ସ୍କୁଲରେ ଅପମାନ ସହି ନ ପାରି ଛାତ୍ରର ଆତ୍ମହତ୍ୟା

ଭଂଜନଗର/ବୁଢାମ୍ବ : ଶ୍ରେଣୀ ଗୃହରେ ପାଟିତୁଣ୍ଡ କରିବାରୁ ଶିକ୍ଷକ ଗାଳିଦେଲେ। ଅଭିଭାବକଙ୍କୁ ସ୍କୁଲକୁ ଡକାଇଲେ। ଅଭିଭାବକ ବି ଆସି ତାଙ୍କୁ ତାଗିଦ୍‌ କଲେ। ସବୁ ପିଲାଙ୍କ ସମ୍ମୁଖରେ ଏଭଳି କଟୁକଥା ଶୁଣିବା ସହ ମାଡ଼ ଖାଇବା ପରେ ଅପମାନରେ ଜର୍ଜରିତ ନବମ ଶ୍ରେଣୀର ଛାତ୍ରଜଣକ କୀଟନାଶକ ପିଇ ଜୀବନ ହାରିଦେଲେ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ସୁନାପଲ୍ଲୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ମୃତ ଛାତ୍ରଙ୍କ ନାମ ସୌରଭ ସାହୁ (୧୪)।  ବାପମା’ଛେଉଣ୍ଡ ସୌରଭ ନିଜ ଅଜା ଜଗମୋହନଙ୍କ ପାଖରେ ସୁନାପଲ୍ଲୀ ଗାଁରେ ରହି ସାଇବାଣୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢୁଥିଲେ। ସବୁଦିନ ଭଳି ଆଜି ବି ସେ ବିଦ୍ୟାଳୟକୁ ଯାଇଥିଲେ। ମିଳିଥିବା ସୂଚନା ଅନୁସାରେ ସୌରଭ ଶ୍ରେଣୀଗୃହରେ ପାଟିତୁଣ୍ଡ କରୁଥିବା ଖବର ପ୍ରଧାନ ଶିକ୍ଷକ ସଂଜୟ ସଂଜୟ ସ୍ୱାଇଁଙ୍କ ପାଖରେ ପହଞ୍ଚିଥିଲା। ପ୍ରଧାନ ଶିକ୍ଷକ ସଂଗେ ସଂଗେ ସୌରଭଙ୍କ ଅଜା ଜଗମୋହନଙ୍କୁ ବିଦ୍ୟାଳୟକୁ ଅନ୍ୟ ପିଲାଙ୍କ ଦ୍ୱାରା ଡକାଇ ଥିଲେ। ଅଜା ପହଞ୍ଚିବା ପରେ ଶ୍ରେଣୀଗୃହରେ ହିଁ ପ୍ରଧାନ ଶିକ୍ଷକ ସୌରଭଙ୍କୁ ଗାଳି ଦେଇ ଥିଲେ। ଖାଲି ଏତିକି ନୁହେଁ, ଅଜା ଜଗମୋହନ ବି ସୌରଭଙ୍କୁ ହାତ ଉଠାଇ ତାଗିଦ୍‌ କରିଥିଲେ। ଏହା ପରେ ସରସ୍ୱତୀଙ୍କ ଫଟୋ ଛୁଇଁ ଦୁଷ୍ଟାମି ନକରିବାକୁ ଶପଥ ନେବା ପାଇଁ ସୌରଭଙ୍କୁ ବାଧ୍ୟ କରାଯାଇଥିଲା।

ସହପାଠୀଙ୍କ ସମ୍ମୁଖରେ ଏଭଳି ଅପମାନକୁ ବୋଧହୁଏ ସୌରଭ ସହ୍ୟ କରି ପାରି ନଥିଲେ। ମଧ୍ୟାହ୍ନ ଭୋଜନ ବିରତିରେ ହିଁ ସେ ସିଧା ଘରକୁ ଯାଇ ମୁଗରେ ପ୍ରୟୋଗ କରାଯାଉଥିବା କୀଟନାଶକ ଔଷଧ ପିଇ ଦେଇ ଥିଲେ।

ସମ୍ବନ୍ଧିତ ଖବର