ଭୁବନେଶ୍ୱର : ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ଷ୍ଟୁଡେଣ୍ଟ-ଟ୍ରାଫିକ୍ ଭଲ୍ୟୁଣ୍ଟର୍ ବ୍ୟବସ୍ଥା କମିସନରେଟ୍ ପୁଲିସରେ ସଫଳ ହେବା ପରେ ଏବେ ରାଜ୍ୟର ଆଉ କିଛି ପ୍ରମୁଖ ସହରରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ପୁଲିସ କର୍ତ୍ତୃପକ୍ଷଙ୍କ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ରାଜ୍ୟ ସରକାର।
ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ କୋରାପୁଟ ସହରରେ ପ୍ରଥମେ ଏହି ଯୋଜନା ଲାଗୁ ହେବ। ଏ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଉପରୋକ୍ତ ଜିଲ୍ଲା ଏସ୍ପିିମାନଙ୍କୁ ଅବଗତ କରାଯାଇଛି ବୋଲି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।
କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ଦିନକୁ ଦିନ ଏସବୁ ସହରରେ ଟ୍ରାଫିକ୍ ସମସ୍ୟା ବଢ଼ି ଚାଲିଛି। ଯେଉଁ ଅନୁପାତରେ ଗାଡ଼ି ମୋଟର ଚାଲୁଛି ସେହି ସଂଖ୍ୟାରେ ଟ୍ରାଫିକ୍ କର୍ମଚାରୀ ନାହାନ୍ତି। ଫଳରେ ଟ୍ରାଫିକ୍ ଜାମ୍ ହେବା ସହ ଦୁର୍ଘଟଣା ମଧ୍ୟ ସେହି ଅନୁସାରେ ବଢ଼ି ଚାଲିଛି। ବିଶେଷ କରି ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ସହରରେ ଟ୍ରାଫିକ୍ ସମସ୍ୟା ଅସମ୍ଭାଳ ସ୍ଥିତି ସୃଷ୍ଟି କଲାଣି। ତେଣୁ କମିସନରେଟ୍ ପୁଲିସରେ ଯେଭଳି ଷ୍ଟୁଡେଣ୍ଟ-ଟ୍ରାଫିକ୍ ଭଲ୍ୟୁଣ୍ଟର୍ମାନେ ସହଯୋଗ କରୁଛନ୍ତି ସେହିଭଳି ଉପରୋକ୍ତ ସହରଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀମାନେ ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା କରିବେ। ପ୍ରତ୍ୟେକ ଦିନ ସେମାନେ ମାତ୍ର ୩ ଘଣ୍ଟା ଯେ କୌଣସି ଛକରେ ଠିଆ ହୋଇ ଟ୍ରାଫିକ୍ ପୁଲିସକୁ ସହଯୋଗ କରିବେ। ଏଥିପାଇଁ ସେମାନଙ୍କୁ ଜିଲ୍ଲାର ପୁଲିସ ମୁଖ୍ୟାଳୟରୁ ଏକ ଫର୍ମ ଆଣିବାକୁ ପଡ଼ିବ। ସେହି ଫର୍ମପୂରଣ କରିବା ପରେ କଲେଜ ଅଧ୍ୟକ୍ଷ ଦସ୍ତଖତ କରିବେ। ଏହି ଫର୍ମକୁ ପୁଲିସ ମୁଖ୍ୟାଳୟରେ ଜମା କରିବା ପରେ ସେମାନଙ୍କ ମଧ୍ୟରୁ ପୁଲିସ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବାଛିବ। ସେମାନଙ୍କୁ ସ୍ୱତନ୍ତ୍ର ଡ୍ରେସ୍, ଟୋପି ଆଦି ମଧ୍ୟ ଯୋଗାଇ ଦିଆଯିବ। ପାରିଶ୍ରମିକ ବାବଦରେ ମାସକୁ ସେମାନେ ୩ ହଜାର ଟଙ୍କା ପାଇବେ। ଏହା ଛଡ଼ା ସେମାନଙ୍କୁ ବୀମାଭୁକ୍ତ ମଧ୍ୟ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏପଟେ କମିସନରେଟ୍ ପୁଲିସ ବ୍ୟବସ୍ଥାରେ ଷ୍ଟୁଡେଣ୍ଟ-ଟ୍ରାଫିକ୍ ଭଲ୍ୟୁଣ୍ଟର ବ୍ୟବସ୍ଥା ସଫଳ ହେବା ପରେ କମ୍ୟୁନିଟି ଟ୍ରାଫିକ୍ ପୁଲିସ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ଚାଲିଛି। ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାର ଏହି ପ୍ରସ୍ତାବକୁ ମଞ୍ଜୁର କରିବା ପରେ ଏହା କାର୍ଯ୍ୟକାରୀ ହେବ। ସ୍ଥାନୀୟ ଯୁବକମାନେ ନିଜ ନିଜ ଅଞ୍ଚଳରେ ଥିବା ଛକରେ ଟ୍ରାଫିକ୍ ପୁଲିସ ସହିତ ମିଶି ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା କରିବେ।