍କ ସହ କିପରି ସମନ୍ବୟ ରକ୍ଷା କରି ଏବିଭିପି ନିର୍ବାଚନ ଲଢ଼ିବ, ସେଥିପାଇଁ ବିଜେପିର ଉପର ମହଲରେ ବି ଉଦ୍ୟମ ଆରମ୍ଭ ହୋଇଛି। ଏବିଭିପି ଏବେ ସଦସ୍ୟତା ଅଭିଯାନ ଚଳାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/06/vote-2025-09-06-01-31-12.jpg)