କଟକ: କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ନୋଟିସ୍ ଜାରି କରିଛନ୍ତି। ମାମଲାରେ ଏକ ସପ୍ତାହ ଭି‌ତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବିଭିପି ରାଜ୍ୟ ସଂପାଦକ ଅରିଜିତ ପଟ୍ଟନାୟକ ଓ ଓଡ଼ିଶାରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚଣ୍ଡୀପ୍ରସାଦ ସୁଆରଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ୨୦୨୩-୨୪ ଶିକ୍ଷା ବର୍ଷରେ ଛାତ୍ରସଂସଦ ନିର୍ବାଚନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ପ୍ରସଂଗ ନେଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ୨୦୧୯ରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଯାଉନାହିଁ। ଏହା ସମ୍ବିଧାନର ଧାରା ୧୯ ଓ ୨୧ରେ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ଲିଙ୍ଗ୍‌ଡୋ କମିଟି ଅନୁମୋଦନର ବିରୁଦ୍ଧାଚରଣ କରୁଛି। ଏଥିସହିତ ସୁପ୍ରିମକୋର୍ଟ କେରଳ ବିଶ୍ବବିଦ୍ୟାଳୟ ବନାମ୍‌ କାଉନସିଲ୍‌ ଅଫ୍ ପ୍ରିନ୍ସିପାଲ୍ସ ଅଫ୍ କଲେ‌ଜସ୍‌, କେରଳ ମାମଲାରେ ପ୍ରଦାନ କରିଥିବା ରାୟର ମଧ୍ୟ ଏହା ଉଲ୍ଲଂଘନ। ଛାତ୍ରଛାତ୍ରୀଙ୍କ ପ୍ରତିନିଧିମଣ୍ଡଳୀରେ ନିଯୁକ୍ତି ପାଇଁ ଛାତ୍ର ସଂସଦ ନିର୍ବାଚନ ଦେଶର ସବୁ ବିଶ୍ବବିଦ୍ୟାଳୟ ଓ କଲେଜରେ ଅନୁଷ୍ଠିତ ହେବ ବୋଲି ସୁପ୍ରିମକୋର୍ଟଙ୍କ ରାୟରେ ଉଲ୍ଲେଖ ରହିଛି। କିନ୍ତୁ ନିୟମ ଉଲ୍ଲଂଘନ କରି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ଅଣଦେଖା କରି ସରକାର କୌଣସି କଲେଜ, ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଅନୁମତି ଦେଉ ନାହାନ୍ତି।

ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ। ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସଂସଦ ଓ ବିଧାନସଭାକୁ ନିର୍ବାଚିତ ହେବେ। ନିୟମିତ ଭାବେ ଛାତ୍ର ସଂସଦ ନିର୍ବାଚନ ହେଲେ ଦେଶରେ ହେଉଥିବା ସାଧାରଣ ନିର୍ବାଚନର ମାନ ବଢ଼ିବ ଓ ଗଣତନ୍ତ୍ର ଅଧିକ ସୁଦୃଢ଼ ହେବ। ଲିଙ୍ଗଡୋ କମିଟି ଅନୁମୋଦନ ଅନୁସାରେ ରାଜ୍ୟର ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ୨୦୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିଲା। ୨୦୧୯ରେ ଲିଙ୍ଗଡୋ କମିଟି ଅନୁମୋଦନକୁ ନ ମାନି ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ଛାତ୍ର ସଂସଦ ନିର୍ବାଚନ ବାତିଲ୍‌ କରିବା ପାଇଁ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ସରକାର ଚିଠି ଲେଖିଥିଲେ। ବିନା କୌଣସି ଉପଯୁକ୍ତ କାରଣରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନ କରାଯାଇଛି। ୨୦୧୯ ପରଠାରୁ ଏବିଭିପି ଓ ଅନ୍ୟ ଛାତ୍ର ସଂଗଠନଗୁଡ଼ିକ ଏହି ପ୍ରସଂଗ ଉଠାଇଥିଲେ ମଧ୍ୟ ଆଉ ଛାତ୍ର ସଂସଦ ନିର୍ବାଚନ କରାଯାଉ ନାହିଁ। ତୁରନ୍ତ ୨୦୨୩-୨୪ ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ମୁଖ୍ୟ ସଚିବ, ଉଚ୍ଚଶିକ୍ଷା ସଚିବ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଗଣଶିକ୍ଷା ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୌମିକ୍‌ ସ୍ପନ୍ଦନ ତ୍ରିପାଠୀ, ସୁମନ ପ୍ରିୟଦର୍ଶିନୀ ହୋତା, ପ୍ରୀତିପ୍ରଜ୍ଞା ଦାସ, ପ୍ରୀତମ ପ୍ରଧାନ ସହାୟତା କରୁଥିଲେ।