ଭୁବନେଶ୍ବର: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ଠାରୁ ନ୍ୟାୟ ନ ପାଇ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପରେ ଉଚ୍ଚଶିକ୍ଷା ବିଭାଗ ପୁଣି ତନାଘନା ଆରମ୍ଭ କରିଛି। ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ୨୪ ଘଣ୍ଟା ମଧ୍ୟରେ ଆଇସିସିର କାର୍ଯ୍ୟକାରିତା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ-୨୦୧୩ର ଧାରା ୪ରେ ଥିବା ନିୟମଗୁଡ଼ିକ ଠିକ୍ ଭାବେ ପାଳନ ହେଉଛି କି ନାହିଁ, ଆଇସିସିରେ ଆବଶ୍ୟକୀୟ ସଂଖ୍ୟକ ମହିଳାଙ୍କ ଉପସ୍ଥିତି, ୟୁଜିସି ନିୟମ ଅନୁଯାୟୀ କ୍ୟାମ୍ପସ୍ ବାହାରର ପ୍ରତିନିଧି ଅଛନ୍ତି କି ନାହିଁ, ସେ ସମ୍ପର୍କରେ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ୨୦୧୫ରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଜାରି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଆହୁରି କୁହାଯାଇଛି ଯେ ଆଇସିସି ସଦସ୍ୟଙ୍କ ନାମ ଓ ଫୋନ୍ ନମ୍ବରକୁ କ୍ୟାମ୍ପସ୍ର ପ୍ରମୁଖ ସ୍ଥାନ ଯେପରିକି ବିଭାଗର ନୋଟିସ୍ ବୋର୍ଡ, ଅଫିସ୍, ହଷ୍ଟେଲ, ପ୍ରେକ୍ଷାଳୟ, କ୍ରୀଡ଼ା ଷ୍ଟାଡିୟମ୍ରେ ପ୍ରଦର୍ଶିତ କରାଯିବ। ଏଥିସହ ହାୟର ଏଜୁକେସନ୍ ଇନ୍ଫର୍ମେସନ୍ ଆଣ୍ଡ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ (ଏଚ୍ଆଇଏମ୍ଏସ୍) ପୋର୍ଟାଲରେ ଆଇସି ସଦସ୍ୟଙ୍କ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ-୨୦୧୩ ସମ୍ପର୍କରେ ସଚେତନତା ସୃଷ୍ଟି ଓ ଏହାର ନିବାରଣ କରିବା ପାଇଁ ତୁରନ୍ତ କର୍ମଶାଳା ଆୟୋଜନ କରିବାକୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ କୁଳସଚିବ, ସରକାରୀ, ଅନୁଦାନପ୍ରାପ୍ତ, ଅଣଅନୁଦାନପ୍ରାପ୍ତ ଡିଗ୍ରି କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇସିସିର ସମ୍ପୂର୍ଣ୍ଣ ତଥ୍ୟ ଯେଉଁଠାରେ ଉପଲବ୍ଧ ହେଉଥିବ ତାହାର ଜିଓ-ଟ୍ୟାଗ୍ଡ ଫଟୋଗୁଡ଼ିକ ଗୁଗୁଲ୍ ଡ୍ରାଇଭ୍ ଲିଙ୍କ୍ରେ ଅପଲୋଡ୍ ସୁନିଶ୍ଚିତ କରିବାକୁ କୁହାଯାଇଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ। ୨୦୨୫ ମେ’ ୧୫, ୨୦୨୪ ସେପ୍ଟେମ୍ବର ୨୩ରେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଏ ପ୍ରସଙ୍ଗରେ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି। ତା’ସତ୍ତ୍ବେ ମଧ୍ୟ ଆଇନ ଠିକ୍ ଭାବେ ପାଳନ ହେଉ ନାହିଁ। ପ୍ରାୟ ୨୦୦ ଉଚ୍ଚଶିକ୍ଷାନୁଷ୍ଠାନ ଏ ପର୍ଯ୍ୟନ୍ତ ଆଇସିସି ଗଠନ କରି ନ ଥିବା ଅଭିଯୋଗ ଆସିଛି। ୨୦୧୩ ଆଇନ ଅନୁଯାୟୀ ସରକାରୀ ହେଉ କିମ୍ବା ବେସରକାରୀ ସଂସ୍ଥା, ଯେଉଁଠି ଦଶ ଜଣରୁ ଅଧିକ ମହିଳା କର୍ମଚାରୀ ଅଛନ୍ତି ସେଠାରେ ଗୋଟିଏ ଆଇସିସି ଗଠନ ହେବା ବାଧ୍ୟତାମୂଳକ। ଏଥିରେ କାର୍ଯ୍ୟାଳୟର ଜଣେ ବରିଷ୍ଠ କର୍ମଚାରୀ ‘ପ୍ରିଜାଇଡିଂ ଅଫିସର’ ଦାୟିତ୍ୱରେ ରହିବେ ଓ ଅନ୍ୟ ଦୁଇଜଣ ସଦସ୍ୟ ରହିବେ। ଏହାସହିତ ଜଣେ ବାହ୍ୟ ସଦସ୍ୟ ମଧ୍ୟ ରହିବେ। ମୋଟ ସଦସ୍ୟଙ୍କ ଭିତରୁ ଅତି କମ୍ରେ ଅଧା ମହିଳା ହୋଇଥିବେ। କମିଟି ନିୟମିତ ଭାବରେ ବୈଠକ କରି କାର୍ଯ୍ୟସ୍ଥଳରେ ମହିଳାଙ୍କ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ନିଯୁକ୍ତିଦାତାଙ୍କୁ ସୁପାରିସ କରିପାରିବେ। କର୍ମସ୍ଥଳରେ ଯୌନ ଶୋଷଣ, ହିଂସା ବା ନିର୍ଯାତନାର ଅଭିଯୋଗ ଆସିଲେ ଉକ୍ତ କମିଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବେ। ଅଭିଯୋଗ ଆସୁ ବା ନ ଆସୁ, ଏକ ବାର୍ଷିକ ବିବରଣୀ ପ୍ରସ୍ତୁତ କରି ଜିଲ୍ଲା ଅଧିକାରୀଙ୍କୁ ଦେବେ। ଯଦି କୌଣସି ସରକାରୀ, ବେସରକାରୀ କାର୍ଯ୍ୟାଳୟ କିମ୍ବା ପ୍ରତିଷ୍ଠାନ ଏଥିରେ ଖିଲାପ କରନ୍ତି ସେମାନଙ୍କୁ ଜରିମାନା କରାଯିବ। ଆଜି ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ଆଇନ ପାଳନ ହୋଇପାରୁ ନ ଥିବାରୁ ବାରମ୍ବାର ନିର୍ଯାତନା ଘଟଣା ସାମନାକୁ ଆସୁଛି।