ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ କଷ୍ଟକର ଯାତ୍ରା : ପାଣିରେ ଚାଲୁଛନ୍ତି ଅଧ କିମି

ରାଜନଗର : ନଈରେ ଆଣ୍ଠୁଏ ପାଣିରେ ପଶି ପରୀକ୍ଷାକେନ୍ଦ୍ରକୁ ଆସୁଛନ୍ତି ମାଟ୍ରିକ୍‌ ପରୀକ୍ଷାର୍ଥୀ। ୫ଶହ ମିଟର ପାଣିରେ ଚାଲିଚାଲି ଯିବା ପରେ ଡଙ୍ଗା ସାହାଯ୍ୟରେ ନଈ ପାର୍‌ ହେଉଛନ୍ତିି। ଓଦା ସରସର ଅବସ୍ଥାରେ ପିଲାମାନେ ପରୀକ୍ଷା ଦେଉଛନ୍ତିି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ବ୍ରାହ୍ମଣୀନଦୀ ଘେର ମଧ୍ୟରେ ରହିଛି ଆଳି ବ୍ଲକର ନଳପାହି, ଏକମାଣିଆ ଓ ଦକ୍ଷିଣଡିଆ ଗାଁ। ଏହି ୩ଟି ଗାଁର ଛାତ୍ରଛାତ୍ରୀ ଏକମାଣିଆ ହାଇସ୍କୁଲରେ ପଢିଥା’ନ୍ତି। ଏକମାଣିଆ ହାଇସ୍କୁଲର ମାଟ୍ରିକ ପରୀକ୍ଷାର୍ଥୀ ରାଜନଗର ବ୍ଲକ କେରଡାଗଡସ୍ଥିତ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଛନ୍ତି। ଉକ୍ତ ସ୍କୁଲର ୪୫ଜଣ ଛାତ୍ରଛାତ୍ରୀ ବ୍ରାହ୍ମଣୀ ନଦୀରେ ଆଣ୍ଠୁଏ ପାଣିରେ ପଶି ପରୀକ୍ଷା କେନ୍ଦ୍ରକୁ ଆସୁଛନ୍ତି। ବ୍ରାହ୍ମଣୀନଦୀର ଏକମାଣିଆ ପଟରେ ଡଙ୍ଗା କୂଳକୁ ଲାଗୁଥିବା ବେଳେ କେରଡାଗଡ଼ ପଟରେ କୂଳକୁ ଆସିପାରୁନି। ପରୀକ୍ଷାର୍ଥୀମାନେ ଆଳି ପଟୁ ଡଙ୍ଗାରେ ଆସି କୂଳଠାରୁ ୫ଶହ ମିଟର ଦୂରରେ ନଦୀ ମଧ୍ୟରେ ଓହ୍ଲାଉଛନ୍ତିି। ଆଣ୍ଠୁଏ ପାଣିରେ ପଶି କୂଳକୁ ଆସୁଛନ୍ତିି। ଚାଲିଚାଲି ପରୀକ୍ଷାକେନ୍ଦ୍ରକୁ ଯାଉଛନ୍ତିି।

ପରୀକ୍ଷାର୍ଥୀ ସୀମାରେଖା ସ୍ୱାଇଁ, ପରମାନନ୍ଦ ବେହେରା, ଉତ୍ତମ ପରିଡାଙ୍କ କହିବାକଥା ହେଲା,‘ ଘରୁ ପରୀକ୍ଷାକେନ୍ଦ୍ରକୁ ଆସିବା ପାଇଁ ୩ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ଘରୁ ମଟରସାଇକଲ୍‌ରେ ଘାଟ ନିକଟକୁ ଆସୁଛୁ। ଘାଟକୁ ଅପେକ୍ଷା କରି ଡଙ୍ଗାରେ ଆସି ନଈ ମଝିରେ ଓହ୍ଲାଉଛୁ। ପ୍ୟାଣ୍ଟ, ସାର୍ଟ ଓଦା ହୋଇଯାଉଛି। ବିଳମ୍ବ ବି ହୋଇଯାଉଛି। ପରୀକ୍ଷା କେନ୍ଦ୍ରରେ ପହଞ୍ଚିିବା ବେଳକୁ ବେଳେବେଳେ ତାଲା ବି ପଡିଯାଉଛି। ପରୀକ୍ଷା ସମୟ ପୂର୍ବରୁ ନଦୀ ପାର ହେବାରେ ୩ ଘଣ୍ଟା ମୂଲ୍ୟବାନ ସମୟ ହରାଇବାକୁ ପଡୁଛି,’ ବୋଲି ସେମାନେ କହିଛନ୍ତିି।

ଅଭିଭାବକ କଳ୍ପତରୁ ଦାସ, ରବୀନ୍ଦ୍ର ରାଉତଙ୍କ ଅଭିଯୋଗ ମୁତାବକ ପୂର୍ବବର୍ଷ ମାନଙ୍କରେ ନିଜ ବିଦ୍ୟାଳୟରେ ପରୀକ୍ଷାକେନ୍ଦ୍ର ହେଉଥିଲା। ଏ ବର୍ଷ ୫ କିମି ଦୂରତା ମଧ୍ୟରେ ପରୀକ୍ଷାକେନ୍ଦ୍ର କରିବାକୁ ସରକାର ନିୟମ କରିଛନ୍ତି। ଆମ ୩ଟି ଗାଁର ଚାରି ପଟେ ନଦୀଘେର ରହିଛି। ପିଲାମାନଙ୍କ ଅସୁବିଧା ପ୍ରତି ଦୃଷ୍ଟି ନ ଦେଇ ୫ କିମି ଦୂରରେ ପରୀକ୍ଷାକେନ୍ଦ୍ର କରାଯାଇଛି। ଯାହାଫଳରେ, ସେମାନେ ଆଣ୍ଠୁଏ ପାଣି ମଧ୍ୟରେ ପଶି ପରୀକ୍ଷାକେନ୍ଦ୍ରକୁ ଆସୁଛନ୍ତି ବୋଲି କହିଛନ୍ତିି।

ସୂଚନାଯୋଗ୍ୟ ଯେ, ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୮ ନଭେମ୍ବର ୨୦୧୬ରେ ଶିଳାନ୍ୟାସ କରିଥିଲେ। ମାତ୍ର ଆଜିଯାଏଁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ।

ସମ୍ବନ୍ଧିତ ଖବର