ବାଲେଶ୍ବର: ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ଏହି ଛାତ୍ରଛାତ୍ରୀମାନେ ଫର୍ମ ଫିଲପ୍‌ କରିଥିବା ବେଳେ ପରୀକ୍ଷା କିନ୍ତୁ ଦେଇ ନଥିଲେ। ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ନ ଦେବା ଓଡ଼ିଶା ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା କେଳେଙ୍କାରୀକୁ ପଦାରେ ପକାଇଦେଇଛି। ପିଲା ନିଜେ ବି ଜାଣି ନଥିଲେ ତାଙ୍କର ଫର୍ମ ଫିଲପ୍‌ କିଏ କରିଥିଲା। ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।

Advertisment

ବାଲେଶ୍ବର ଜିଲ୍ଲାରେ ବି ପରୀକ୍ଷାର୍ଥୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଜିଲ୍ଲାରେ ୫୨୧ଟି ସ୍କୁଲ୍‌ର ମୋଟ୍‌ ୩୨ ହଜାର ୭୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ଫିଲପ୍‌ କରିଥିଲେ। ହେଲେ ଏଥିରୁ ୩୦ ହଜାର ୨୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨ ହଜାର ୮୭୪ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ଯାହା ଜଣାଯାଇଛି, ଜଳେଶ୍ବରରେ ୨୯୧, ବସ୍ତାରେ ୨୩୬, ବାହାନଗାରେ ୨୦୮, ସଦରରେ ୪୬୨, ଖଇରାରେ ୨୭୭, ନୀଳଗିରିରେ ୩୨୬, ସୋରରେ ୧୮୩, ବାଲିଆପାଳରେ ୨୮୦, ଭୋଗରାଇରେ ୩୨୨, ସିମୁଳିଆରେ ୧୦୯ ଓ ରେମୁଣାରେ ୧୮୦ ଜଣ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲପ୍‌ ହୋଇଥିବା ବେଳେ ଏମାନେ କିନ୍ତୁ ପରୀକ୍ଷା ଦେଇନାହାନ୍ତି। ସବୁଠାରୁ ଅଧିକ ଛାତ୍ରଛାତ୍ରୀ ସଦର ବ୍ଲକରେ ରହିବା ଜଣାଯାଇଛି। ତେବେ ଏନେଇ ତନାଘନା ହେବା ପରେ ଶିକ୍ଷା ବିଭାଗ ପକ୍ଷରୁ ଗତ ୯ ତାରିଖରେ ଜିଲ୍ଲାର ସମସ୍ତ  ଡିଇଓଙ୍କୁ ତଦନ୍ତ କରି ଆସନ୍ତା ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲାରେ ୨୦୬ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୨ଟି ନୋଡାଲ ସେଣ୍ଟର ମଧ୍ୟରୁ ଜିଲ୍ଲାସ୍କୁଲ ନୋଡାଲ ସେଣ୍ଟର ଅଧୀନରେ ଆସୁଥିବା ସଦର ବ୍ଲକର ସବୁ ସ୍କୁଲରେ ପ୍ରାୟତଃ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ଜିଲ୍ଲାସ୍କୁଲରେ ୧୦, ଖ୍ରୀଷ୍ଟିଆନ୍‌ ସ୍କୁଲରେ ୧୭, ବାରବାଟୀ ମହିଳା ସ୍କୁଲରେ ୨୪, ପୁଲିସ୍‌ ହାଇସ୍କୁଲରେ ୬, ନୟନାକୁମାରୀ ସ୍କୁଲରେ ୯ ଜଣ, ଶକୁନ୍ତଳା ହାଇସ୍କୁଲରେ ୬, ଟାଉନ୍‌ ହାଇସ୍କୁଲରେ ୭, ମିଶନ ହାଇସ୍କୁଲରେ ୮, ବାଘାଯତୀନ ହାଇସ୍କୁଲରେ ୧୭, ରୂପ୍‌ସା ମହାପାତ୍ର ହାଇସ୍କୁଲରେ ୭, ହରିପୁର ସରକାରୀ ସ୍କୁଲ‌ର ୨୭, ସିନ୍ଧିଆ ଆର୍‌ଏମ୍‌ ହାଇସ୍କୁଲରେ ୧୭, ଲକ୍ଷ୍ମୀନାରାୟଣ ହାଇସ୍କୁଲରେ ୫, ହଳଦିପଦା ଅଗ୍ରୱାଲା ସ୍କୁଲରେ ୨୪, ଛାନୁଆ ହାଇସ୍କୁଲରେ ୨୧, ସାର୍ଥା ନୋଡାଲ ସ୍କୁଲରେ ୨୨, ଚକସାର୍ଥା ସ୍କୁଲରେ ୧୮, ସାହାଦା ସ୍କୁଲରେ ୨୭, ପରିଖି ସ୍କୁଲରେ ୧୯, ଗୁଡ଼ପାହି ସ୍କୁଲରେ ୧୯, ଗାନ୍ଧିଜୀ ମଣ୍ଡୁରକୁଲା ସ୍କୁଲରେ ୧୧, ପବ୍ଲିକ୍‌ ସ୍କୁଲରେ ୪, ସାଉଁ ଆଞ୍ଚଳିକ ସ୍କୁଲରେ ୨୫, ବୃନ୍ଦାବତୀ ସ୍କୁଲରେ ୧୬, ଦୁବଲାଗଡ଼ି ୟୁନିୟନ୍‌ ସ୍କୁଲରେ ୧୮, ଗୋପୀନାଥପୁର ପଞ୍ଚାୟତ ସ୍କୁଲରେ ୧୧, ଉଇଟିକିରି ଏଚ୍‌କେ ନୋଡାଲ ସ୍କୁଲରେ ୧୪, ରସାଳପୁର ସ୍କୁଲରେ ୪, ରସାଳପୁର ସ୍କୁଲ (ମଧ୍ୟମା)ରେ ୨୬, ମ୍ୟୁନିସିପାଲ ସ୍କୁଲରେ ୨୫, ଶ୍ୟାମସୁନ୍ଦର ସ୍କୁଲରେ ୧୩, ମଣିନାଗେଶ୍ବର ସ୍କୁଲରେ ୧୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଏ ସଂପର୍କରେ ପଚାରିବାରୁ ସମସ୍ତ ପିଲା ପରୀକ୍ଷା ଦେବା ପାଇଁ ଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଥିଲା। ଏମିତିକି ପିଲା ସ୍କୁଲରେ ପରୀକ୍ଷା ନ ଦେଇପାରିଲେ ଘରେ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଥିଲା। ତେଣୁ ବହୁ ସ୍କୁଲ ପକ୍ଷରୁ ପିଲାଙ୍କର ଫର୍ମ ଫିଲପ୍‌ କରିଦିଆଯାଇଥିଲା।

କିଛି ପିଲାଙ୍କ ଦେହ ଖରାପ ହୋଇଥିବା ବେଳେ ଆଉ କିଛି ପିଲା କରୋନା ପରେ ବାହାରକୁ ପରିବାର ସହ ପଳାଇଥିବାରୁ ପରୀକ୍ଷା ଦେଇପାରିନଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଫେଇ ଦିଆଯାଇଛି। ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାରଙ୍କୁ ପଚାରିବାରୁ ପିଲା କାହିଁକି ପରୀକ୍ଷା ଦେଲେନି, ଏହା ପଛରେ କାରଣ କଣ ରହିଛି? ଏନେଇ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। କିଛିଦିନ ଭିତରେ ପ୍ରକୃତ କାରଣ ଜଣାପଡ଼ିଯିବ।