ଭୁବନେଶ୍ବର: କିଏ ହାରିଗଲା- ସୌମ୍ୟାଶ୍ରୀ ନା ଏ ବ୍ୟବସ୍ଥା ? କାହାର ପ୍ରାଣବାୟୁ ଉଡ଼ିଗଲା- ପେଟ୍ରୋଲ ଢାଳି ନିଜକୁ ଜାଳି ନ୍ୟାୟ ପାଇଁ ନିଆଁରେ ପୋଡି ଦେଇଥିବା ସେ ଛାତ୍ରୀ ନା ଜଳିଗଲା ହୁଗୁଳା ବ୍ୟବସ୍ଥାର ହାଡ଼ କଙ୍ଗାଳ ? ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ବୋଲି ରାତାରାତି ସିନା ମୃତ ସୌମ୍ୟାଶ୍ରୀର ଶବକୁ ନେଇ ବ୍ୟବଚ୍ଛେଦ କରିଦେଲ, ହେଲେ ଏ ବ୍ୟବସ୍ଥାର ବ୍ୟବଚ୍ଛେଦ କେବେ ? କିଏ କରିବ ପୋଲି-ପ୍ରଶାସନ କରିଥିବା ଅବହେଳାର ପୋଷ୍ଟମର୍ଟମ୍ ? କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଝିଅଟି ଯେଉଁମାନଙ୍କୁ ନ୍ୟାୟ ପାଇଁ ନେହୁରା ହୋଇ ନୀରବି ଯାଇଛି କିଏ ଦେବ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ? ଦେଇପାରିବେ ତ ଏ ସରକାର ? କୁହ.. ଜବାବ ଦିଅ.. ଏ ପ୍ରଶ୍ନ ଆମେ ବିରୋଧୀର ମୁହଁରୁ ଛଡାଇ କହୁନେ ବରଂ ଲୋକଙ୍କ ପାଟିରୁ ଶୁଣି ଏକ ଦାୟିତ୍ବବାନ ଗଣମାଧ୍ୟମ ଭାବରେ ପଚାରୁଛୁ.. ଲୋକଙ୍କ କଥାକୁ ଲୋକଙ୍କ ସରକାରକୁ ପଚରାଯିବନି ତ ଆଉ କାହାକୁ ପଚରାଯିବ.. ?
ଗୋଟେ ବିଫଳ ବ୍ୟବସ୍ଥା କେମିତି ଜଣଙ୍କ ଜୀବନ ନେଇଯାଇପାରେ ତାହାକୁ ନିଜ ଭାଷାରେ ଉଲ୍ଲେଖ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି- ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ; ଯାହା ସାହାଯ୍ୟ କରିବା ବଦଳରେ ଚୁପ୍ ରହିଲା। ନ୍ୟାୟ ପାଇବାକୁ ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଦେଲା। ସେ ଅତି ସାହସିକତାର ସହ ତା' ସହିତ ଘଟିଥିବା ଯୌନ ନିର୍ଯାତନା ବିଷୟରେ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଥିଲା। କଲେଜ ପଦାଧିକାରୀଙ୍କ ଦ୍ଵାରା ଅଣଦେଖା ହେବା ପରେ ସେ ଅଟକି ଯାଇ ନଥିଲା। ନ୍ୟାୟ ପାଇବାକୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀ, ଙ୍କ କାର୍ଯ୍ୟାଳୟ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲା। ଏପରି କି ବାଲେଶ୍ୱର ସାଂସଦଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଭେଟି ନିଜ ଦୁଃଖ ବିଷୟରେ କହିଥିଲା। ଜଣେ କେହି ବି ଯଦି ଉତ୍ତରଦାୟିତ୍ୱ ନେଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିଥାନ୍ତେ, ତେବେ ହୁଏତ ଝିଅଟିର ଜୀବନ ବଞ୍ଚିଯାଇଥାନ୍ତା..
ବୋଲି ନବୀନ ଲେଖିଥିବା ବେଳେ ଏ ପ୍ରଶ୍ନ ଆଜି ସାରା ରାଜ୍ୟରେ ଗୁଞ୍ଜରିତ ହେଉଛି କି- ବଞ୍ଚିଥିବା ବେଳେ ଚାରିଆଡୁ ନିରାଶ ହେବା ପରେ ଏକା ଏକା ନିଜ ପାଇଁ ନ୍ୟାୟର ଲଢେଇ ଲଢୁଥିବା ସୌମ୍ଯାଶ୍ରୀଙ୍କୁ କେହି ବି ସାହା ହୋଇନଥିଲେ । ସିଏ ନିଜ ପାଇଁ ନିଜେ ଲଢୁଥିଲେ ଆଉ ଯେତେବେଳେ ଲଢି ଲଢି ହାରିଗଲେ ଶେଷରେ ଜୀବନ ହାରିଦେବାର ନିଷ୍ପତ୍ତି ନେଇ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ .. ବାସ୍ ତାପରେ ହିଁ ଯାହା ସବୁ ଘଟିଗଲା ତାହା ତ ସବୁ ସମସ୍ତେ ଜାଣନ୍ତି । ଶିକ୍ଷାନୁଷ୍ଠାନରୁ ଶ୍ମଶାନ ଯାଏଁ ଯାହା ହେଲା- କିଏ ଜଳିଲା, କିଏ ଗର୍ଜିଲା, କିଏ ରାଜନୀତି କଲା, କିଏ କୁମ୍ଭୀର କାନ୍ଦଣା କାନ୍ଦିଲା, କାହା ପାଇଁ ବଡ଼ ହସ୍ପିଟାଲରେ ହଲଚଲ ହେଲା ଆଉ ପୁଣି କିଏ ନିଜ ଝିଅକୁ ହରେଇଲା .. ଆରମ୍ଭରୁ ଅନ୍ତ ଯାହା ଯାହା ସୌମ୍ୟାଶ୍ରୀଙ୍କୁ ନେଇ ଏ ସମାଜରେ ଘଟିଯାଇଛି ଏବଂ ଘଟିଛି ତାହା ଯଦି ଆଗରୁ ଟିକେ ହଇଥାନ୍ତା ହୁଏତ ଆଜି ଝିଅଟି ବଞ୍ଚିଥାନ୍ତା.. କିନ୍ତୁ ହାଏ ଏ ବ୍ୟବସ୍ଥା ହିଁ ଏମିତି । ଏଠି ବଞ୍ଚିଥିବା ବେଳେ ନହେଁ ମଲା ପରେ ହିଁ ଶବ ଉପରେ ବସି ବ୍ୟବସ୍ଥା ବୁଝେ ଦୁଃଖ । ସରକାର ଶୁଣନ୍ତି ଶବ ଭିତରରୁ ଶୁଭୁଥିବା ଅଭିଯୋଗ ।
ଯେତେବେଳେ ବ୍ୟବସ୍ଥାର ଅବହେଳା କଥା ଉଠୁଛି ତାହାଲେ ସେ ବ୍ୟବସ୍ଥାକୁ ବି କାଠଗଡାକୁ ଟାଣନ୍ତୁ ସରକାର । କାରଣ କୌଣସି ବି ଜୀବନ, କାହାର ବି ଜୀବନ ଶସ୍ତା ନୁହେଁ- ଯାହା ବ୍ୟବସ୍ଥାର ବନ୍ଦୀ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିବ । ଆମ ଦେଶ ସ୍ବାଧୀନ ଦେଶ, ଏଠି ଗଣତନ୍ତ୍ରକୁ ପୂଜା କରାଯାଏ, ଜନତା ହିଁ ଏ ଦେଶର- ଏ ସରକାର, ଏ ବ୍ୟବସ୍ଥାର ପ୍ରାଣପିଣ୍ଡ । ଯେଉଁଠି ଜନତା ଅସୁରକ୍ଷିତ ସେଠି ବ୍ୟବସ୍ଥାର ବାଃ ବାଃ କରିବା ବୃଥା.. ତେଣୁ ବ୍ୟବସ୍ଥାର ବ୍ୟବଚ୍ଛେଦ ହେଉ । ସରକାର ତାଙ୍କ ପୋଷ୍ଟମର୍ଟମ ଟେବୁଲରେ ନିଜେ ଗୋଟି ଗୋଟି ଖିଅର ତଦନ୍ତ କରନ୍ତୁ । କାରଣ ଆପଣ ଲୋକଙ୍କ ସରକାର..