ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆଜି ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ତାରିଖ ପରିବର୍ତ୍ତନ ଦାବି ନେଇ ପ୍ରଶାସନିକ କୋଠା ସମ୍ମୁଖରେ ୩ଘଣ୍ଟା ଧରି ଧାରଣା ଦେଇଥିଲେ। ଆସନ୍ତା ୧୪ ତାରିଖରୁ ପ୍ରଥମ ସେମିଷ୍ଟର ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟକୁ ନାକ୍ ଟିମ୍ ଗସ୍ତ ସମୟରେ ଅଧ୍ୟାପକମାନଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯିବା ଫଳରେ ସିଲାବସ୍ ଅନୁଯାୟୀ ପାଠ୍ୟକ୍ରମ ଶେଷ ହୋଇନଥିବା ଅଭିଯୋଗ କରି ବିଭାଗୀୟ ମୁଖ୍ୟଙ୍କୁ ଅଭିଯୋଗ କରିଥିଲେ। କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଆଜି ଛାତ୍ର ପ୍ରତିନିଧି ଦୁର୍ଗା ମାଧବ ପ୍ରଧାନ ଓ ଭବାନୀ କାନ୍ତ ସାହୁଙ୍କ ନେତୃତ୍ୱରେ ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀ ପ୍ରଶାସନିକ କୋଠା ସମ୍ମୁଖରେ ଧାରଣା ଦେଇଥିଲେ।
ଆଜି ମାସର ଦ୍ୱିତୀୟ ଶନିବାର ଥିବାରୁ ପ୍ରଶାସନିକ ଭବନ ଛୁଟି ରହିଥିବା ଯୋଗୁଁ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାକୁ କେହି ଆସିନଥିଲେ। ଦୀର୍ଘ ସମୟ ପରେ ପରୀକ୍ଷା ନିୟନ୍ତ୍ରକ ଡ. ସୁରେନ୍ଦ୍ର ସେଠୀ ଧାରଣାସ୍ଥଳରେ ପହଞ୍ଚି ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ଅଭିଯୋଗ ପତ୍ରକୁ ଗ୍ରହଣ କରିଥିଲେ। ପ୍ରଥମ ବର୍ଷ ପାଠ୍ୟକ୍ରମ ଅନୁଯାୟୀ ପାଠ ପଢ଼ା ହୋଇନଥିବା ବେଳେ ୧୪ ତାରିଖ ଠାରୁ ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଉଥିବାରୁ ଏହାକୁ ପରିବର୍ତ୍ତନ କରି ପାଠ ପଢ଼ା ସରିବା ପରେ ପରୀକ୍ଷା ତାରିଖ ଧାର୍ଯ୍ୟ କରିବାକୁ କହିଥିଲେ। ଏ ନେଇ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଯୋଗାଯୋଗ କରାଯିବାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଥିଲେ। କିଛି ସମୟ ପରେ ପରୀକ୍ଷା ନିୟନ୍ତ୍ରକ କୁଳପତିଙ୍କ ସହ ଆଲୋଚନା କରି ପିଜି ଏବଂ ବୃତ୍ତିଗତ ଶିକ୍ଷା ପ୍ରଥମ ସେମିଷ୍ଟର ପରୀକ୍ଷା ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ନେଇ ଚିଠି ନଂ ୧୮୨୮ରେ ବିଜ୍ଞପ୍ତି ଜାରି କରିଛନ୍ତି।
ଆଜି ବିକ୍ଷୋଭସ୍ଥଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଛାତ୍ର ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀଙ୍କୁ ରହିବା ଓ ଖାଇବା ସମସ୍ୟା ରହିଥିବା ବେଳେ କର୍ତ୍ତୃପକ୍ଷ ଏହାର ସମାଧାନ ନକରି ଓଲଟି ବିଭାଗର ଫେଲ୍ କରାଇବାକୁ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ କହୁଥିବା ନେଇ ଅଭିଯୋଗ କରିଥିଲେ।