ଅନ୍ଧାର ଭିତରେ କୁଶପାର, କ୍ୟାଣ୍ଡେଲ ଜାଳି ପାଠ ପଢ଼ୁଛନ୍ତି ପିଲା

ବୈପାରିଗୁଡା: ଗୋଟିଏ ପଟେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବା ବେଳେ ଅନ୍ୟପଟେ ଗାଆଁ ସାରା ଅନ୍ଧାର। ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ କ୍ୟାଣ୍ଡେଲ ଜାଳି ପାଠ ପଢ଼ୁଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର କୁଶପାର ଗ୍ରାମ। ବିଦ୍ୟୁତ ବିଲ୍ ପୈଠ କରିନଥିବା ଆଳ ଦେଖାଇ ବିଦ୍ୟୁତ ବିଭାଗ ତରଫରୁ ସମୁଦାୟ ଗାଆଁର ବିଦ୍ୟୁତ ଯୋଗାଣ ବନ୍ଦ କରିଦିଆଯାଇଛି। ଯାହାକୁ ନେଇ ଗ୍ରାମବାସୀ ତଥା ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ଚାଲିଛି। ଆଗକୁ ପ୍ରାଥମିକ ସ୍କୁଲ ପରୀକ୍ଷା ମଧ୍ୟ ରହିଛି। ଛାତ୍ରଛାତ୍ରୀଙ୍କ ଉପରେ ବିଦ୍ୟୁତ ବିଭାଗ ତରଫରୁ ଏପରି ଦାଉ ସାଧିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଏଠି ଧୁଆ ମୂଳା,ଅଧୁଆ ମୂଳା ସମାନ ନୀତି ଚାଲିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଯେଉଁମାନେ ବିଦ୍ୟୁତ ବିଲ୍ ପୈଠ କରିନାହାନ୍ତି ସେମାନଙ୍କ ବିଦ୍ୟୁତ ଯୋଗାଣ ବନ୍ଦ କରିବା ନିୟମ ରହିଥିଲେ ମଧ୍ୟ ଟ୍ରାନସଫୋରମରରୁ ବିଦ୍ୟୁତ୍ ଯୋଗାଣ ବିଛିନ୍ନ କରି ନେଇଥିବାରୁ ସାରା ଗାଆଁ ଅନ୍ଧାର ଭିତରେ ବୁଡ଼ି ରହିଛି। ଯେଉଁ ମାନେ ବିଲ୍ ପୈଠ କରିଛନ୍ତି, ସେମାନେ ମଧ୍ୟ ଅନ୍ଧାରରେ ରହିବା ପାଇଁ ବାଧ୍ୟ ହୋଇଛନ୍ତି।

ତେବେ ବିଦ୍ୟୁତ ଯୋଗାଣ ବିଛିନ୍ନ କରିବା ପୂର୍ବରୁ ବିଭାଗ ତରଫରୁ ବିଧିବଦ୍ଧ ଭାବେ କୈାଣସି ସୂଚନା ଦେଇ ନଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ। ଜନୈକ ଅଭିଭାବକ କହିଛନ୍ତି ଯେ କୁଶପାରରେ କ୍ୟାଣ୍ଡେଲ ମିଳୁନଥିବାରୁ ସେ ବାଧ୍ୟ ହୋଇ ଅନ୍ଧାରରେ ୪ କିଲୋମିଟର ବାଟ ଚିକିମା ଗ୍ରାମକୁ ଆସି ପିଲାଙ୍କ ପାଇଁ କ୍ୟାଣ୍ଡେଲ କିଣି ନେଇଛନ୍ତି। ଏସଂପର୍କରେ ଗ୍ରାମବାସୀ ବୈପାରିଗୁଡା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ଜଣାଇବାରୁ ସେ କେବଳ ବିଲ୍ ଆଦାୟ ପାଇଁ କର୍ମଚାରୀଙ୍କୁ ପଠେଇଥିଲେ। ଟ୍ରାନଫର୍ମରରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ପାଇଁ କହିନଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଫୋନ୍ ସୁଇଚ୍ ଅଫ୍ ଯୋଗୁଁ ମତାମତ ନିଆଯାଇ ପାରିଲା ନାହିଁ। ଏସଂପର୍କରେ ଜୟପୁର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରାଯିବାରୁ ବର୍ତ୍ତମାନ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇ ପାରିବ ନାହିଁ। ତେଣୁ ଆସନ୍ତାକାଲି ଏହାର ବ୍ୟବସ୍ଥା କରାଯିବ। ତେବେ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ବିନା କାରଣରେ ବଳି ପଡ଼ିବାକୁ ନେଇ ଗ୍ରାମବାସୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର