ପୁରୀରେ ଛାତ୍ରଙ୍କୁ ଗୁଳିମାଡ଼, ଭିଆଇପି ରୋଡ୍‌ରେ ଟାୟାର ଜାଳି ରାସ୍ତାରୋକ

ପୁରୀ: ଆଜି ରାତି ପ୍ରାୟ ସାଢ଼େ ସାତଟା ସମୟରେ ଦତ୍ତତୋଟାରେ ଜଣେ ଛାତ୍ରଙ୍କୁ ଉପରେ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ଏହି ଗୁଳିଟି ତାଙ୍କ ଆଙ୍ଗୁଠିରେ ବାଜିଛି। ଏହି ଘଟଣାକୁ କେନ୍ଦ୍ରକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ କଲେଜ ସମ୍ମୁଖ ଭିଆଇପି ରୋଡ୍‌ରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ୨ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ଆହତ ଛାତ୍ର ହେଉଛନ୍ତି ଜନ୍ମେଜୟ ମନ୍ତ୍ରୀ। ବାଲେଶ୍ବର ନିବାସୀ ଜନ୍ମେଜୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର। ଆଜି ସନ୍ଧ୍ୟାରେ ସେ ମୋବାଇଲ୍‌ରେ କଥାବାର୍ତ୍ତା ହୋଇ ଚାଲିଚାଲି ଯାଉଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲ୍‌ସର୍‌ ଗାଡ଼ିରେ ଆସି ତାଙ୍କ ହାତରୁ ମୋବାଇଲ୍‌ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଜନ୍ମେଜୟଙ୍କ ହାତରୁ ମୋବାଇଲ୍‌ଟି ଖସିପଡ଼ିବାରୁ ସେ ଏହାକୁ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ପଲ୍‌ସର୍‌ରେ ଥିବା ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଗାଡ଼ିରେ ବସିବାକୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଦୁର୍ବୃତ୍ତ ଜଣକ ଗୋଟିଏ ରାଉଣ୍ଡ୍‌ ଫାୟାରିଂ କରିଥିଲା। ଏହି ଗୁଳିଟି ଜନ୍ମେଜୟଙ୍କ ଆଙ୍ଗୁଠିରେ ବାଜିଥିଲା। ଏହି ଖବର ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ରେ ପହଞ୍ଚିବା ପରେ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ମନ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅନ୍ୟ ପକ୍ଷରେ ଏହି ଦୁର୍ବୃତ୍ତମାନେ ଆଜି ସକାଳେ ମଧ୍ୟ ଜଣଙ୍କୁ ବନ୍ଧୁକ ଦେଖାଇ ଗାଡ଼ିରେ ବସାଇ ନେଇଯାଇଥି‌ବା ନେଇ ସ୍ଥାନୀୟ ଲୋକମାନେ କହିଛନ୍ତି। ଗୁଳିକାଣ୍ଡ ପରେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର