ଛାତ୍ରୀ ପ୍ରସବ ଘଟଣା: ୧୪ ଶିକ୍ଷକଙ୍କ ତରବରିଆ ବଦଳିକୁ ବିରୋଧ

ରାସ୍ତା ଅବରୋଧ କଲେ ସ୍କୁଲ୍‌ ଛାତ୍ର

ଦାରିଙ୍ଗବାଡ଼ି/କୋଟଗଡ଼: ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଛାତ୍ରୀଙ୍କ ପ୍ରସବ ଘଟଣାରେ ବିଦ୍ୟାଳୟରୁ ୧୪ ଶିକ୍ଷକ ଅନ୍ୟତ୍ର ବିଦ୍ୟାଳୟକୁ ଯାଇଥିଲାବେଳେ ଅନ୍ୟ ବିଦ୍ୟାଳୟରୁ ମାତ୍ର ୮ଜଣ ଶିକ୍ଷିକ ଆସିଥିବା ଜଣାପଡ଼ିଛି। ଫଳରେ ଆଗକୁ ପରୀକ୍ଷା ଥିବାରୁ ଶିକ୍ଷାଦାନରେ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହେବେ। ଏହାର ପ୍ରତିବାଦ ସହିତ ଶିକ୍ଷକମାନଙ୍କ ବଦଳି ବାତିଲ୍‌ ଦାବିରେ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି। ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହିଭଳି ଏକ ସମ୍ବେଦନଶୀଳ ଘଟଣାରେ ଜିଲ୍ଲା ପ୍ରଶାସନ ଦାରିଙ୍ଗବାଡି ହାଇସ୍କୁଲର ସମସ୍ତ ୧୪ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ଗତକାଲି ଅନ୍ୟତ୍ର ବଦଳି କରିଥିଲେ। ଏହାସହ କୋଟଗଡ ସରକାରୀ ହାଇସ୍କୁଲର ୫ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଦାରିଙ୍ଗବାଡି ହାଇସ୍କୁଲକୁ ବଦଳି ହୋଇଥିଲା। ଆଜି ଛାତ୍ରଛାତ୍ରୀ ସ୍କୁଲକୁ ଆସିବା ପରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ହୋଇଥିବା ନେଇ ଶୁଣିବାକୁ ପାଇଥିଲେ। ଜିଲ୍ଲା ପ୍ରଶାସନର ଏଭଳି ତରବରିଆ ବଦଳି ନିଷ୍ପତିକୁ ବିରୋଧ କରି ଶତାଧିକ ଛାତ୍ରଛାତ୍ରୀ କୋଟଗଡ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଛାତ୍ରଛାତ୍ରୀ ଦୀର୍ଘ ଦୁଇ ଘଣ୍ଟା ଧରି ରାସ୍ତା ଉପରେ ବସି ରହିବା ଯୋଗୁଁ ମୁନିଗୁଡା ଓ ବାଲିଗୁଡା ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଉଭୟ ଦିଗରେ ଶହ ଶହ ଗାଡିମଟର ଅଟକି ରହିବା ଯୋଗୁଁ ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀ ନାନା ହଇରାଣର ସାମ୍ନା କରିଥିଲେ। ଖବର ପାଇ କୋଟଗଡ ତହସିଲଦାର ଲକ୍ଷ୍ମଣ ସୋରେନ୍ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ଆସିନଥିଲା। ପରେ ପ୍ରଶାସନ ତରଫରୁ ଜ୍ୟୋତିବାଳା ଶତପଥୀ ଓ ଓମ୍ ନାରାୟଣ ମିଶ୍ରଙ୍କୁ ସ୍କୁଲକୁ ଫେରାଇ ଆଣିବା ନେଇ ପ୍ରତିଶ୍ରୁତି ମିଳିବା ପରେ ଛାତ୍ରଛାତ୍ରୀ ରାସ୍ତା ଅବରୋଧରୁ ହଟିଥିଲେ। ଏହା ପରେ ସ୍କୁଲରେ ସ୍ବାଭାବିକ ପରିସ୍ଥିତି ଫେରିଥିଲା।

ସମ୍ବନ୍ଧିତ ଖବର