ବେତନଟୀ ସଦର: ଆମ ଓଡ଼ିଶା ନବୀନ ଓଡ଼ିଶା କାମରେ ମହାଦୁର୍ନୀତି ଅଭି‌ଯୋଗ ହୋଇଛି। ସ୍କୁଲ ପିଲାଙ୍କ ଭବିଷ୍ୟତ ନେଇ ଖେଳ ଖେଳୁଛନ୍ତି ବିଭାଗୀୟ ଯନ୍ତ୍ରୀଙ୍କ ସହିତ ସ୍ଥାନୀୟ ଠିକାଦାର। ମରାମତି ନାଁରେ ଶ୍ରେଣୀଗୃହ ଛାତ ଭାଙ୍ଗିଦେବା ପରେ ଆଉ ନୂତନ ଛାତ ପକାଉ ନାହାନ୍ତି ଠିକାଦାର, ଯୋଉଁଥିପାଇଁ ବିଦ୍ୟାଳୟ ବାରଣ୍ଡାରେ ପିଲାଙ୍କ ଭବିଷ୍ୟତ ଗଢ଼ା ଚାଲିଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ପୁରୁଣିଆ ପଞ୍ଚାୟତର ନୁଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ।

Advertisment

ସୂଚନା ଅନୁଯାଇ ନୁଆସାହି ପ୍ରାଥମିକ ବିଦ୍ୟାଳୟ ୧୯୭୯ ମସିହାରେ ନିର୍ମିତ ହୋଇଥିବାରୁ ଛାତ ସମ୍ପୂର୍ଣ ଦୁର୍ବଳ ହୋଇଯାଇଥିଲା ଓ ବିପଦ ସଂକୁଳ ଅବସ୍ଥାରେ ଥିଲା। ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତଥା ଶିକ୍ଷାବିଭାଗର ଅନୁରୋଧକ୍ରମେ ଉକ୍ତ ବିଦ୍ୟାଳୟରେ ଥିବା ମାତ୍ର ୨ଟି ଶ୍ରେଣୀଗୃହର ମରାମତି ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରଥମେ ଦେଢ଼ ଲକ୍ଷରେ ବ୍ୟୟ ବରାଦ କରାଯାଇଥିଲା। ହେଲେ ପରେ ପୁରୁଣା ଛାତର ଦୟନୀୟ ପରିସ୍ଥିତିକୁ ଦେଖିବା ପରେ ସମ୍ପୂର୍ଣ ଛାତ ଭାଙ୍ଗି ନୂଆକରି ଛାତ ପକାଇବାକୁ ଆଉ ୨ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ବରାଦ କରାଯାଇଥିଲା ଏବଂ ଉକ୍ତ କାର୍ଯ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ତପନ ଦାସ ଓ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଥିଲା। ହେଲେ ବିଭାଗୀୟ ଅଧିକାରୀ ମାନେ ଉକ୍ତ କାମକୁ ପ୍ରିୟାପ୍ରିତି ପୋଷଣ କରି ନିଜ ସମ୍ପର୍କୀୟ ଠିକାଦାରଙ୍କୁ ଏହି କାମ କରିବାକୁ ଦେଇ ନିଜେ ଅଚିନ୍ତାରେ ବସିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଠିକାଦାର ୨୦୨୩ ମସିହା ଡିସେମ୍ବର ମାସରେ ଉକ୍ତ ୨ଶ୍ରେଣୀଗୃହର ଛାତ ଭାଙ୍ଗି ଦେଇଥିବାବେଳେ ଏଯାବତ ନୂଆ ଛାତ ପକାଇବାର ନାମ ଧରୁନାହାନ୍ତି। ଗ୍ରାମବାସୀମାନେ ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ କହିଲେ ମଧ୍ୟ ସେ ଠିକାଦାରକୁ ସୁହାଇଲା ଭଳିଆ ଦିନ ଗଡ଼ାଇ ଚାଲିଛନ୍ତି। ଯୋଉଁଥିପାଇଁ ଉକ୍ତ ବିଦ୍ୟାଳୟରେ ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପ୍ରାୟ ୬୦ରୁ ଅଧିକ ଛାତ୍ରଛାତ୍ରୀ ୬ମାସରୁ ଉର୍ଦ୍ଧ ହେବ ଅର୍ଦ୍ଧନିର୍ମିତ ଅଫିସ ବାରଣ୍ଡାରେ ପାଲ ପକାଇ ବସି ପାଠ ପଢୁଛନ୍ତି। ସେହିପରି ବର୍ଷା ହେଲେ ବାରଣ୍ଡାକୁ ପାଣି ଛାଟୁଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଉଛି। ତେଣୁ ଏଠି ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛି କୁନି କୁନି ପିଲାଙ୍କର ଭବିଷ୍ୟତ। ଗ୍ରାମବାସୀଙ୍କ ଅଭିଯୋଗ ପରେ ୨୦ଦିନ ପୂର୍ବରୁ ଏନେଇ ଆମ "ସମ୍ବାଦ" ପ୍ରତିନିଧି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ଫୋନ କରିବାରୁ ସେ ଠିକାଦାର ହଇରାଣ କରିବା କଥା କହିବା ସହିତ ୫-୭ଦିନ ଭିତରେ କାର୍ଯ୍ୟ ଆରମ୍ଭ ନେଇ ପ୍ରତିଶୃତି ଦେଇଥିଲେ। ହେଲେ ପରେ ଠିକାଦାର ସେଠାରେ କେବଳ ନେଇ ଛାତ ପକାଇବା ପାଇଁ ବ୍ୟବହୃତ ସେଣ୍ଟ୍ରିଙ୍ଗ ପଟା ସବୁ ପକେଇ ଦେଇ ପୁଣି କୁଆଡେ ଉଭାନ ହୋଇଯାଇଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ବାରି ହୋଉଛି ଉକ୍ତ କାର୍ଯ୍ୟ ବିଳମ୍ବ ପଛରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ହିଁ ମୁଖ୍ୟ ଦାୟୀ।

ଏନେଇ ବେତନଟୀ ବିଡ଼ିଓ ଗୋପୀନାଥ ଖାଖାଙ୍କୁ ପଚାରିବାରୁ ସେ କହିଥିଲେ କି ମୁଁ ଏ ବିଦ୍ୟାଳୟ ସମ୍ବନ୍ଧରେ ଅବଗତ ନାହିଁ। ଏବେ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ସେହିପରି ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୌମ୍ୟଶ୍ରୀ ଭୋଇ କହିଥିଲେ କି କନିଷ୍ଠ ଯନ୍ତ୍ରୀ ତାଙ୍କୁ କାର୍ଯ୍ୟ ଆରମ୍ଭ କରାଯାଇଥିବାନେଇ ସୂଚନା ଦେଇଥିଲେ।