ପୁରୁଷୋତ୍ତମପୁର: ପଞ୍ଚମରେ ଉତ୍ତୀର୍ଣ୍ଣ ହୋଇ ଆସିଲେ। ଟିସି ପାଖରେ ଥାଇ ସୁଦ୍ଧା ନୂଆ ସ୍କୁଲ୍ରେ ଷଷ୍ଠ ଶ୍ରେଣୀରେ ନାମଲେଖା ହୋଇ ପାରୁନି। ଶେଷରେ ସ୍କୁଲ ଫାଟକ ଆଗରେ ରାସ୍ତାରେ ବସି ଚଣା, ମୁଢ଼ି, ମିକ୍ସଚର୍, ଚକୋଲେଟ୍ ଓ କୁର୍କୁରେ ବିକି ଅଭିନବ ଢଙ୍ଗରେ ଜଣେ ଛାତ୍ର ପ୍ରତିବାଦ କରିବା ଘଟଣା ଯେତିକି ହୃଦୟସ୍ପର୍ଶୀ, ସେତିକି ଉଦ୍ବଗର ବିଷୟ ହୋଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍ଏସି ଅଧୀନ କୁମାରୀ ଗ୍ରାମରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ବିଦ୍ୟାଳୟରେ ନାମଲେଖା ପାଇଁ ଛାତ୍ରଙ୍କ ପାଖରେ ପୁରୁଣା ସ୍କୁଲ୍ ଲିଭିଂ ସାର୍ଟିଫିକେଟ୍ ଥାଇ ବି ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଅନଲାଇନ୍ରେ ଆବେଦନ କରି ସାର୍ଟିଫିକେଟ୍ ଦାଖଲ କରିବାକୁ ତାଙ୍କ ଉପରେ ଚାପ ପକାଉଛନ୍ତି। ଏଭଳି ଅଭିଯୋଗ ଆଣି, ଛାତ୍ରଜଣକ ଆଜି ନିରବ ପ୍ରତିବାଦ ପନ୍ଥା ଗ୍ରହଣ କରିଥିଲେ। କେବଳ ଏତିକି ନୁହେଁ, ‘ମୋତେ ଆଡମିସନ୍ ନମିଳିଲେ ନଦୀକୁ ଡେଇଁପଡ଼ିବି’ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଏ ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି।
ସୂଚନାନୁସାରେ, କୁମାରୀ ଗ୍ରାମର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୁଅ ଶିବଶଙ୍କର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପୁରୁଷୋତ୍ତମପୁରସ୍ଥିତ ଏସ୍.ଆର୍.ଆଗ୍ରାହାମ୍ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିଲେ। ଏହାପରେ ଗତ ଏପ୍ରିଲ୍ ୩୦ ତାରିଖରେ ଚଢ଼େୟାପଲ୍ଲୀସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। କିନ୍ତୁ ବିଦ୍ୟାଳୟକୁ ଯିବାଆସିବା କରିବା କଷ୍ଟସାଧ୍ୟ ହେବାରୁ ବାପା କୃଷ୍ଣଚନ୍ଦ୍ର ଚଢ଼େୟାପଲ୍ଲୀ ହାଇସ୍କୁଲ୍ରୁ ଚଳିତ ମାସ ୧୩ ତାରିଖରେ ଶିବଶଙ୍କରଙ୍କ ଟିସି ଉଠାଇ ଆଣିଥିଲେ। ନିଜ ଗାଁ କୁମାରୀସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ପାଇଁ ପହଞ୍ଚିଥିଲେ।