ଗୋପାଳପୁର : କାଳବୈଶାଖୀ ପ୍ରଭାବ ଆଜି ବ୍ରହ୍ମପୁର ସହର ସମେତ ଗୋପାଳପୁର ଓ ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଆଜି ଅପରାହ୍ଣରେ ବଜ୍ରାଘାତରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ରୀ ଗୁରୁତର ହୋଇଥିବା ଜଣାଯାଇଛି।
ବିଶ୍ବବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଗୋପାଳପୁର ପାନ୍ଥ ନିବାସ ନିକଟସ୍ଥ ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ଏଥିରେ ଦୁଇ ଛାତ୍ରଛାତ୍ରୀ ଗୁରୁତର ହୋଇପଡିଥିଲେ। ପାନ୍ଥନିବାସରେ ରହୁଥିବା କିଛି ପର୍ଯ୍ୟଟକ ଏହା ଦେଖି ପାନ୍ଥ ନିବାସ ଅଧିକାରୀ ସନ୍ତୋଷ କୁମାର ସାମନ୍ତରାୟଙ୍କୁ ଜଣାଇଥିଲେ। ଗୁରୁତର ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ସେଠାରେ ଛାତ୍ର ଅମିତ୍ କୁମାର ନାୟକ(୨୫)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ମୃତ ଅମିତ୍ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ଥିଲେ ଏବଂ ସେ ପ୍ରଥମ ଛାତ୍ରାବାସରେ ରହୁଥିଲେ। ତାଙ୍କ ଘର ଅଶୋକ ନଗର, ଭୁବନେଶ୍ବର ବୋଲି ମିଳିଥିବା ଆଧାର କାର୍ଡରୁ ଜଣାପଡିଛି। ଗୁରୁତର ଛାତ୍ରୀ ଜଣକ ସେହି ବିଭାଗର ବୋଲି ଜଣାପଡିଛି। ତେବେ ଏଥିନେଇ ଗୋପାଳପୁର ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/lighting.jpeg)