ଆରଟିଓରୁ ହଟିବେ ଦଲାଲ, ନିଯୁକ୍ତ ହେବେ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର

ଭୁବନେଶ୍ୱର : ଆରଟିଓ ଅଫିସ୍‌ରୁ ହଟିବେ ଦଲାଲ। ନିଯୁକ୍ତ ହେବେ ‌ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର। ବିଭିନ୍ନ ଲାଇସେନ୍‌ସ୍‌ ସହ ଗାଡ଼ିର ପରମିଟ୍‌ ଓ ଅନ୍ୟାନ୍ୟ କାମ ନେଇ ଆରଟିଓ ଅଫିସ୍‌କୁ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ଭଲ୍ୟୁଣ୍ଟିୟର ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ। ଗୃହ ବିଭାଗର ଘୋଷଣା ପରେ ପରିବହନ ଆୟୁକ୍ତ ସଞ୍ଜୀବ ପଣ୍ଡା ସମସ୍ତ ଆରଟିଓଙ୍କୁ ଏ ବାବଦରେ ଚିଠି ଲେଖିଛନ୍ତି। ତୁରନ୍ତ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର ନିଯୁକ୍ତ କରି ଏହି ସବୁ କାମକୁ ସହଜଲବ୍ଧ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଆରଟିଓ ଅଫିସ୍‌ରେ ମାଳମାଳ ଦଲାଲ ବୁଲି ଲୋକଙ୍କ ସାହାଯ୍ୟ କରିବା ଆଳରେ ବିଭିନ୍ନ ପ୍ରମାଣପତ୍ର ପିଛା ଟଙ୍କା ଆଦାୟ କରନ୍ତି। ଏହା ଖୋଲାଖୋଲି ଭାବେ ଚାଲିଥିବାରୁ ଏହା ପଛରେ ପରିବହନ ବିଭାଗର କର୍ମଚାରୀଙ୍କର ନିରବ ସମର୍ଥନ ଥିବା ଅଭିଯୋଗ ଆସିଥାଏ। ବାରମ୍ବାର ଏଭଳି ଅଭିଯୋଗ ହେବା ସହ ଏହାକୁ ରୋକିବା ସମ୍ଭବ ନ ହେବାରୁ ଏହି ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର ଯୋଜନା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଆରଟିଓ ଅଫିସ୍‌କୁ ଆସୁଥିବା ଲୋକାମାନଙ୍କୁ ଏମାନେ ସହାୟତା କରିବା ସହ ଦଲାଲମାନଙ୍କୁ ଲୁଟ୍‌‌ ସୁଯୋଗ ନ ଦେବା ପାଇଁ ଉଦ୍ୟମ କରିବେ।

ଆୟୁକ୍ତଙ୍କ ନିର୍ଦ୍ଦେଶ ମୁତାବକ, ଏହି ଭଲ୍ୟୁଣ୍ଟିୟର ନିଯୁକ୍ତି ପାଇଁ ଆରଟିଓଗୁଡ଼ିକୁ ଏ, ବି ଓ ସି ବର୍ଗରେ ଭାଗ କରାଯାଇଛି। ସମସ୍ତ ବିଭାଗରେ ୯୦ଦିନ ପାଇଁ ନିଯୁକ୍ତି କରାଯିବାକୁ ଯୋଜନା ହୋଇଛି। ଏ ବର୍ଗର ଆରଟିଓରେ ୧୨ଜଣ(୬ ଯୋଡ଼ା)ଙ୍କୁ ୩ ମାସ ପାଇଁ ୯୦ ହଜାର ଟଙ୍କା, ‘ବି’ ବର୍ଗରେ ୮(୪ ଯୋଡ଼ା)ଙ୍କୁ ୩ ମାସ ପାଇଁ ୬୦ ହଜାର ଟଙ୍କା ଓ ‘ସି’ ବର୍ଗରେ ୪ ଜଣ(ଦୁଇଯୋଡ଼ା)ଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ଏଥିରେ ପୋଷାକ ସହ ଭତ୍ତା ରହିଛି। ଏମାନେ ସର୍ବାଧିକ ୩ ଘଣ୍ଟା(୧୧ଟାରୁ ୨ଟା) ଲେଖାଏଁ ଡ୍ୟୁଟି କରିବେ। ଏହାଛଡ଼ା ଯେଭଳି ଅଧିକ ସମୟ କାମ ନ କରିବେ, ସେ ନେଇ ଅଧିକାରୀ ଦୃଷ୍ଟି ରଖିବେ। ଭଲ୍ୟୁଣ୍ଟିୟରମାନେ ପାଠପଢ଼ା ଛଡ଼ା ଅନ୍ୟ ସମୟରେ କାମ କରିବେ। ଏହି ଅର୍ଥ ସେମାନଙ୍କୁ ନଗଦ ଦିଆନଯାଇ ଆକାଉଣ୍ଟକୁ ସ୍ଥାନାନ୍ତର କରାଯିବ। ନିଯୁକ୍ତି ପାଇବା ପରେ ସେମାନଙ୍କୁ ଆରଟିଓମାନେ ବିଭିନ୍ନ କାର୍ଯ୍ୟ ବାବଦରେ ପ୍ରଶିକ୍ଷଣ ପ୍ରଦାନ କରିବେ; ଯାହାଦ୍ବାରା ଆରଟିଓକୁ ଆସୁଥିବା ଲୋକମାନଙ୍କୁ ସେମାନେ ସହାୟତା କରିପାରିବେ। ତା’ ସହ ସଡ଼କ ସୁରକ୍ଷା ବାବଦରେ ସେମାନେ ଲୋକଙ୍କୁ ‌ସଚେତନ କରିପାରିବେ। ପରିଚୟପତ୍ର, ଦୁଇହଳ ପୋଷାକ, ଜୋତା ପାଇଁ ୩ ହଜାର ଟଙ୍କା ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର