ଆଉ ୪ କଲେଜରେ ନିର୍ବାଚନ ବାତିଲ୍‌

ଛାତ୍ର ସଂସଦ ନିର୍ବାଚନର ଆଦର୍ଶ ‘ଓୟୁଏଟି’, ସମସ୍ତ ମହାବିଦ୍ୟାଳୟରେ ବିନା ନିର୍ବାଚନରେ ଛାତ୍ର ପ୍ରତିନିଧି

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଲାଗିରହିଛି ଅଶାନ୍ତି। ଗୋଟିଏ ପରେ ଗୋଟିଏ କଲେଜରେ ବୋମା ମାଡ଼ ହେବା ପରେ ନିର୍ବାଚନ ବାତିଲ୍‌ ହେଉଛି। ଗଣ୍ଡଗୋଳ ଯୋଗୁଁ ଗତକାଲି ସୁଦ୍ଧା ୨୨ଟି କଲେଜରେ ନିର୍ବାଚନ ବାତିଲ୍‌ ହୋଇଥିଲା। ଆଜି ଏଥିରେ ଆଉ ୪ଟି କଲେଜ ଯୋଡ଼ି ହୋଇଛି। କ୍ୟାମ୍ପସ ଅଶାନ୍ତି ଓ ଘନ ଘନ ବୋମାମାଡ଼ ଯୋଗୁଁ ଭୁବନେଶ୍ବରର ରାଜଧାନୀ କଲେଜ, ଦେବରାୟ କଲେଜ, ବାରିପଦାର ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟ, କଟକ ଜିଲ୍ଲାର ବାଙ୍କି କଲେଜରେ ମଧ୍ୟ ନିର୍ବାଚନ ବାତିଲ୍‌ ହୋଇଛି। ଏବେ ସୁଦ୍ଧା ରାଜ୍ୟର ମୋଟ ୨୬ଟି କଲେଜରେ ନିର୍ବାଚନ ବାତିଲ୍‌ ହୋଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଛାତ୍ର ଅଶାନ୍ତି ଓ ବୋମା ମାଡ଼ ମଧ୍ୟରେ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଆଦର୍ଶ ପାଲଟିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁୁଏଟି)। ଏହି ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଆଗେଇ ଚାଲିଛି। ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ସମସ୍ତ କଲେଜର ଛାତ୍ର ସଂସଦ ପାଇଁ ନିର୍ବାଚନ ଅନୁ‌ଷ୍ଠିତ ହୋଇନି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ଭିତ୍ତିରେ ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ ଶୃଙ୍ଖଳାର ସହିତ ପ୍ରତିନିଧି ଚୟନ କରାଯାଇଛି। ଏହାଦ୍ବାରା ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବା ସମ୍ଭବ ହୋଇପାରିଛି। ଗତ ୩ ବର୍ଷ ଧରି ଏହି ଧାରା ବଜାୟ ରହିଥିବାରୁ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା। ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଆଶାୟୀ ପାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିବା ପରେ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ନାମାଙ୍କନ ଠିକ୍‌ ଭାବେ ଯାଞ୍ଚ ହୋଇ ନଥିବା ଅଭିଯୋଗ କରି ବିଭିନ୍ନ କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଭୁବନେଶ୍ବରର ରାଜଧାନୀ କଲେଜରେ ଛାତ୍ର ଅଶାନ୍ତିି ଉଗ୍ରରୂପ ହେବା‌ରୁ କଲେଜ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ୍‌ କରିବା ସହ ସାଇନ୍‌ ଡାଏ ଘୋଷଣା କରିଥିଲେ। ଏହାକୁ ବିରୋଧ କରି ଏକ ନିର୍ଦ୍ଧିଷ୍ଟ ଛାତ୍ରଗୋଷ୍ଠୀର ୪ ଜଣ ଛାତ୍ରଛାତ୍ରୀ କଲେଜ ସମ୍ମୁଖ‌େର ଆତ୍ମାହୃତି ଉଦ୍ୟମ କରିଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ସେହିପରି ଦେବରାୟ କଲେଜରେ ସାଇନ୍‌ ଡାଏ ଉଠାଇବା ସହ କ୍ୟାମ୍ପସରେ ନିର୍ବାଚନ କରିବାକୁ ଦାବି କରି ଗୋଟିଏ ଗୋଷ୍ଠୀର ଛାତ୍ରଛାତ୍ରୀ ମଧ୍ୟରାତି ପର୍ଯ୍ୟନ୍ତ ଧାରଣାରେ ବସି ରହିଛନ୍ତି।

ଉକ୍ତ କଲେଜଗୁଡ଼ିକ ବ୍ୟତୀତ ଜଗତ୍‌ସିଂହପୁର ଜିଲ୍ଲାର ଏସ୍‌ଭିଏମ୍‌ କଲେଜ, ପୁରୀର ଏସ୍‌ସିଏସ୍‌ କଲେଜ, କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ବିକ୍ରମ ଦେବ କଲେଜ ଓ ମହିଳା ମହାବିଦ୍ୟାଳୟ, ଦେବଗଡ଼ କଲେଜରେ ଛା‌ତ୍ର ଅଶାନ୍ତି ଲାଗିରହିଛି। ବ୍ୟାପକ ଭଙ୍ଗାରୁଜା ହେବା ସହ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର