ଦଶପଲ୍ଲା : ଚେରି ଘଟଣାକୁ ବରଦାସ୍ତ ନକରି ସତ କହି ଶିକ୍ଷକଙ୍କ ପାଇଁ ପାଗଳ ପାଲଟିଥିବା ରାଧାମୋହନ ଶେଷରେ ଆଜି ପାଠପଢିବା ପାଇଁ ଫେରିଛି ବିଦ୍ୟାଳୟକୁ। ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ଅଧୀନସ୍ଥ ଟାକରା ଉଚ୍ଚ ବିଦ୍ୟାଳୟରେ ଏଭଳି ଜଣେ ଆଦିବାସୀ ବର୍ଗର ୯ମ ଶ୍ରେଣୀ ଛାତ୍ରଙ୍କ ପ୍ରତି ଘଟିଥିବା ଅମାନବୀୟ ଘଟଣା ସମ୍ପର୍କରେ ବାରମ୍ବାର ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ମାତ୍ର ଘଟଣାକୁ ମିଛ ସଜାଇ ଖସିଯିବା ପାଇଁ ବିଦ୍ୟାଳୟ ଓ ବ୍ଲକ୍ସ୍ତରୀୟ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଖୋଦ୍ ଜିଲ୍ଲା ସ୍ତରର ବିଭାଗୀୟ ଅଧିକାରୀମାନେ ଲାଗି ପଡିଥିଲେ। ଏଥିପାଇଁ ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧି ଏବଂ ସମ୍ପୃକ୍ତ ଛାତ୍ରଙ୍କୁ ଅପବାଦ ମଧ୍ୟ ସହିବାକୁ ପଡିଛି। ହେଲେ ଏସବୁ ବାଦବିବାଦ ମଧ୍ୟରେ ସମ୍ପୃକ୍ତ ଶିକ୍ଷକମାନେ ହାର ମାନିଛନ୍ତି। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ପୃକ୍ତ ଛାତ୍ରଙ୍କ ଘରକୁ ଯାଇ ବୁଝାସୁଝା କରିଥିବା ବେଳେ ଆଜି ପରିବାର ପକ୍ଷରୁ ରାଧାମୋହନଙ୍କୁ ବିଦ୍ୟାଳୟକୁ ପଠାଯାଇଛି।
ସୂଚନାଯୋଗ୍ୟ, ଏକ କଦଳୀ ଚୋରି ଘଟଣାରେ ସତକଥା କହିବାକୁ ଯାଇ ବିଦ୍ୟାଳୟର ଶିକ୍ଷକ ପ୍ରଭାତ କୁମାର ଜେନାଙ୍କ ସମେତ ପ୍ରଧାନ ଶିକ୍ଷକ ଓ ପଣ୍ତା ସାର୍ ରାଧାମୋହନଙ୍କୁ ମାରଧର କରିଥିଲେ। ମାନସିକ ଓ ଶାରିରୀକ ଭାବେ ନିର୍ଯାତନା ଦେବା ସହ ରାଧାମୋହନର ବାପା ଓ ଭାଇଙ୍କୁ ଡକାଇ ଏକ କାଗଜରେ ଦସ୍ତଖତ ନେଇ ସେ ପାଗଳ ହୋଇଥିବା ଦର୍ଶାଇ ବିଦ୍ୟାଳୟରୁ ବାହାର କରିଦେଇଥିଲେ। ନିରୁପାୟ ହୋଇ ରାଧାମୋହନର ପରିବାର ଲୋକ ନ୍ୟାୟ ପାଇବା ଆଶାରେ ଶେଷରେ ସମ୍ବାଦ ନିକଟରେ ଅଭିଯୋଗ କରିଥିଲେ। ଏ ନେଇ ସମ୍ବାଦରେ ଗତ ଫେବ୍ରୁଆରୀ ୮ତାରିଖ ଦିନ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ସମ୍ପୃକ୍ତ ଶିକ୍ଷକଙ୍କୁ ପଚରାଉଚରା କରିଥିଲେ। ମାତ୍ର ଘଟଣାର ସମାଧାନ କରିବା ପରିବର୍ତ୍ତେ ଛାତ୍ରଙ୍କ ନିକଟକୁ ନଯାଇ ଶିକ୍ଷକଙ୍କ ସହ ଆଲୋଚନା କରି ଏକତରଫା ତଦନ୍ତ କରି ଫେରି ଆସିଥିଲେ ସମ୍ପୃକ୍ତ ଅଧିକାରୀ। ପରେ ଗତ ୧୫ ତାରିଖ ଦିନ ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡ ଲାଇନ୍ର ଦ୍ବାରସ୍ଥ ହୋଇଥିଲେ ରାଧାମୋହନ। ଗତ ୧ ତାରିଖ ଦିନ ଚାଇଲ୍ଡ ଲାଇନ୍ ସଦସ୍ୟ ନିରଞ୍ଜନ ସାହୁ ଓ ଗଣିଆ ଉନ୍ନୟନ ପରିଷଦ (ଜିୟୁସି)ର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ବିଦ୍ୟାଳୟରେ ପହଞ୍ଚି ଘଟଣାର ଖୋଳତାଡ୍ କରିଥିଲେ। ବିଭିନ୍ନ ସମୟରେ ଘଟଣାକୁ ଚପାଇ ଚାଲିଥିବା କର୍ତ୍ତୃପକ୍ଷ ଶେଷରେ ନିରାଶ ହୋଇଥିଲେ। ନିଜେ ପ୍ରଧାନ ଶିକ୍ଷକ ରାଧାମୋହନଙ୍କ ଘରେ ପହଞ୍ଚିବା ସହ ତାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଆଜି ପରିବାର ପକ୍ଷରୁ ରାଧାମୋହନଙ୍କୁ ବିଦ୍ୟାଳୟରେ ଛଡ଼ାଯାଇଛି। ଶେଷରେ ସମ୍ବାଦ ନିକଟରେ ପହଞ୍ଚି ଅଭିଯୋଗ କରିବା ପରେ ଆଜି ତାଙ୍କୁ ନ୍ୟାୟ ମିଳିପାରିଥିବା ପରିବାର କହିଛନ୍ତି।
ତେବେ ବଡ଼କଥା ହେଉଛି ଯେଉଁ ଶିକ୍ଷକମାନେ ରାଧାମୋହନଙ୍କୁ ପାଗଳ କହି ଘରକୁ ପଠାଇଦେବା ସହ ପାଗଳ ସାର୍ଟିର୍ଫିକେଟ ଆଣିଲେ ବିଦ୍ୟାଳୟରେ ରଖିବା ପାଇଁ ପରିବାର ଲୋକଙ୍କୁ କହିଥିଲେ, ଆଜି କିଭଳି ରାଧାମୋହନ ଭଲ ହୋଇଗଲା ଓ ବିନା ପାଗଳ ସାର୍ଟିର୍ଫିକେଟରେ ବିଦ୍ୟାଳୟରେ ରଖାଗଲା ତାହା ଏବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅସଲ ଚେହେରାକୁ ପଦାକୁ ଆଣିଛି। ଏଭଳି କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ତେବେ ଘଟଣାକୁ ଚାପିବାକୁ ଯାଇ ରାଧାମୋହନଙ୍କୁ ବିଦ୍ୟାଳୟକୁ ନିଆଯାଇଥିବା ବେଳେ ଆଗକୁ ରାଧାମୋହନ କିଭଳି ସୁରକ୍ଷିତ ରହି ପାଠ ପଢ଼ୁଛନ୍ତି ତାହାକୁ ଅପେକ୍ଷା କରାଯାଇଛି।