ଇଂରାଜୀ ମାଧ୍ୟମକୁ ଓଡ଼ିଆଙ୍କ ନା

ରାଜ୍ୟର ଇଂରାଜୀ ମାଧ୍ୟମ ସ୍କୁଲରେ ୯.୫% ପିଲା
ଦେଶରେ ହିନ୍ଦୀ ମାଧ୍ୟମରେ ୪୨%, ଇଂରାଜୀରେ ୨୬%
ଉତ୍ତର ଭାରତରେ କମୁଛି ହିନ୍ଦୀ ମାଧ୍ୟମ ସ୍କୁଲର ଚାହିଦା

ଭୁବନେଶ୍ବର : ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ ଲାଗି ଦେଶର ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିଛି। ଗତ ୫ ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତନ ହୋଇଛି। ଦେଶର ମୋଟ ୨୬ କୋଟି ୪୫ ଲକ୍ଷ ୨୭ ହଜାର ୫୭୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬ ପ୍ରତିଶତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଛନ୍ତି। ଯେତେବେଳେ କି ସର୍ବାଧିକ ଅଂଶ ଅର୍ଥାତ୍‌ ୪୨.୨% ପିଲା ହିନ୍ଦୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଛନ୍ତି। ତେବେ ଓଡ଼ିଶାରେ ଇଂରାଜୀ ମଧ୍ୟମ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କର ଏତେଟା ଆଗ୍ରହ ସୃଷ୍ଟି ହୋଇପାରିନାହିଁ। ୨୦୧୩-୧୪ ତୁଳନାରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୯.୫% ପିଲା ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ୁଛନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ମହାରାଷ୍ଟ୍ର ଆଦି ରାଜ୍ୟରେ ଏବେ ବି ଆଞ୍ଚଳିକ ଭାଷା ମାଧ୍ୟମ ବିଦ୍ୟାଳୟରେ ପଢ଼ିବାକୁ ପିଲାଙ୍କ ଆଗ୍ରହ ରହିଛି। ୨୦୧୯-୨୦ ଶିକ୍ଷାବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ଉଲ୍ଲେଖ ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଗତ ୫ ବର୍ଷ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଗ୍ରହ ବଢ଼ିଛି। ଜମ୍ମୁ ଓ କାଶ୍ମୀରର ସମସ୍ତ ଛାତ୍ରଛାତ୍ରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛନ୍ତି। ତେଲେଙ୍ଗାନାର ୭୩.୮, କେରଳର ୬୪.୫, ଆନ୍ଧ୍ରପ୍ରଦେଶର ୬୩, ଦିଲ୍ଲୀର ୫୯.୨, ତାମିଲନାଡ଼ୁର ୫୭.୬, ପଞ୍ଜାବର ୫୧.୧ ପ୍ରତିଶତ ପିଲା ଇଂରାଜୀ ମାଧ୍ୟମକୁ ଆପଣାଇ ନେଇଛନ୍ତି। ଦିଲ୍ଲୀ, ହରିୟାଣା, ପଞ୍ଜାବ ପରି ହିନ୍ଦୀ ଭାଷା ଭିତ୍ତିକ ରାଜ୍ୟର ଅଧିକାଂଶ ପିଲାମାନେ ମଧ୍ୟ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ୁଛନ୍ତି। ଗତ ୫ ବର୍ଷ ମଧ୍ୟରେ ହରିୟାଣା ଓ ତେଲେଙ୍ଗାନାର ବହୁ ଛାତ୍ରଛାତ୍ରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ଆପଣାଇଛନ୍ତି। ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ଉତ୍ତରାଖଣ୍ଡ, ଛତିଶଗଡ଼, ବିହାର, ଉତ୍ତରପ୍ରଦେଶରେ ହିନ୍ଦୀ ମାଧ୍ୟମ ବିଦ୍ୟାଳୟରେ ପଢ଼ିବାକୁ ପିଲାମାନେ ଏବେ ବି ଆଗ୍ରହ ପ୍ରକାଶ କରୁଛନ୍ତି। ପଶ୍ଚିମବଙ୍ଗରେ ମାତ୍ର ୫.୩% ପିଲା ଇଂରାଜୀ ମାଧ୍ୟମରେ ପଢ଼ୁଛନ୍ତି। ଦେଶର ମୋଟ ପିଲାଙ୍କ ମଧ୍ୟରୁ ବେଙ୍ଗଲି ମାଧ୍ୟମ ସ୍କୁଲରେ ୬.୭% ଓ ମରାଠୀ ମାଧ୍ୟମ ବିଦ୍ୟାଳୟରେ ୫.୬% ଛାତ୍ରଛାତ୍ରୀ ପଢ଼ୁଥିବା ରିପୋର୍ଟରେ କୁହାଯାଇଛି।

ଓଡ଼ିଶାର ୯.୫% ଛାତ୍ରଛାତ୍ରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏବଂ ୮୯.୮% ପିଲା ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଛନ୍ତି। ବାକି ଛାତ୍ରଛାତ୍ରୀ ଅନ୍ୟାନ୍ୟ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ମାଧ୍ୟମିକସ୍ତରରେ ୯୧୯୨ ବିଦ୍ୟାଳୟ ଓଡ଼ିଶା ବୋର୍ଡ ତଥା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଅନୁବନ୍ଧିତ ଥିବା ବେଳେ ୭୦୯ଟି ସିବିଏସ୍‌ଇ, ୯୬ଟି ଆଇସିଏସ୍‌ଇ ଓ ୨୨ଟି ଅନ୍ୟ ବୋର୍ଡ ଦ୍ବାରା ଅନୁବନ୍ଧିତ ହୋଇଛି। ଉଚ୍ଚ ମାଧ୍ୟମିକସ୍ତରରେ ଓଡ଼ିଶା ବୋର୍ଡ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ୧୯୯୯, ସିବିଏସ୍‌ଇ ଦ୍ବାରା ୪୨୩, ଆଇସିଏସ୍‌ଇ ଦ୍ବାରା ୨୨, ଉଭୟ ସିବିଏସ୍‌ଇ ଓ ସିଏଚ୍‌ଏସ୍‌ଇ ଦ୍ବାରା ଗୋଟିଏ ବିଦ୍ୟାଳୟ ଅନୁବବନ୍ଧିତ ରହିଥିବା ଉଲ୍ଲଖ ହୋଇଛି।

ସମ୍ବନ୍ଧିତ ଖବର