ପାଟଣାଗଡ଼: ଗତ ୧ ତାରିଖ ଦିନ ସ୍ଥାନୀୟ ଜବାହରଲାଲ କଲେଜର ଛାତ୍ରୀ ସ୍ମିତା ଶୁଭଦର୍ଶିନୀ ପ୍ରଧାନଙ୍କୁ ଦ୍ରୁତଗତିରେ ଆସୁଥିବା ମିନିଟ୍ରକ୍‌ (ଓଆର୍‌ ୦୩ ଏଫ୍‌ ୧୧୩୧) ଦଳି ଦେଇଥିଲା। ଏଥିରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୨ ତାରିଖ ଦିନ କଲେଜର ଛାତ୍ରଛାତ୍ରୀମାନେ ଶୋଯାତ୍ରାରେ ବାହାରିବାକୁ ଥିବା ସମୟରେ ଉଭୟ ପୁଲିସ ଓ ପ୍ରଶାସନ ପହଞ୍ଚି ବୁଝାସୁଝା କରି ଦାବିପତ୍ର ଗ୍ରହଣ କରିଥିଲେ। ଇତିମଧ୍ୟରେ ଘଟଣାକୁ ୭ ଦିନ ବିତିଯାଇ‌ଥିଲେ ମଧ୍ୟ ସମସ୍ତ ଦାବି ପୂରଣ ହୋଇ ନଥିବା ଦର୍ଶାଇ ଗୁରୁବାର ଛାତ୍ରଛାତ୍ରୀମାନେ କଲେଜ ଫାଟକରେ ତାଲା ପକାଇବା ସହ ଶୋଭାଯାତ୍ରାରେ ବାହାରିଥିଲେ।

Advertisment

publive-image

ଶୋଭଯାତ୍ରାରେ ଯାଉଥିବା ସମୟରେ କଲେଜ ପରିସରରେ ହିଁ ପୁଲିସ ଓ ପ୍ରଶାସନ ପହଞ୍ଚି ସେମାନଙ୍କୁ ଅଟକାଇଥିଲେ। ବିନା ଅନୁମତିରେ ଶୋଭାଯାତ୍ରା କରାଯାଉଥିବା ଦର୍ଶାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ‌ବୋଲି ଧମକ ଦେଇଥିଲେ। ଥାନାରେ ଅନୁମତି ପାଇଁ ଲିଖିତ ଭାବେ ଦିଆଯାଇଥିବା ଛାତ୍ରଛାତ୍ରୀମାନେ କହିଥିଲେ। ଏହାକୁ ନେଇ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ପରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ ଅଫିସ ଘେରିବା ସହ ଦାବିପତ୍ର ଦେଇଥିଲେ। ଏ ସମ୍ପର୍କରେ ତହସିଲଦାରଙ୍କୁ ପଚରାଯିବାରୁ ସେ କୌଣସି ଚେତାବନୀ ଦିଆ ଯାଇନାହିଁ, ଛାତ୍ରଛାତ୍ରୀ ବିନା ଅନୁମତିରେ ଶୋଭଯାତ୍ରା କରୁଥିବାରୁ କାଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବୁଝାଯାଉଥିଲା ବୋଲି କହିଥିଲେ। ବିଭିନ୍ନ ସମୟ‌ରେ ରାଜନୈତିକ ଦଳ ଓ ସଂଗଠନକୁ ଶୋଭାଯାତ୍ରା ପାଇଁ ଅନୁମତି ମିଳୁଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ କାହିଁକି ଶାନ୍ତିପୂର୍ଣ୍ଣ ଶୋଭଯାତ୍ରା ପାଇଁ ଅନୁମତି ଦିଆଗଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।