ଅକ୍ଷୟଙ୍କ ପାଇଁ ଅଥୟ! ଘରୁ ଲୁଚି ପଳାଇଥିଲେ, ମୁମ୍ବାଇରୁ ଉଦ୍ଧାର

ସୁନ୍ଦରଗଡ଼ : ସାଧାରଣ ଲୋକ, ବିଶେଷକରି ଛୋଟପିଲାଙ୍କ ଉପରେ ସିନେମା ତାରକାମାନଙ୍କର କେତେ ପ୍ରଭାବ, ତାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ବଲିଉଡ ସୁପରଷ୍ଟାର୍ ଅକ୍ଷୟକୁମାରଙ୍କୁ ଭେଟିବାଲାଗି ଅନ୍‌ଲାଇନ୍‌ ପାଠପଢ଼ା ପାଇଁ କିଣା ହୋଇଥିବା ମୋବାଇଲ୍‌ ବିକି ଘରୁ ଲୁଚି ପଳାଇଥିବା ସୁନ୍ଦରଗଡ଼ର ଜଣେ ସ୍କୁଲ ଛାତ୍ରଙ୍କୁ ମୁମ୍ବାଇରୁ ଉଦ୍ଧାର କରାଯାଇଛି। ନିଜ ପ୍ରିୟ ଅଭିନେତାଙ୍କୁ ଭେଟି ପାଖରେ ଥରେ ଦେଖିବା, ସାମ୍ନାସାମ୍ନି ବସି କଥା ହେବାକୁ ଉକ୍ତ ଛାତ୍ରଙ୍କର ସ୍ବପ୍ନ ଥିଲା। ତାହା ହିଁ ତାଙ୍କୁ ଟାଣି ନେଇଥିଲା ସୁନ୍ଦରଗଡ଼ରୁ ମୁମ୍ବାଇ। ଘରୁ ଲୁଚି ମୋବାଇଲ୍‌ ବିକି ଅକ୍ଷୟଙ୍କୁ ଭେଟିବାକୁ ଟ୍ରେନ୍‌ରେ ସେ ଛୁଟି ଯାଇଥିଲେ ମୁମ୍ବାଇ। ତେବେ ଘଟଣାକ୍ରମରେ ଅକ୍ଷୟ କୁମାରଙ୍କ ଘର ପାଖରେ କାନ୍ଦୁଥିବା ଅବସ୍ଥାରେ ତାରକାଙ୍କ ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାର କରିବା ପରେ ଏ ରୋଚକ କଥା ସାମ୍‌ନାକୁ ଆସିଛି।

ସୁନ୍ଦରଗଡ଼ର ଶ୍ରୀ ଅରବିନ୍ଦ ସ୍କୁଲରେ ଦଶମ ଶ୍ରେଣୀ‌ରେ ପଢ଼ୁଥିବା ବ୍ରାହ୍ମଣପଡ଼ାର ଏହି ଛାତ୍ର ଜଣକ ଗତ ୯ ତାରିଖରେ ଘରୁ ଲୁଚି ପଳାଇଥିଲେ। ଅନଲାଇନ୍‌ ପାଠ ପାଇଁ ତାଙ୍କୁ ଘରେ କିଣି ଦେଇଥିବା ମୋବାଇଲକୁ ବିକି ଦେଇ ସେ ଟଙ୍କା ଯୋଗାଡ଼ କରିଥିଲେ। ସେଇଥିରେ ଝାରସୁଗୁଡ଼ାରୁ ରେଳ ଯୋଗେ ଚାଲି ଯାଇଥିଲେ ମୁମ୍ବାଇ। ପୁଅ ଘରକୁ ନଫେରିବାରୁ ବ୍ୟସ୍ତବିବ୍ରତ ପରିବାର ଏଠି ସେଠି ଖୋଜି ନିରାଶ ହେବା ପରେ ୧୦ ତାରିଖରେ ଟାଉନଥାନାରେ ନିଖୋଜ ଅଭିଯୋଗ ଦାଏର କରିଥିଲେ। କିନ୍ତୁ ସେଦିନ ଅପରାହ୍ନ ସାଢ଼େ ୩ଟାରେ ସମ୍ପୃକ୍ତ ସ୍କୁଲର ଜଣେ ଶିକ୍ଷକ ଅଞ୍ଜନ ଦାସଙ୍କ ମୋବାଇଲ୍‌କୁ ମୁମ୍ବାଇରୁ ଏକ କଲ୍‌ ଆସିଥିଲା। ଫିଲ୍ମ ତାରକା ଅକ୍ଷୟ କୁମାରଙ୍କ ସୁରକ୍ଷାକର୍ମୀ ପରିଚୟ ଦେଇ ସେ ବ୍ୟକ୍ତିଜଣକ ଶିକ୍ଷକଙ୍କୁ ସୁନ୍ଦରଗଡ଼ର ଏଇ ଛାତ୍ରଙ୍କ ବିଷୟରେ ସୂଚନା ଦେଇଥିଲେ। ପିଲାଟି ମୁମ୍ବାଇ ଅକ୍ଷୟ କୁମାରଙ୍କ ଘର ଆଗରେ କାନ୍ଦୁଥିବା ଦେଖି ତାଙ୍କୁ ଘର ଠିକଣା ପଚାରି ନିଜ ପାଖରେ ରଖିଥିବା ସେ ପ୍ରକାଶ କରିଥିଲେ।

ଶିକ୍ଷକ ଜଣକ ତୁରନ୍ତ ପରିବାର ଲୋକଙ୍କୁ ଏ ସୂଚନା ଦେଇ ସତ୍ୟାସତ୍ୟ ଜାଣିବାକୁ ସୁରକ୍ଷାକର୍ମୀଙ୍କ ସହ ଭିଡିଓ କଲ୍‌ରେ କଥା ହେବା ସହ ଛାତ୍ରଙ୍କୁ ଦେଖିଥିଲେ। ଏହାପରେ ପରିବାର ଲୋକେ ଟାଉନଥାନାକୁ ଯାଇ ଏ ସୂଚନା ଦେଇଥିଲେ। ପୁଲିସ ମଧ୍ୟ ସୁରକ୍ଷାକର୍ମୀଙ୍କ ସହ କଥା ହୋଇ ମୁମ୍ବାଇ ଶିଶୁ ସୁରକ୍ଷା ୟୁନିଟ୍‌ ସହ ଯୋଗାଯୋଗ କରି ଛାତ୍ରଙ୍କୁ ନିଜ ହେପାଜତରେ ରଖିବାକୁ ଅନୁରୋଧ କରିଥିଲେ। ରାଉରକେଲା ଶିଶୁ ସୁରକ୍ଷା ୟୁନିଟ୍‌ ମଧ୍ୟ ମୁମ୍ବାଇ ୟୁନିଟକୁ ଛାତ୍ରଙ୍କ ସୁରକ୍ଷା ପାଇଁ ଯୋଗାଯୋଗ କରିଥିଲା। ଏହାପରେ ଟାଉନ ପୁଲିସ ଓ ଶିଶୁ ସୁରକ୍ଷା ୟୁନିଟ ଉଦ୍ଧାର ଛାତ୍ରଙ୍କୁ ସୁନ୍ଦରଗଡ଼ ଫେରାଇ ଆଣିବାକୁ ମୁମ୍ବାଇ ଅଭିମୁଖେ ବାହାରିଥିବା ଟାଉନଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାସ ପ୍ରକାଶ କରିଛନ୍ତି।

ତେବେ, ଏତେସବୁ ଘଟଣା ମଧ୍ୟରେ ଛାତ୍ରଙ୍କ ସ୍ବପ୍ନ ପୂରା ହୋଇପାରିନାହିଁ, ଅକ୍ଷୟ କୁମାରଙ୍କ ଘର ପାଖକୁ ଯାଇ ତାଙ୍କୁ ଦେଖିବାର ସୁଯୋଗ ପାଇପାରିନାହାନ୍ତି।

ସମ୍ବନ୍ଧିତ ଖବର