ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଚଳିତବର୍ଷ ନିର୍ବାଚନ ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଛାତ୍ର ସଙ୍ଗଠନ ପ୍ରତିବାଦ ଆରମ୍ଭ କରିଛନ୍ତି। ଛାତ୍ର କଂଗ୍ରେସ ପରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନିର୍ବାଚନ ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ କମଳା ନେହେରୁ ମହିଳା ମହାବିଦ୍ୟାଳୟରୁ ଦସ୍ତଖତ ଅଭିଯାନ ହୋଇଛି। ଶୁକ୍ରବାର ସଂଗଠନ ରାଜ୍ୟର ଅନ୍ୟାନ୍ୟ କ୍ୟାମ୍ପସରେ ଅନୁରୂପ ପଦକ୍ଷେପ ନେବ। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ନେତୃତ୍ବ ବିକାଶର ଏନ୍ତୁଡିଶାଳ ପାଲଟିଥିବା ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନର ଆବଶ୍ୟକତା ରହିଛି। ଏହା ଦ୍ବାରା କଲେଜର ସାଧାରଣ ସମସ୍ୟା ସାମ୍ନାକୁ ଆସେ। ତାହାର ସମାଧାନ ମଧ୍ୟ ହୁଏ। ଛାତ୍ରଛାତ୍ରୀ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ରାଜ୍ୟ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।
ନିର୍ବାଚନ ଦାବିରେ ଏବିଭିପିର କ୍ୟାମ୍ପସ୍ ଦସ୍ତଖତ ଅଭିଯାନ ଆରମ୍ଭ
ଏବିଭିପି ଡାହାଣୀ ହୋଇ ଲାଗୁଛି, ଗୁଣିଆ ହୋଇ ଝାଡ଼ୁଛି: ଛାତ୍ର ବିଜେଡି
ରାଜ୍ୟ ସରକାରଙ୍କ ଛାତ୍ର ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ: ଏଆଇଡିଏସ୍ଓ
ସେପଟେ ଏବିଭିପିର ଆନ୍ଦୋଳନକୁ ବିଜୁ ଛାତ୍ର ଜନତା ଦଳ କଡ଼ା ଭାଷାରେ ସମାଲୋଚନା କରିଛି। ସଙ୍ଗଠନ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ଏବିଭିପି ଦୋମୁହାଁ ନୀତି ପ୍ରଦର୍ଶନ କରୁଛି। ପୂର୍ବ ସରକାର ସମୟରେ ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ସେମାନେ ଆନ୍ଦୋଳନ କରୁଥିଲା। ଏବେ ରାଜ୍ୟରେ ବିଜେପି ସରକାର। ହେଲେ ସେମାନଙ୍କ ଦାବି ପ୍ରେସ ବିଜ୍ଞପ୍ତିରେ ସୀମିତ ରହିଛି। ନିର୍ବାଚନ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ସମୟ ରହିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଏସମ୍ପର୍କରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ନଚେତ୍ ବିଜୁ ଛାତ୍ର ଜନତା ଦଳ ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରିବ। ତୁରନ୍ତ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଘୋଷଣା କରିବାକୁ ଅଲ୍ ଇଣ୍ଡିଆ ଡେମୋକ୍ରେଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ(ଏଆଇଡିଏସ୍ଓ) ଦାବି କରିଛି। ସଙ୍ଗଠନର ରାଜ୍ୟ ସଭାପତି ସୋମନାଥ ବେହେରା ଓ ସମ୍ପାଦକ ସିଦ୍ଧାର୍ଥ ରଥ କହିଛନ୍ତି, ନିର୍ବାଚନ ନେଇ ରାଜ୍ୟ ସରକାର ସ୍ପଷ୍ଟ ମତ ରଖୁନାହାନ୍ତି। ସାଧାରଣ ନିର୍ବାଚନ ସମୟରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି କହୁଥିବା ବିଜେପି ଏବେ ସରକାରକୁ ଆସିବା ପରେ ସ୍ପଷ୍ଟ ଉତ୍ତର ନ ରଖିବା ଛାତ୍ର ବିରୋଧୀ ଆଭିମୁଖ୍ୟର ପ୍ରମାଣ ମିଳୁଛି। ଯଦି ଚଳିତବର୍ଷ ଏଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/abvp.jpg)