ଅକ୍ଟୋବରରୁ ‘ଷ୍ଟୁଡେଣ୍ଟ୍-ପୁଲିସ୍ କ୍ୟାଡେଟ୍’ କାର୍ଯ୍ୟକ୍ରମ : ସ୍କୁଲ୍ ପିଲାଙ୍କୁ ପଢ଼ାଯିବ ‘ଟ୍ରାଫିକ୍ ପାଠ’
ଦୁଇ ବର୍ଷ ଚାଲିବ, ସପ୍ତାହକୁ ଦୁଇ ଘଣ୍ଟା ତାଲିମ
କଟକ : କଲେଜ ପିଲାଙ୍କ ଭଳି ସ୍କୁଲ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ ଟ୍ରାଫିକ୍ ପାଠ। ଟ୍ରାଫିକ୍ ନିୟନ୍ତ୍ରଣ କୌଶଳଠୁ ଶାରୀରିକ ଦକ୍ଷତା ବୃଦ୍ଧି, ଶୃଙ୍ଖଳା ଜ୍ଞାନ, ସୁନାଗରିକ ଭାବେ ନିଜକୁ ଗଢ଼ିତୋଳିବାର ତାଲିମ୍ ଦିଆଯିବ ସ୍କୁଲ୍ ପିଲାଙ୍କୁ। ଏଥିପାଇଁ ରାଜ୍ୟ ସରକାର ଓ ଓଡ଼ିଶା ପୁଲିସ୍ ମିଳିତ ଉଦ୍ୟମରେ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ‘ଷ୍ଟୁଡେଣ୍ଟ ପୁଲିସ୍ କ୍ୟାଡେଟ୍’(ଏସ୍ପିସି) କାର୍ଯ୍ୟକ୍ରମ। ଦୁଇ ବର୍ଷ ଧରି ଦିଆଯିବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ଭାବେ ପ୍ରାୟ ୨କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତେବେ ଗତବର୍ଷଠୁ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବାକୁ ଯୋଜନା ହୋଇଥିଲେ ବି କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ଗାଇଡ୍ଲାଇନ୍ରେ ପରିବର୍ତ୍ତନ ହେବାରୁ କାଯ୍ୟକାରିତାରେ ବିଳମ୍ବ ହେଲା ବୋଲି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯୋଜନା ଅନୁଯାୟୀ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୫୦ ପ୍ରତିଶତ ସହଭାଗିତାରେ ଏହି ଏସ୍ପିସି କାର୍ଯ୍ୟକ୍ରମ ଚାଲିବ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରୁ ଦୁଇଟି ଲେଖାଏଁ ସରକାରୀ ବିଦ୍ୟାଳୟ ବଛାଯିବାକୁ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ୩୪ଟି ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀରୁ ୪୪ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କ ନାମ ଆସିଛି। କ୍ୟାଡେଟ୍ଙ୍କୁ ତାଲିମ୍ ଦେବା ପାଇଁ ଚୟନ ହୋଇଥିବା ପୁଲିସ୍ କର୍ମଚାରୀ ଓ ଅଧିକାରୀମାନେ ଦିଲ୍ଲୀରୁ ସ୍ୱତନ୍ତ୍ର ତାଲିମ ନେଇ ଆସିିଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା ସହିତ ସେହି ସ୍କୁଲ୍ର ପିଇଟି ମାନଙ୍କୁ ବି ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ତାଲିମ ଦିଆଯିବ। ସପ୍ତାହରେ ଦୁଇଘଣ୍ଟା ତାଲିମ୍ ଦିଆଯିବା ସହିତ ଶାରୀରିକ ଦକ୍ଷତା, ଟ୍ରାଫିକ୍ ସଚେତନତା ଇତ୍ୟାଦି ଉପରେ ପ୍ରଶିକ୍ଷଣ ପାଇବେ। ଜଣେ ଡ୍ରିଲ୍ ଇନସ୍ପେକ୍ଟର ଓ ଏସ୍ଆଇ ର୍ୟାଙ୍କର ଅଧିକାରୀମାନେ ଏହି ତାଲିମ୍ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। କ୍ୟାଡେଟ୍ଙ୍କ ପାଇଁ ସ୍ୱତନ୍ତ୍ର ପୋଷାକ ଓ ଅନ୍ୟାନ୍ୟ ତାଲିମ ଉପକରଣ ଏବେ କିଣାଯାଉଛି। ସବୁକିଛି ଆସିଯିବା ପରେ ଅକ୍ଟୋବର ନଚେତ୍ ନଭେମ୍ବରରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କୁହାଯାଇଛି।
ଭାରତରେ ପ୍ରଥମେ କେରଳ ପୁଲିସ୍ ପକ୍ଷରୁ ଏହି ଯୋଜନାକୁ ଆରମ୍ଭ କରାଯାଇଥିଲା। ଏହାପରେ ବିଭିନ୍ନ ରାଜ୍ୟ ପକ୍ଷରୁ ଏସ୍ପିସିକୁ କାର୍ଯ୍ୟକାରୀ କରାଯାଇଛି। ଗତକାଲି ହରିୟାଣାରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଦେଶବ୍ୟପୀ ଏସ୍ପିସି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ସୂଚନାଯୋଗ୍ୟ, ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ଟ୍ରାଫିକ୍ ପରିଚାଳନା ପାଇଁ ବର୍ତ୍ତମାନ କମିସନରେଟ ପୁଲିସ୍ ପକ୍ଷରୁ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲ୍ୟୁଣ୍ଟିଅର ସ୍କଲାରସିପ୍ ସ୍କିମ୍ ଅଧିନରେ ଏକାଧିକ ସ୍ୱେଚ୍ଛାସେବୀଙ୍କୁ ଟ୍ରାଫିକ୍ ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏବେ ଏସ୍ପିସି ଆସିବା ପରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସାମାଜିକ ଦାୟିତ୍ୱବୋଧ ବଢିଯିବ ବୋଲି କୁହାଯାଇଛି।