ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ରେ ପୁଣିଥରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ଅଫ୍ଲାଇନ୍ ପରିବର୍ତ୍ତେ ଅନ୍ଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ଅପରପକ୍ଷରେ ଏନ୍ଆଇଟି କର୍ତ୍ତୃପକ୍ଷ ଦାବିକୁ ଲଗାତାର ଏଡ଼ାଇ ଚାଲିଛନ୍ତି। ଏମିତିକି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାକୁ କର୍ତ୍ତୃପକ୍ଷ ସିଧାସଳଖ ମନା କରିଦେଉଥିବା ଅଭିଯୋଗ ହେଉଛି।
କୋଭିଡ୍ ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ମଧ୍ୟ ପାଠପଢ଼ା ଅନଲାଇନ୍ରେ ହୋଇଥିଲା। ତେବେ ଗତ ୨୩ ତାରିଖରୁ ଅଫ୍ଲାଇନ୍ ଶିକ୍ଷାଦାନ ଆରମ୍ଭ ହୋଇଛି। ମାସକ ପରେ, ଅର୍ଥାତ୍ ଏପ୍ରିଲ ୨୧ ତାରିଖରୁ ସବୁ ବର୍ଷର ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ତେବେ ଏହି ଅଫ୍ଲାଇନ୍ ପରୀକ୍ଷାକୁ ଛାତ୍ରଛାତ୍ରୀ ତୀବ୍ର ବିରୋଧ କରିଛନ୍ତି। ଗତ ୨୨ ତାରିଖରୁ ଛାତ୍ରଛାତ୍ରୀ ଏଭଳି ନିଷ୍ପତ୍ତିକୁ କଡ଼ା ବିରୋଧ କରି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି, କିନ୍ତୁ ସୁଫଳ ମିଳୁନି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୮୦ ପ୍ରତିଶତ ବିଷୟବସ୍ତୁର ଶିକ୍ଷାଦାନ ଅନଲାଇନ୍ରେ ଶେଷ ହୋଇସାରିଥିବାବେଳେ ବଳକା ପାଠ ପାଇଁ ଅଫ୍ଲାଇନ୍ ଶିକ୍ଷା ଦେବା ପାଇଁ କ୍ୟାମ୍ପସ୍କୁ ଡକାଯାଇଛି। ପୂର୍ବରୁ ଅନଲାଇନ୍ରେ ଦାଖଲ କରିସାରିଥିବା ଆସାଇନ୍ମେଣ୍ଟ୍କୁ ପୁନର୍ବାର ଲିଖିତଭାବେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶିକ୍ଷା ବିଭାଗ ପକ୍ଷରୁ ଗତ ଫେବ୍ରୁଆରି ୨୪ରେ ଜାରି ବିଜ୍ଞପ୍ତି ଅନୁସାରେ ପରୀକ୍ଷା ଆୟୋଜନ ନେଇ ଛାତ୍ରଛାତ୍ରୀଙ୍କ ସହମତିକୁ ବିଚାରକୁ ନିଆଯିବାକୁ ଉଲ୍ଲେଖ କରାଯାଇଛି; କିନ୍ତୁ ଏଠାରେ ଏହାର ଅନୁପାଳନ କରାଯାଉନି। ଆଇଆଇଟି ଖଡ଼ଗପୁର, ଏନ୍ଆଇଟି ରାୟପୁର ଆଦି ଶିକ୍ଷାନୁଷ୍ଠାନରେ ଅନଲାଇନ୍ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆସରିଥିବାବେଳେ ଏଠାରେ କିନ୍ତୁ ନ୍ୟାୟସଙ୍ଗତ ଦାବିକୁ ଖୋଲାଖୋଲି ଅଣାଦେଖା କରାଯାଉଛି। ଖୋଲା ଆଲୋଚନା ପାଇଁ ନିବେଦନ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଡ଼ାଇ ଦେଉଥିବା ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ବହୁ ଛାତ୍ରଛାତ୍ରୀ ଭୁବନେଶ୍ବର ବେହେରା ଅଡିଟୋରିୟମ ସମ୍ମୁଖରେ ଏକତ୍ରିତ ହୋଇ ନିଜର ବିରୋଧ ଜାରି ରଖିଛନ୍ତି।