କୋଇଡ଼ା: ପୂର୍ବରୁ ଗୀର୍ଜାଟୋଲା, ଭଞ୍ଜପାଲି ସମେତ ଅନେକ ଅଙ୍ଗନବାଡ଼ି କେନ୍ଦ୍ରର ଶୋଚନୀୟ ଅବସ୍ଥା ସାମ୍ନାକୁ ଆସିଥିଲା। ହେଲେ କେନ୍ଦ୍ରମାନଙ୍କର ଅବସ୍ଥା ସୁଧୁରି ନଥିଲାବେଳେ ଆଜି ପୁଣି ଏକ ଅଙ୍ଗନବାଡି କେନ୍ଦ୍ରରେ ଘଟିଛି ଅଘଟଣ। କୋଇଡ଼ା ବ୍ଲକ୍‌ର ଗୋପନା ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ଛାତର ସିମେଣ୍ଟ କଂକ୍ରିଟ୍‌ ଖସିଥିଲା। ସୌଭ୍ୟାଗ୍ୟକ୍ରମେ କୋଠରି ଭିତରେ ଛାତ୍ରଛାତ୍ରୀ ବସିନଥିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଗୋପନା ଗ୍ରାମର ଏହି ଅଙ୍ଗନବାଡିଟି ଅବସ୍ଥା ଗତ ଜୁଲାଇମାସରୁ ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ଗତ ୪ ମାସ ହେବ ଛାତ୍ରଛାତ୍ରୀ ଗଛମୂଳେ ପାଠପଢୁଛନ୍ତି। ଗୋପନା ଗ୍ରାମର ମୁଣ୍ଡା ସାହିରେ ଅବସ୍ଥିତ ଦ୍ଵିତୀୟ ଅଙ୍ଗନବାଡି କେନ୍ଦ୍ର। ଉକ୍ତ କେନ୍ଦ୍ରରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ କୋମଳମତି ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ଏଥିପାଇଁ ଆବଶ୍ୟକ ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଦୁର୍ଭାଗ୍ୟର ବିଷୟ ଉକ୍ତ କେନ୍ଦ୍ରଟି ଅନେକ ବର୍ଷ ହେବ ଚାଲି ଆସୁଥିଲେ ମଧ୍ୟ ଅନେକ ଅସୁବିଧା ଦେଇ ଗତି କରୁଥିବା ଅଭିଯୋଗ ହେଉଛି।

Advertisment

ଉକ୍ତ କେନ୍ଦ୍ରର ଉନ୍ନତୀକରଣ ପାଇଁ ବାଲା ମଡେଲ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଥିଲା। ନିର୍ମାଣ ମଧ୍ୟ କରାଯାଇଥିଲା। ନିର୍ମାଣର କିଛିଦିନ ପରେ ଅଙ୍ଗନବାଡି କେନ୍ଦ୍ରର ଭିତର ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ପଡ଼ିଛି। ଏହି ସିମେଣ୍ଟ ପ୍ଲାଷ୍ଟର ଖସି ପଡ଼ିଲାବେଳେ ସୌଭାଗ୍ୟବଶତଃ କେହି ନ ଥିଲେ। ଏହା ପଡ଼ିବା ଦ୍ୱାରା ଅଙ୍ଗନବାଡି କେନ୍ଦ୍ରର ଅନେକ ଆସବାବପତ୍ର ନଷ୍ଟ ହୋଇଛି। ଏହାସହିତ କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ନାହିଁ। ବିନା ପାଚେରିରେ କେନ୍ଦ୍ରଟି ଥିବାବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଉର୍ଦ୍ଧିଷ୍ଟ ପାଇଖାନା ଗୃହଟି ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବାବେଳେ ପାଇଖାନା ଟାଙ୍କି ଖୋଳାଯାଇଛି ଅଥଚ ନିର୍ମାଣ ହୋଇ ନାହିଁ। ଆଜି ପର୍ଯ୍ୟନ୍ତ ରୋଷେଇ ଘର କିମ୍ବା ମମତା ଗୃହ ନିର୍ମାଣ ହୋଇ ପାରି ନାହିଁ। ଅଙ୍ଗନବାଡି କେନ୍ଦ୍ରର ଶୋଚନୀୟ ଅବସ୍ଥା ଯୋଗୁ ଛାତ୍ରଛାତ୍ରୀ ଗଛ ମୂଳେ ବସି ପାଠ ପଢ଼ୁଛନ୍ତି। ଏ ସକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।