କନ୍ଧମାଳ ସେବାଶ୍ରମରେ ପୁଣି ଅଘଟଣ : ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ସେବାଶ୍ରମରେ ଅବ୍ୟବସ୍ଥା ଓ ଅଘଟଣ ଥମୁ ନାହିଁ। ଆଜି ପୁଣି ଫୁଲବାଣୀ ବ୍ଲକ ପକନାଗାଁ ସେବାଶ୍ରମ ସ୍କୁଲରେ ଦୁଇ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ଜିଲ୍ଲାପାଳ ଡ.ବୃନ୍ଦା ଡି.ଙ୍କ ନିର୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହାଣୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କର ମେଡିକାଲରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି।

ସୂଚନା ମୁତାବକ ଜଣେ ଦଶମ ଶ୍ରେଣୀର ଓ ଜଣେ ନବମ ଶ୍ରେଣୀର ଛାତ୍ରୀ ଆଜି ଆତ୍ମହତ୍ୟା ପାଇଁ ବହୁ ମାତ୍ରାରେ ବଟିକା ଖାଇ ଦେଇଥିଲେ। ସେମାନେ ଏହି ବଟିକା କ୍ଲୋରକୁଇନ ଭାବି ଖାଇଥିଲେ। ତେବେ ଏଗୁଡ଼ିକ ଆଇରନ ବଟିକା ବୋଲି ଜଣାଯାଇଛି। ପରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ବିଦ୍ୟାଳୟ ପକ୍ଷରୁ ମେଡିକାଲରେ ଭର୍ତ୍ତି କରା ଯାଇଥିଲା। ତେବେ ବିଦ୍ୟାଳୟର ହଷ୍ଟେଲ୍‌ରେ ରହିବାକୁ ସେମାନେ ଅନିଛୁକ ଥିବା ଏବଂ ଏହି କାରଣରୁ ଉଭୟେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଦୁଇ ଜଣ ପ୍ରାଥମିକ ତଦନ୍ତ ବେଳେ ପ୍ରକାଶ କରିଥିବା ମଙ୍ଗଳ ଅଧିକାରୀ ଗଣେଶ୍ୱର ଭାରିମଲ୍ଲ ସୂଚନା ଦେଇଛନ୍ତି।

ଗତ ଗଣେଶ ପୂଜା ଦିନ ଏହି ଦୁଇ ଛାତ୍ରୀ ସ୍କୁଲ ଛାଡ଼ି ପଳାଇଥିଲେ। ହେଲେ ଦୁଇ ଦିନ ତଳେ ବିଦ୍ୟାଳୟକୁ ଫେରିଥିବା ବେଳେ ଆଜି ସନ୍ଧ୍ୟାରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଇଛି। କିନ୍ତୁ ସେମାନଙ୍କ ଆତ୍ମହତ୍ୟା ଉଦ୍ୟମର ପ୍ରକୃତ କାରଣ ଜଣା ପଡ଼ିନାହିଁ । ବର୍ତମାନ ଛାତ୍ରୀ ଦ୍ୱୟ ଅଧିକ କିଛି କହିବା ଅବସ୍ଥାରେ ନଥିବା ବେଳେ ସୁସ୍ଥ ହୋଇ ଫେରିବା ପରେ ଏନେଇ ପଚରାଉଚରା କରାଯିବ ବୋଲି ମଙ୍ଗଳ ଅଧିକାରୀ କହିଛନ୍ତି। ବିଦ୍ୟାଳୟରେ ରହିବାକୁ କାହିଁକି ଛାତ୍ରୀ ଅନିଛୁକ ହେଉଥିଲେ ଓ ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ପଦକ୍ଷେପ ନେବା ପଛରେ ଆଉ କିଛି କାରଣ ଅଛି କି ନାହିଁ ସେ ନେଇ ବିଧିବଦ୍ଧ ତଦନ୍ତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର