କଳଙ୍କ ଦେଲେ କାଳିଆ ସାର୍‌!

ନୟାଗଡ଼ ପୁଲିସର ତନାଘନା

ନୟାଗଡ଼ : ଛାତ୍ରୀ ନିବାସରେ ଅଧ୍ୟାପକଙ୍କ ଯୌନ କେଳେଙ୍କାରି। ପ୍ରଥମେ ଦୁଷ୍କର୍ମ ଓ ପରେ କଲେଜ ପରୀକ୍ଷାରେ ମାର୍କ କମାଇ ଦେବାର ଡର ଦେଖାଇ ବାରମ୍ବାର ଶାରୀରିକ ସଂପର୍କ। ନୟାଗଡ଼ ଜିଲ୍ଲାର ଜଣେ କଲେଜ ଛାତ୍ରୀଙ୍କ ସହ ଘଟିଛି ଏଭଳି ଘଟଣା। ଏ ସଂପର୍କରେ ଛାତ୍ରୀଙ୍କର ଜଣେ ସାଙ୍ଗ ସଂପୃକ୍ତ ଅଧ୍ୟାପକଙ୍କ ସ୍ତ୍ରୀଙ୍କୁ ଏ ବିଷୟ ଜଣାଇବା ପରେ ଘଟଣାର ପର୍ଦାଫାସ୍‌ ହୋଇଛି। କେବଳ ଏତିକି ନୁହେଁ, ଏହି କଥାବାର୍ତ୍ତାର ଅଡିଓ ଟେପ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଆଜି ଜିଲ୍ଲାସାରା ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଛାତ୍ରୀ ଜଣକ ଅଧ୍ୟାପକଙ୍କ କଳା କାରନାମା ବର୍ଣ୍ଣନା କରିଛନ୍ତି। ଅଡିଓ ଟେପ୍‌ରେ ଛାତ୍ରୀ ଜଣକ ନୟାଗଡ଼ ନାଁ ଉଚ୍ଚାରଣ କରୁଥିବାରୁ ଏହି ଘଟଣା ନୟାଗଡ଼ ଜିଲ୍ଲାର କୌଣସି ଏକ କଲେଜରେ ହୋଇଥିବା ସନ୍ଦେହ ହେଉଛି। ଛାତ୍ରୀ ଜଣଙ୍କ ସଂପୃକ୍ତ ଅଧ୍ୟାପକଙ୍କ ନାଁ କାଳିଆ ସାର୍‌ ବୋଲି କହିଛନ୍ତି। କହିଛନ୍ତି, ‘କାଳିଆ ସାର୍‌ ବହୁ ଝିଅଙ୍କ ଜୀବନ ବରବାଦ୍‌ କରିଛନ୍ତି, ସେ ସବୁବେଳେ ଫାଇଦା ଉଠାଇବାକୁ ଚାହାଁନ୍ତି। କେହି ଯଦି ତାଙ୍କ କଥାରେ ରାଜି ନହେଲା, ତେବେ ତାକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରନ୍ତି। ଆମ ଗାଁର ପୂଜା ମୋର ସାଙ୍ଗ। ଦୁଇ ଜଣ ନୟାଗଡ଼ରେ ଯୁକ୍ତ ଦୁଇ ପଢ଼ିବାକୁ ଆସି କାଳିଆ ସାର୍‌ଙ୍କ ହଷ୍ଟେଲ୍‌ରେ ରହିଥିଲୁ। ହଷ୍ଟେଲ୍‌ରେ ଯେଉଁ ରୁମ୍‌ରେ ବାସନ ରୁହେ, ସେଠାରେ କାଳିଆ ସାର୍‌ ପୂଜାକୁ ପ୍ରଥମେ ରେପ୍‌ କରିଥିଲେ। ପରେ ପ୍ରାକ୍ଟିକାଲ୍‌ରେ ମାର୍କ କମାଇଦେବାକୁ ଧମକାଇ ତା ସହ ବହୁବାର ଶାରୀରିକ ସଂପର୍କ ରଖିଛନ୍ତି…..।’

୧୮ ମିନିଟ୍‌ ୬ ସେକେଣ୍ଡ୍‌ର ଏହି ଅଡିଓ ଟେପ୍‌ରେ ଏଭଳି ଅନେକ ଚାଞ୍ଚଲ୍ୟକର କଥା କହିଛନ୍ତି ଛାତ୍ରୀ ଜଣକ। କେବଳ ସେତିକି ନୁହେଁ, ଛାତ୍ରୀ ଜଣକ ଏହି ବାର୍ତାଳାପ ସଂପର୍କରେ କାଳିଆ ସାରଙ୍କୁ କିଛି ନକହିବାକୁ କହିଛନ୍ତି। କାଳିଆ ସାର୍‌ଙ୍କୁ କହିଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣାରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବିଭିନ୍ନ ରାଜନୈତିକ ଦଳ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ନୟାଗଡ଼ ପୁଲିସ ତନାଘନା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର