ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଲିଖିତ ପ୍ରତିଶ୍ରୁତି ପରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ, କ୍ୟାମ୍ପସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ପରୀକ୍ଷା ଦେବାପାଇଁ ୨ଜଣ ଛାତ୍ରଙ୍କୁ ଅନୁମତି ପ୍ରଦାନ ଘଟଣାକୁ କେନ୍ଦ୍ରକରି ଏହି ଛାତ୍ର ଅଶାନ୍ତି ଦେଖାଦେଇଛି। ଏ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌‌ରେ କଡ଼ା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ଦୁଇ ଛାତ୍ର ହେଲେ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଦୀନେଶ ପାଢ଼ୀ ଓ ହୃଷିକେଶ ବାଡ଼ତ୍ୟା। ଗତ ଜୁନ୍‌ମାସ ୩୦ ତାରିଖ ରାତିରେ ଓଡ଼ିଆ ବିଭାଗ ପ୍ରଫେସର ସଦାନନ୍ଦ ନାଇକଙ୍କ କ୍ବାର୍ଟର୍ସରେ ପଶି ମାଡ଼ ମାରିଥିବା ଅଭିଯୋଗରେ ଏହି ଦୁଇଛାତ୍ରଙ୍କୁ କ୍ୟାମ୍ପସ୍‌ ପ୍ରବେଶ ପାଇଁ ବାରଣ କରାଯାଇଥିଲା। ବିଶ୍ବବିଦ୍ୟାଳୟର ଶୃଙ୍ଖଳା କମିଟିର ନିଷ୍ପତ୍ତି ଆଧାରରେ ଏହିଭଳି ପଦକ୍ଷେପ ନିଆଯାଇଥିଲା। ତେବେ, ବିଶ୍ବବିଦ୍ୟ‌ାଳୟରେ ୪ର୍ଥ ସେମିଷ୍ଟର ପରୀକ୍ଷା ଚାଲିଥିବାବେଳେ କିଛି ଛାତ୍ର ଗତ ୧୬ ତାରିଖଦିନ କୁଳପତିଙ୍କୁ ଭେଟି ଦୁଇ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ଶୃଙ୍ଖଳା କମିଟି ଯାହା ନିଷ୍ପତ୍ତି ନେବେ, ତାକୁ କାର୍ଯ୍ୟକାରୀ କରାଯିବ ବୋଲି କୁଳପତି କହିଥିଲେ। ଏ ନେଇ କୌଣସି ନିଷ୍ପତ୍ତି ନହେବାରୁ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଛାତ୍ରମାନେ ଭାରପ୍ରାପ୍ତ କୁଳପତି ତଥା ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସହ ଆଲୋଚନା ପାଇଁ ଯାଉଥିବା ବେଳେ ଫାଟକ ବନ୍ଦ କରିଦିଆଯାଇଥିଲା। ଏଥିସହିତ , ଭିତରକୁ ଛଡ଼ାଯାଇନଥିଲା। ଫଳରେ, ଏହାକୁ ନେଇ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା। ଛାତ୍ରମାନେ ହୋ’ହାଲ୍ଲା କରି ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ପୃକ୍ତ ଦୁଇ ଛାତ୍ର ପରୀକ୍ଷାଦେବା ସମ୍ପର୍କରେ କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ମହାନ୍ତି ପ୍ରତିଶ୍ରୁତି ଦେବାପରେ ଛାତ୍ରମାନେ ବିକ୍ଷୋଭରୁ ଓହରିବା ସହିତ ବିଳମ୍ବରେ ପରୀକ୍ଷା ହଲ୍‌କୁ ଯାଇଥିଲେ। ଏ ସମ୍ପର୍କରେ ପ୍ରଫେସର ମହାନ୍ତି କହିଛନ୍ତି, ଗତ ୩୦ ତାରିଖ ଦିନ ଶୃଙ୍ଖଳା କମିଟି ଯେଉଁ ନିଷ୍ପତ୍ତି ନେଇଛି ସେହି ଅନୁଯାୟୀ ଦୁଇ ଛାତ୍ର ପରୀକ୍ଷା ଦେଇପାରିବେ ନାହିଁ। ଆଜି ଆଉ ଜଣେ ଛାତ୍ରୀ ଅଭିଯୋଗ କରିଥିବା ସେ କହିଥିଲେ। ଆଇସିସି (ଇଣ୍ଟରନାଲ୍‌ କମ୍ପ୍ଲେନ୍‌ କମିଟି)ର ବୈଠକ ବସି ଯାହା ନିଷ୍ପତ୍ତି ନେବେ, ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଫେସର ମହାନ୍ତି କହିଛନ୍ତି। ତେବେ, ଆଗାମୀ ଦିନରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆନ୍ଦୋଳନକୁ ଜୋର୍‌ଦାର୍‌ କରାଯିବ ବୋଲି ଉତ୍ତ୍ୟକ୍ତ ଛାତ୍ରମାନେ ଚେତାବନୀ ଦେଇଥିଲେ। ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ, ଆଜି ବିଶ୍ବବିଦ୍ୟାଳୟ ପରିସରରେ ଆଇସିସି (ଇଣ୍ଟରନାଲ୍‌ କମ୍ପ୍ଲେନ୍‌ କମିଟି)ର ବୈଠକ ଅନୁଷ୍ଠିତ ହୋଇଥିଲା। ୭ ଜଣିଆ କମିଟିକୁ ନେଇ ହୋଇଥିବା ବୈଠକରେ ପ୍ରଫେସର ସଦାନନ୍ଦ ନାଇକଙ୍କ ସମେତ ସମ୍ପୃକ୍ତ ଛାତ୍ରୀ ହାଜର ହୋଇ ନିଜ ନିଜର ମତ ରଖିଥିଲେ। କମିଟି ସେମାନଙ୍କ ବୟାନକୁ ରେକର୍ଡ଼ କରିବା ସହ ୪ ସପ୍ତାହ ମଧ୍ୟରେ କୁଳପତିଙ୍କ ନିକଟରେ ରିପୋର୍ଟ ଦାଖଲ କରିବ ବୋଲି ଜଣାଯାଇଛି।

ପ୍ରକାଶ ଥାଉକି, ଗତମାସ ୩୦ ତାରିଖ ଦିନ ରାତିରେ ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକ ନିଜ କ୍ବାର୍ଟର୍ସରେ ଥିବା ବେଳେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଦୁଇ ଛାତ୍ର ଦୀନେଶ୍‌ ପାଢ଼ୀ ଓ ହୃଷିକେଶ ବାଡ଼ତ୍ୟା କ୍ବାର୍ଟର୍ସରେ ପଶି ମରଣାନ୍ତକ ଆକ୍ରମଣ କରିବା ଫଳରେ ସେ ରକ୍ତାକ୍ତ ହୋଇ ପଡ଼ିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଥିଲା। ସେହିଭଳି, ଜଣେ ଛାତ୍ରୀ ପ୍ରଫେସର ନାୟକଙ୍କ ବିରୋଧରେ ବି ସାଂଘାତିକ ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ। ପ୍ରଫେସର ନାୟକ ତାଙ୍କୁ ଅସଦାଚରଣ କରିଥିବା ନେଇ ସେ ଅଭିଯୋଗ କରିଥିଲେ। ଗୋପାଳପୁର ଥାନା ପୁଲିସ ଦୁଇଟି ପୃଥକ୍‌ ମାମଲା ରୁଜୁ କରି ଦୁଇ ଛାତ୍ରଙ୍କ ସମେତ ପ୍ରଫେସର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରଫେସର ନାୟକଙ୍କୁ ମାଡ଼ ମାରିବା ଅଭିଯୋଗରେ ଶୃଙ୍ଖଳା କମିଟି ଦୁଇ ଛାତ୍ରଙ୍କୁ କ୍ୟାମ୍ପସ୍‌ ଆସିବାକୁ ବାରଣ କରିଥିଲେ।

ସମ୍ବନ୍ଧିତ ଖବର