ଭଦ୍ରକ : ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଉନି, ଚିନ୍ତାରେ ଛାତ୍ରଛାତ୍ରୀ

ଭଦ୍ରକ : କରୋନା କ‌ଟକଣା ପାଇଁ ସାରା ରାଜ୍ୟରେ ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଶେଷ ହୋଇ ପାରି ନଥିବା ବେଳେ ଆଉ ପରୀକ୍ଷା ହେବ କି ନାହିଁ, ତାହା ଉପରେ ରାଜ୍ୟ ସରକାର କିଛି ସ୍ପଷ୍ଟ କରୁ ନଥିବା ବେଳେ ଫଳ କେବେ ପ୍ରକାଶ ପାଇବ ତାହାକୁ ନେଇ ମଧ୍ୟ ଅନ୍ଧା‌ରରେ ରଖାଯାଇଛି। ଉଚ୍ଚ ଶିକ୍ଷା‌ ବିଭାଗ ଏନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁ ନଥିବା ବେଳେ ହାଜର ହଜାର ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ଯୁକ୍ତ ତିନି ‌ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କର ଆଉ ଯେଉଁ କେତୋଟି ବିଷୟରେ ପରୀକ୍ଷା ନହୋଇ ରହିଯାଇଛି ଆଉ ତାର ପରୀକ୍ଷା କରିବା ସପକ୍ଷରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟାପକମାନେ ରାଜି ନାହାନ୍ତି। କାରଣ ସମୟ ଅତିବାହିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ମଧ୍ୟ ଆଉ ପରୀକ୍ଷା ଦେବା ମାନସିକତାରେ ନାହାନ୍ତି।

bhadrakcollege.nic.in

ଜୁନ୍ ଓ ଜୁଲାଇ ମାସ ବେଳକୁ ସେମାନଙ୍କର ଫାଇନାଲ ପରୀକ୍ଷା ଫଳ ପ୍ରକାଶ ପାଇବା କଥା। ଏହା ଭିତରେ ୩ ମାସ ସମୟ ବିତିଗଲାଣି। ଛାତ୍ରଛାତ୍ରୀମାନେ ଏବେ ଉଚ୍ଚତର ଶିକ୍ଷା ଅର୍ଜନ କରିବା ପାଇଁ ଫର୍ମ ଆବେଦନ କରି ନାମ ଲେଖା କାର୍ଯ୍ୟ ପ୍ରାୟ ଶେଷ ହୋଇ ସାରିଥାନ୍ତା। ସେପରି ସ୍ଥଳେ ଶିକ୍ଷା ବିଭାଗ ନୀରବରେ ବସି ରହିବା ଦ୍ବାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯାଉଥିବା ନେଇ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ଜିଲ୍ଲାର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଉ ପରୀକ୍ଷା କରାନଯାଇ ଛାତ୍ରଛାତ୍ରୀଙ୍କ ପୂର୍ବ ପରୀକ୍ଷାର ଫଳ କିମ୍ବା ଅନ୍ୟ ବିଷୟର ମାର୍କକୁ ସମତୁଲ କରି ସେହି ମାର୍କ ଉପରେ ଅଧିକ ଗ୍ରେସ୍ ମାର୍କ ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବା ନେଇ ଦାବି କରାଯାଇଛି। ତାହା କରାନଗଲେ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତ ସୁରକ୍ଷା ନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଲେଣି। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର