କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ର ନିର୍ଯାତନା, ଆତ୍ମହତ୍ୟା ପାଇଁ ଧମକ ଦେଲେ ଛାତ୍ର

ବ୍ୟାସନଗର: ବ୍ୟାସନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ନିର୍ଯାତନା ଦିଆଯାଇଛି। ଏହି ନିର୍ଯାତନା ସହି ନପାରି ଏହି ଛାତ୍ରଜଣଙ୍କ ଆତ୍ମହତ୍ୟା ପାଇଁ ଧମକ ଦେଉଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ବିଦ୍ୟାଳୟ କର୍ତ୍ତର୍ୃପକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଅଭିଯୋଗକାରୀ ହେଉଛନ୍ତି ସିଆର୍‌ପିଏଫ୍‌ର ଜଣେ ଅବସରପ୍ରାପ୍ତ କର୍ମଚାରୀ ଅଶୋକକୁମାର ଲେଙ୍କା। ବିଦ୍ୟାଳୟର ଜନୈକ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ସେ ଆଜି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପୁଅ ବିଶ୍ୱଜିତ୍‌ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ସେ କୋଲକାତାରେ କାର୍ଯ୍ୟରତ ଥିବାବେଳେ ତାଙ୍କ ପୁଅ ସେଠାରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିଲା। ଗତବର୍ଷ ଅବସର ପରେ ବ୍ୟାସନଗର ଫେରିଆସି ଏଠାରେ ନାମ ଲେଖାଇଥିଲେ।

କିଛିଦିନ ତଳେ ଶ୍ରୀ ଲେଙ୍କା ଓ ତାଙ୍କ ପତ୍ନୀ ସରୋଜିନୀ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ଠିକ୍‌ ଭାବେ ପାଠ ପଢ଼ାଉନଥିବା ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ, ଏହାପରଠାରୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ପ୍ରତିକ୍ରିୟାଶୀଳ ହୋଇ ତାଙ୍କ ପୁଅକୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ସେ ନିଜେ ନିର୍ଯାତନା ଦେବା ସହିତ ଶ୍ରେଣୀ ମନିଟର୍‌ଙ୍କ ମାଧ୍ୟମରେ ମଧ୍ୟ ତାଙ୍କ ପୁଅ ଉପରେ ମାନସିକ ଚାପ ପକାଉଥିଲେ। ଏହି ନିର୍ଯାତନା ସହି ନ ପାରି ତାଙ୍କ ପୁଅ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିବା ଶ୍ରୀ ଲେଙ୍କା ଅଭିଯୋଗ କରିଛନ୍ତି।

ଶ୍ରୀ ଲେଙ୍କା ଏହି ବିଦ୍ୟାଳୟ ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ କରିବା ସହିତ ଯାଜପୁର ଜିଲ୍ଲାପାଳ, କେନ୍ଦ୍ରୀୟ ବିଦ୍ୟାଳୟ ଆୟୁକ୍ତ, ରାଜ୍ୟ ଶିକ୍ଷାମନ୍ତ୍ରୀ, ରାଜ୍ୟ ଶିଶୁ ଅଧିକାର ଆୟୁକ୍ତ ଓ କେନ୍ଦ୍ର ଶିଶୁ ଆୟୁକ୍ତଙ୍କୁ ମଧ୍ୟ ଜଣାଇଛନ୍ତି। ଏହି ଅଭିଯୋଗ ପରେ ବିଦ୍ୟାଳୟର ଅଧ୍ୟକ୍ଷା ଜୟଶ୍ରୀ ତ୍ରିପାଠୀ ୧୫ ଦିନ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ଏହି ଅଭିଯୋଗକୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ସେ ସ୍କୁଲ୍‌ରେ ଯୋଗଦେବା ଦିନରୁ କୌଣସି ପିଲା ବିରୁଦ୍ଧରେ ଆକ୍ରୋଶମୂଳକ ଭାବେ କିଛି କରିନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର