ଓଡ଼ିଶାରେ ଜେଏନ୍‌ୟୁ ତାତି : ଭୁବନେଶ୍ୱରରେ ବିଭିନ୍ନ ଛାତ୍ର ସଙ୍ଗଠନଙ୍କ ପ୍ରତିବାଦ ସଭା

ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ: ମୁଖ୍ୟମନ୍ତ୍ରୀ, ଘଟଣାକୁ ନିନ୍ଦା କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ବର : ନୂଆଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ(ଜେଏନୟୁ)ରେ ଦୁର୍ବୃତ୍ତଙ୍କ ଆକ୍ରମଣକୁ ନେଇ ଓଡ଼ିଶାରେ ପ୍ରତିବାଦର ସ୍ବର ଉଠିଛି। ଭୁବନେଶ୍ବରରୁ ବ୍ରହ୍ମପୁର, ହେଉ ଅଥବା କଟକରୁ ବାଲେଶ୍ବର ପର୍ଯ୍ୟନ୍ତ ସବୁଠି ଘଟଣାକୁ ନିନ୍ଦା କରାଯାଇଛି। ଦଳମତ ନିର୍ବିଶେଷରେ ସମସ୍ତ ଛାତ୍ର ସଙ୍ଗଠନ, ରାଜନୈତିକ ଦଳ ଏଭଳି ଅମାନୁଷିକ ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କାଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। କେତେକ ଛାତ୍ର ସଙ୍ଗଠନ ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ମହମବତୀ ଶୋଭାଯାତ୍ରା କରି ସମବେଦନା ଜ୍ଞାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଏହି ହିଂସାକାଣ୍ଡ ପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଏଭଳି ଘଟଣା ନିନ୍ଦନୀୟ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସକୁ ନିବେଦନ କରିବା ସହ ଆହତ ଛାତ୍ରଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସେହିପରି ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଜେଏନୟୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଓ ଜିନେଶ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବି‌ଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଗଣତନ୍ତ୍ରରେ ଭିନ୍ନମତକୁ ଗ୍ରହଣ କରିପାରୁନି। ତେଣୁ ଜେଏନ୍‌ୟୁ ହଷ୍ଟେଲ ଭିତ‌ରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରାଯାଇଛି। ଏଥିପାଇଁ ଆରଏସଏସ ଓ ବିଜେପି ଦାୟୀ। ଜେଏନୟୁ ଘଟଣା ସାରା ଦେଶର ଛାତ୍ର ସମାଜ ପାଇଁ ଏକ ଆହ୍ୱାନ। ଗଣତନ୍ତ୍ରରେ ଭିନ୍ନମତ ପୋଷଣ କରୁଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଆଯାଇଥାଏ। ତେବେ ମୋଦୀ ସରକାର ଏହାକୁ ଚପାଇ ଏକଛତ୍ରବାଦ ଶାସନ ଚଳାଇଛନ୍ତି। ଜାମିଆ-ଇସ୍ଲାମିଆ ଓ ଜେଏନୟୁ ଘଟଣାରୁ ଭାରତୀୟ ଗଣତନ୍ତ୍ର ଘୋର ବିପଦରେ ବୋଲି ଜଣାପଡ଼ୁଛି। ମୋଦି ସରକାରର ଏଭଳି ଏକଛତ୍ରବାଦୀ ନୀତି ବିରୁଦ୍ଧରେ ଦେଶର ଓ ରାଜ୍ୟର ସୁରକ୍ଷା ପାଇଁ ଛାତ୍ର ସମାଜ ଆଗକୁ ଆସି ବିରୋଧ କରିବା ପାଇଁ ସେମାନେ ଆହ୍ବାନ ଦେଇଛନ୍ତି।

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଧ୍ୟ ଘଟଣାକୁ ନିନ୍ଦା କରାଯାଇଛି। ଜେଏନୟୁରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦାବି ହୋଇଛି। ଜେଏନୟୁ ଦେଶର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଭାବେ ପରିଚିତ। ଶୈକ୍ଷିକ ବାତାବରଣରେ ଯେଉଁଭଳି ହିଂସାକାଣ୍ଡ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଗ୍ରହଣଯୋଗ୍ୟ ନୁହେଁ। ଛାତ୍ରଙ୍କ ଉପରେ ହୋଇଥିବା ଏପରି ଘୃଣ୍ୟ କାର୍ଯ୍ୟକୁ ସାରା ଦେଶରେ ଛାତ୍ର ସମାଜ ବିରୋଧ କରିଛି। ଶିକ୍ଷାର ମନ୍ଦିରରେ ହିଂସାର ସ୍ଥାନ ନାହିଁ ବୋଲି ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ଶ୍ରୀ ଚିନ୍ମୟ ସାହୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ଘଟଣାକୁ ନିନ୍ଦା କରି ସଙ୍ଗଠନ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଂସାରେ ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସଙ୍ଗଠନ ପକ୍ଷରୁ ସାରା ରାଜ୍ୟରେ କ୍ୟାଣ୍ଡେଲ ରାଲି ସହ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହୋଇଛି।

ଅଲ୍‌ ଓଡ଼ିଶା ବିପିୟୁଟି ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍‌(ଏଓବିଏସ୍‌ଓ) ପକ୍ଷରୁ ଭୁବନେଶ୍ବରସ୍ଥିତ ରାଜମହଲ ଛକଠାରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ପ୍ରତିଷ୍ଠାତା ତଥା ଯୁବ ବିଜେଡି ସଭାପତି ଅମରେଶ ପତ୍ରୀଙ୍କ ତତ୍ବାବଧାନରେ ଉପ ପ୍ରତିଷ୍ଠାତା‌ ତାରିଣୀ ପ୍ରସାଦ ନାୟକ, ବାସୁଦେବ ସା’ଙ୍କ ନେତୃତ୍ବରେ ଆଲୋକ କୁମାର ବେହେରା, ଅମୀୟ ରଞ୍ଜନ ଦାସ, କିଶୋର ବେହେରା, ଅନନ୍ତ ନାରାୟଣ ଜେନା, ପବନ ସ୍ବାଇଁ, ଅଜୟ କୁମାର, ଜ୍ଞାନଜିତ୍‌ ଦାସ, ସୌମ୍ୟରଞ୍ଜନ ସାମଲ, ପାର୍ଥ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ଓଡିଶା ବିପିୟୁଟି ଛାତ୍ର ସଂଘ ପକ୍ଷରୁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଏଥିରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ତଥା ଓଡିଶା ବିପିୟୁଟି ଛାତ୍ର ସଂଘର ମୁଖ୍ୟ ଉପଦେଷ୍ଟା ଇଂ ପାର୍ଥସରଥୀ ମୁଦୁଲି, ମୁଖ୍ୟ ସଙ୍ଗଠକ ଶକ୍ତି ରଥ, ଆବାହକ ସାଇ ନାରାୟଣ ବେହେରା, ଲିଙ୍ଗରାଜ ମହାନ୍ତି, ସାଂସଦ କୁମାର ନାୟକ, ସୁନୀଲ ମହାପାତ୍ର, ସଭାପତି ଜ୍ୟୋତି ରଞ୍ଜନ ଶତପଥୀ, ଶିବ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ଘଟଣାକୁ ନିନ୍ଦା କରିଥିଲେ। ଯେଉଁଠାରେ ପିଲାଙ୍କ ଭବିଷ୍ୟତ ଗଢ଼ାଯାଉଛି ସେଠାରେ ଏଭଳି ହିଂସା ଲଜ୍ଜାଜନକ। ଯେଉଁମାନେ ଏଭଳି କାର୍ଯ୍ୟରେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଛାତ୍ର ସଂଘ ଦାବି କରିଛି।

ଅଲ୍‌ ଓଡ଼ିଶା ‌ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟସ୍‌ ଅର୍ଗାନାଇଜେସନ(ଏଆଇଡିଏସ୍‌ଓ) ଭୁବନେଶ୍ବର ସିଟି କମିଟି ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏଥିରେ କମ୍ରେଡ ସଙ୍ଗୀତା ଦଳାଇ, ସପ୍ତର୍ଶିନୀ ରାଉଳ, ପଲ୍ଲୀ ମଲ୍ଲିକ, ରେଖା ଦଣ୍ଡପାଟ ପ୍ରମୁଖ ଯୋଗଦେଇ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି।

ଘଟଣାକୁ ଲଜ୍ଜ୍ୟାଜନକ ବୋଲି କହିଛି ନବନିର୍ମାଣ ଯୁବଛାତ୍ର ସଙ୍ଗଠନ। ଏହାର ରାଜ୍ୟ ସ˚ଯୋଜକ ମନୱାର ଅଲ୍ଲୀ ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି ଯେ ସଭ୍ୟ ସମାଜରେ ହି˚ସା ଆଦୌ ସ୍ପୃହଣୀୟ କି ଗ୍ରହଣୀୟ ନୁହେଁ। ଯେଉଁଭଳି ଢଙ୍ଗରେ ଅସାମ୍ମାଜିକମାନେ ମୁଖା ପିନ୍ଧି ଛାତ୍ରନେତା ଓ କର୍ମଚାରୀଙ୍କୁ ଆକ୍ରମଣ କଲେ, ଏହା ଦେଶର ରାଜନୀତିରେ ଏକ କଳଙ୍କମୟ ଅଧ୍ୟାୟ ଯୋଡ଼ିଛି। ଏହି ଘଟଣାର ତଦନ୍ତ ନିରପେକ୍ଷ ସ˚ସ୍ଥା ଦ୍ବାରା କରାଯିବା ସହ ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଭାବେ ଦଣ୍ତ ଦେବାକୁ ସ˚ଗଠନ ରାଜ୍ୟ ସ˚ଯୋଜକ ମନୱାର ଅଲ୍ଲୀ ଓ ସାଇ ପ୍ରସାଦ ପଲାଇ ଦାବି କରିଛନ୍ତି। ଏହି ଘଟଣାରେ ଅପରାଧୀମାନେ ଯଥାଶୀଘ୍ର ଗିରଫ ନହେଲେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର